ପନ୍ତିଖାରୀ ଆର ଆଇ କାର୍ଯ୍ୟାଳୟ ଉଦ୍ଘାଟିତ

0
  • ଆରଆଇ ଅଞ୍ଚଳର ୨୦ ଜଣ ଆବେଦନକାରୀଙ୍କୁ ଅତିଥିଙ୍କ ଦ୍ବାରା ପଟ୍ଟା ବଣ୍ଟନ,

  • ଗାଁରେ କଲ୍ୟାଣୀ ମଣ୍ଡପ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶୁତି

ଓଡ଼ଗାଁ,୩୦୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ପନ୍ତିଖାରୀ ଶାସନ ଠାରେ ରାଜସ୍ବ ନିରୀକ୍ଷକଙ୍କ ନୂତନ କାର୍ଯ୍ୟାଳୟ ଜାତୀୟ ମାନବାଧିକାର କମିଶନ ସଭ୍ୟ ତଥା ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ମୁଖ୍ୟ ବିଚାରପତି ଡ.ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କ କର କମଳରେ ରବିବାର ଉଦ୍ଘାଟିତ ହୋଇଯାଇଛି।ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗ ଦେଇ ଜଷ୍ଟିସଙ୍କ ପ୍ରସ୍ତାବ କ୍ରମେ ଗାଁରେ କଲ୍ୟାଣୀ ମଣ୍ଡପ ନିର୍ମାଣ ପାଇଁ ଜିଲ୍ଲାପାଳ ପ୍ରତିଶୁତି ଦେଇଥିଲେ। ଅନ୍ୟତମ ଅତିଥି ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ ଆରଆଇ
କାର୍ଯ୍ୟାଳୟର କାର୍ଯ୍ୟ ସମ୍ପର୍କରେ ତହସିଲ ଅନ୍ତର୍ଗତ ପନ୍ତିଖାରୀ, ରଙ୍ଗଣୀପାଟଣା ଏବଂ ପାଣ୍ଡେରିପଡା ପଞ୍ଚାୟତରୁ ଆସିଥିବା ସରପଞ୍ଚ,ଜନ ପ୍ରତିନିଧି ଏବଂ ଜନସାଧାରଣଙ୍କୁ ବୁଝାଇଥିଲେ। ମୁଖ୍ୟ ଅତିଥି ତଥା ଉଦଘାଟକ ଡ.ଜଷ୍ଟିସ ଷଡ଼ଙ୍ଗୀ ଏବଂ ଅନ୍ୟ ଅତିଥିଙ୍କ ଦ୍ବାରା ୨୦ ଜଣ ଆବେଦନକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା। ଡ.ଜଷ୍ଟିସ ଷଡ଼ଙ୍ଗୀଙ୍କ ଜନ୍ମ ସ୍ଥାନ ପନ୍ତିଖାରୀ ଶାସନ ହୋଇଥିବାରୁ କାର୍ଯ୍ୟାଳୟ ତରଫରୁ ରାଜସ୍ବ ନିରୀକ୍ଷକ ସ୍ବପ୍ନା ସ୍ବାଇଁ ପ୍ରଥମ କରି ଡ.ଜଷ୍ଟିସ ଷଡ଼ଙ୍ଗୀଙ୍କ ଜାଗା ଏବଂ ଜମିର ପାଉତି କାଟିଥିଲେ। ଆର ଆଇ ଜଣେ ମହିଳା ହୋଇଥିବାରୁ ତାଙ୍କୁ ସହଯୋଗ କରିବାକୁ ଉପସ୍ଥିତ ସଜ୍ଜନଙ୍କୁ ଜଷ୍ଟିସ ପରାମର୍ଶ ଦେଇଥିଲେ।ଜନ୍ମ ସ୍ଥାନ ଠାରୁ ଯେତେ ଦୂରରେ ଥିଲେବି ସନ୍ତାନ ଯେତେବେଳେ ତା’ମା ନିକଟକୁ ଫେରିଆସେ ସେତେବେଳେ ଆଖିରୁ ଝରିପଡ଼େ ଆନନ୍ଦାଶ୍ରୁ।ଲୁହଭିଜା ଜନ୍ମ ମାଟି ତା’ର ସନ୍ତାନ ଉପରେ ଅଜାଡି ଦିଏ ଅଜସ୍ର ଆଶିର୍ବାଦ ଏବଂ ଅସୁମାରୀ ଭଲ ପାଇବା। ସେତେବେଳେ ସନ୍ତାନ ଶରୀରରେ ସୃଷ୍ଟି ହୁଏ ଶ୍ରୀହରଣ,କମ୍ପନ ଏବଂ ସ୍ପନ୍ଦନ। ଶରୀରରେ ସଞ୍ଚିତ ହୁଏ ଉର୍ଜ୍ବା ଅବଶିଷ୍ଟ ସମୟ ପାଇଁ। ଘଟଣା ପ୍ରବାହରେ ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ପନ୍ତିଖାରୀ ଆର ଆଇ କାର୍ଯ୍ୟାଳୟ ଉଦ୍ଘାଟନ ବେଳେ ଏ ମାଟିର ପୁଅ ଯେତେବେଳେ ନିଜେ ଉଦଘାଟନ କରିଥିଲେ ତାଙ୍କର ପିଲାଦିନର କଥା ସବୁ ମନେପଡ଼ିଥିଲା।ନୟାଗଡ଼ ଜିଲ୍ଲାପାଳ ପାଖରେ ବସି ଏସବୁ ଦେଖି ସେ ମଧ୍ୟ କ୍ଷଣିକ ପାଇଁ ଦ୍ରବିଭୂତ ହୋଇପଡ଼ିଥିଲେ।ସେଥିରୁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବାଦ୍ ପଡ଼ିଥାନ୍ତେ ବା କିପରି? ସେତେବେଳେ ଗାଁ ଠାରୁ ଦୂରରେ ରହୁଥିବା ସମସ୍ତଙ୍କର ନିଜ ନିଜ ଗାଁ କଥା ମନେ ପଡ଼ିଥିଲା। ସଭାକାର୍ଯ୍ୟ ଆରମ୍ଭରେ ସ୍ଥାନୀୟ ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀର ଶିଶୁମାନଙ୍କ ଦ୍ବାରା ଅଭିନନ୍ଦନ ସଙ୍ଗୀତ ପରିବେଷଣ ହୋଇଥିଲା। ପଣ୍ଡିତ ଖଗେଶ୍ବର ହୋତା ତାଙ୍କ ସ୍ବରଚିତ ଆଧ୍ୟାତ୍ମିକ ପିୟୁସ ପୁସ୍ତକ ଅତିଥିଙ୍କୁ ବଣ୍ଟନ କରିଥିଲେ। ଶେଷରେ ତହସିଲଦାର ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.