ଜାଲ ସ୍ଥାୟୀ ପ୍ରମାଣପତ୍ର କରିଥିବା ୨ ବାଂଲାଦେଶୀ ଗିରଫ ।

0 2

ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ: ଦେଶରୁ ଅନୁପ୍ରବେଶକାରୀଙ୍କୁ ବିତାଡିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆସାମ, ମଣିପୁର, ତ୍ରିପୁରା ଏବଂ ଓଡ଼ିଶାରେ ଏହି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇ ନ ଥିବାରୁ ରାଜ୍ୟବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଉଛି। ସୀମାନ୍ତ ଛତିଶଗଡ ସରକାର ଏହି ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ଚିହ୍ନଟ କରି ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସୀମାନ୍ତ ଛତିଶଗଡ କାଙ୍କେର ଜିଲା ସଦର ଥାନା ପିବି ୧୨୭ ଅନୁପପୁର, ପଖାରରେ ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ ହେବ ଜଣେ ବାଂଲାଦେଶୀ ପ୍ରଶାନ୍ତ ବୈରାଗୀ ଭିସା କାର୍ଡ ଅନୁମତି ଆଧାରରେ ଆସି ଆଉ ବାଂଲାଦେଶ ଫେରି ନ ଥିଲେ। ଭିଜା କାର୍ଡର ସମୟସୀମା ସମାପ୍ତ ହୋଇଥିଲେ ସୁଦ୍ଧା ସେ ମିଥ୍ୟା ତଥ୍ୟ ଦେଇ ସ୍ଥାୟୀ ବାସିନ୍ଦା, ଜାତିଗତ ପ୍ରମାଣ ପତ୍ର ଆଦି ପ୍ରସ୍ତୁତ କରି ପରିବାର ସହ ରହି ଆସୁଥିଲେ। ସେ ତାଙ୍କ ପୁଅ ସୁକୃତି ବୈରାଗୀଙ୍କ ନାଁରେ ମିଥ୍ୟା ତଥ୍ୟ ପ୍ରଦାନ କରି ସ୍ଥାୟୀ ପ୍ରମାଣପତ୍ର ହାତେଇଥ‌ିବା ଅଭିଯୋଗ ହୋଇଛି। ପଖାର ତହସିଲଦାର ଯାଞ୍ଚ କରିବା ସମୟରେ ଏହି ୨ଜଣ ଜାଲ ତଥ୍ୟ ଦେଇ ପ୍ରମାଣପତ୍ର ହାସଲ କରିଥିବା ଜାଣିବାକୁ ପାଇ ପୋଲିସକୁ ସୂଚନା ଦେଇଥିଲେ। ତହସଲିଦାରଙ୍କ ଅଭିଯୋଗ କ୍ରମେ ପଖାର ପୋଲିସ ୨ ଅନୁପ୍ରବେଶକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ୨ ବାଂଲାଦେଶୀଙ୍କ ପ୍ରକୃତ ବାସସ୍ଥାନ ବାଂଲାଦେଶର ଖୁଲନା ଜିଲା ବୋଟିୟାଗାଟ ଥାନା ଔଷଖଲି ଗ୍ରାମରେ ବୋଲି ତଦନ୍ତରୁ ଜଣାପଡିଛି। କାଙ୍କେଲ ଜିଲା ଆଦିବାସୀ ସମାଜ ସଂଘର ସଭାପତି କହ୍ନେୟା ଉସେଣ୍ଡି ପ୍ରକାଶ କରିଛନ୍ତି ଯେ, ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶରୁ ବିତାଡିତ କରିବା ପାଇଁ ସରକାରଙ୍କୁ ଅବଗତ ଓ ସ୍ବର ଉତ୍ତୋଳନ କରୁଥିଲୁ। ଏହି ୨ ଅନୁପ୍ରବେଶକାରୀଙ୍କୁ ଜାଲ ପ୍ରମାଣପତ୍ର କରିବାରେ ସହୟତା କରିଥିବା ଅଧୂକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି। ସୀମାନ୍ତ ଛତିଶଗଡ଼ରେ ଅନୁପ୍ରବେଶକାରୀ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବା ପରେ ମାଲାକାନଗିରି ଜିଲାରେ ମଧ୍ୟ ଏହା ଆରମ୍ଭ ହେବ ବୋଲି କୁହାଯାଉଛି।

Leave A Reply

Your email address will not be published.