ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ପ୍ରତିନିଧିମାନଙ୍କ ସହ ଭାବ ବିନିମୟ ବୈଠକ

2

ଭୁବନେଶ୍ୱର : ଅଡିଟ୍ ସପ୍ତାହ ୨୦୨୬ ପାଳନର ଅଂଶ ସ୍ୱରୂପ, ପ୍ରଧାନ ମହାଲେଖାକାର (ଅଡିଟ୍–I), ଓଡ଼ିଶାଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ସୁଦୃଢ଼ କରିବା ତଥା ସେମାନଙ୍କର ଆର୍ଥିକ ପରିଚାଳନା, ଉତ୍ତରଦାୟିତ୍ୱ ଓ ସୁଶାସନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଦୁଇଟି ଭାବ ବିନିମୟ ବୈଠକ ଆୟୋଜନ କରାଯାଇଥିଲା।

ପ୍ରଥମ ବୈଠକରେ ସ୍ଥାନୀୟ ପାଣ୍ଠି ଅଡିଟ୍ ନିର୍ଦ୍ଦେଶାଳୟ (DLFA), ଅର୍ଥ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇଥିଲେ। ଏଥିରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର କାର୍ଯ୍ୟପ୍ରଣାଳୀ, ଆର୍ଥିକ ପରିଚାଳନା ଓ ଅଡିଟ୍ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା।

ଦ୍ୱିତୀୟ ବୈଠକରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ନିର୍ବାଚିତ ପ୍ରତିନିଧିମାନଙ୍କ ସହ ମୁକ୍ତ ଆଲୋଚନା କରାଯାଇଥିଲା। ଏଥିରେ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, କଟକ ମହାନଗର ନିଗମର ମେୟର ଶ୍ରୀ ସୁଭାଷ ସିଂହ ଏବଂ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ପଟ୍ଟନାୟକ ଯୋଗଦେଇଥିଲେ। ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ଆର୍ଥିକ କାର୍ଯ୍ୟ ପରିଚାଳନା ସମୟରେ ନିର୍ବାଚିତ ପ୍ରତିନିଧିମାନେ ସମ୍ମୁଖୀନ ହେଉଥିବା ବ୍ୟବହାରିକ ସମସ୍ୟା ଓ ଆହ୍ୱାନଗୁଡ଼ିକ ଉପରେ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।

ପ୍ରଧାନ ମହାଲେଖାକାର (ଅଡିଟ୍–I), ଓଡ଼ିଶା, ଶ୍ରୀ ସୁବୁ ଆର୍. ଏହି ଅଧିବେଶନର ଉଦ୍ଘାଟନ କରିଥିଲେ। ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ସୁଦୃଢ଼ ଆର୍ଥିକ ପରିଚାଳନା ମାଧ୍ୟମରେ ସୁଶାସନ ପ୍ରତିଷ୍ଠା କରିବାରେ ଅଡିଟ୍ ସଂସ୍ଥା ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ମଧ୍ୟରେ ଗଠନମୂଳକ ସମନ୍ୱୟର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ।

ନିର୍ବାଚିତ ପ୍ରତିନିଧିମାନଙ୍କ ପକ୍ଷରୁ ଉପସ୍ଥାପିତ ପ୍ରମୁଖ ପ୍ରସ୍ତାବଗୁଡ଼ିକ ମଧ୍ୟରେ ଗ୍ରାମ ପଞ୍ଚାୟତଗୁଡ଼ିକର ଅଡିଟ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ AG କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକୀୟ ମାର୍ଗଦର୍ଶନ ଓ ସହଯୋଗ ପ୍ରଦାନ କରିବା ଏବଂ କେତେକ ଆଦର୍ଶ ଗ୍ରାମ ପଞ୍ଚାୟତ ଚୟନ କରି ସେଠାରେ ଉତ୍ତମ କାର୍ଯ୍ୟପ୍ରଣାଳୀ ଓ ବ୍ୟବସ୍ଥାର ପ୍ରଚଳନ କରିବା, ଯାହାକୁ ଅନ୍ୟ ଗ୍ରାମ ପଞ୍ଚାୟତଗୁଡ଼ିକ ଅନୁସରଣ କରିପାରିବେ, ଅନ୍ତର୍ଭୁକ୍ତ ଥିଲା। ଏଥିସହିତ କ୍ଷମତାର ଅପର୍ଯ୍ୟାପ୍ତ ହସ୍ତାନ୍ତର, କର୍ମଚାରୀ ଅଭାବ ଏବଂ ସୀମିତ ଆର୍ଥିକ ସ୍ୱାୟତ୍ତତା ଯୋଗୁଁ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ସୁଚାରୁ କାର୍ଯ୍ୟ ପରିଚାଳନାରେ ଦେଖାଦେଉଥିବା ସମସ୍ୟାଗୁଡ଼ିକ ଉପରେ ମଧ୍ୟ ପ୍ରତିନିଧିମାନେ ଉଦ୍‌ବେଗ ପ୍ରକାଶ କରିଥିଲେ।

ଏହି ବୈଠକଗୁଡ଼ିକ ତୃଣମୂଳ ସ୍ତରର ସମସ୍ୟାଗୁଡ଼ିକୁ ବୁଝିବା, ମତ ବିନିମୟ କରିବା ଏବଂ ସ୍ଥାନୀୟ ଶାସନ ବ୍ୟବସ୍ଥା ଓ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱକୁ ଅଧିକ ସୁଦୃଢ଼ କରିବା ଦିଗରେ ଆବଶ୍ୟକୀୟ ସହଯୋଗ ଓ ଦକ୍ଷତା ବିକାଶର ସୁଯୋଗ ଚିହ୍ନଟ କରିବା ପାଇଁ ଏକ ଉପଯୋଗୀ ମଞ୍ଚ ପ୍ରଦାନ କରିଥିଲା।

ଏହି ବୈଠକରେ ଶ୍ରୀ ଭରତ ଚନ୍ଦ୍ର ବେହେରା, ଶ୍ରୀ ସୁବ୍ରତ ଶେଠୀ ଓ ଶ୍ରୀ ରାଜକିଶୋର ମହାପାତ୍ରଙ୍କ ସମେତ ପ୍ରଧାନ ମହାଲେଖାକାର (ଅଡିଟ୍–I), ଓଡ଼ିଶାଙ୍କ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ।

Leave A Reply

Your email address will not be published.