ଧାମରା ସଂଘରେ ଲୁଣିଆ ଓ ଇରମ ଶହୀଦ ସ୍ମୃତି ଦିବସ ପାଳନ

0 2

 

ରାଉରକେଲା,(ବସନ୍ତ କୁମାର ଜେନା): ଛେଣ୍ଡ ସ୍ଥିତ ଧାମରା ସଂଘ ପକ୍ଷରୁ ସଂଘ ପରିସରରେ ଲୁଣିଆ ଓ ଇରମ ଶହୀଦ ସ୍ମୃତି ଦିବସ ପାଳନ ହୋଇଯାଇଛି। ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବ ସାଧାରଣ ସମ୍ପାଦକ ଭଗବାନ ରାଉତଙ୍କ ଆବାହକତ୍ୱ ଓ ସହ ସମ୍ପାଦକ ଅକ୍ଷୟ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅର୍ବାନ୍ ବ୍ୟାଙ୍କର ସଭାପତି ଦିଲ୍ଲିପ କୁମାର ମହାପାତ୍ର ମୁଖ୍ୟଅତିଥି ଓ ବିଶିଷ୍ଟ ସାହିତ୍ୟିକ ତଥା କବି ରାଜୀବ ପାଣି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟବକ୍ତା ଶ୍ରୀ ପାଣି ତାଙ୍କ ବକ୍ତବ୍ୟରେ କହିଲେ ଯେ ସ୍ବାଧୀନତା ଏକ ଶବ୍ଦ ନୁହେଁ,ଏହା ତ୍ୟାଗ ଓ ପ୍ରେରଣା ର ଉତ୍ସ। ୧୯୪୨ ରେ ଲୁଣିଆ ଓ ଇରମ ଠାରେ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ଶହୀଦଙ୍କ ସ୍ମୃତି ଚାରଣ କରିବା ସହ ସେହି ମାଟିର ଜାତୀୟ କବି ବାଞ୍ଛାନିଧି ମହାନ୍ତି ଓ ବୀରକିଶୋର ଦାସଙ୍କ ରଚିତ କବିତା, ଅସହଯୋଗ ଆନ୍ଦୋଳନର ମୂଳଭିତ୍ତି,ରାଓ ଲାଜ୍ ଆଇନ, ଲବଣ ସତ୍ୟାଗ୍ରହ ସମ୍ପର୍କରେ ଆଲୋଚନା କରିଥିଲେ। ଶହୀଦଙ୍କ ସମ୍ପର୍କରେ ପଠନରେ ନୁହେଁ, ଉତ୍ତର ପିଢ଼ି କିପରି ଦିଗଦର୍ଶନ ପାଇବେ ତାହା ସମସ୍ତଙ୍କ ଧ୍ୟେୟ ହେବା ଦରକାର ବୋଲି ମତ ରଖିଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଇରମ ଗୁଳିକାଣ୍ଡ ଘଟଣାକୁ ଦ୍ବିତୀୟ ଜାଲିଆନାୱାଲାବାଗ ବୋଲି ଅବହିତ କରି ଏ ସମ୍ପର୍କରେ ସରକାର ସମସ୍ତଙ୍କ ଜାଣିବା ପାଇଁ ପ୍ରୟାସ କରିବାକୁ ସେ ଆହ୍ବାନ ଦେଇଥିଲେ। ସଭାପତି ଶ୍ରୀ ବେହେରା ସଭାପତିତ୍ବ ଅଭିଭାଷଣ ସହ ତାଙ୍କ ବକ୍ତବ୍ୟରେ ଦେଶ ପାଇଁ ଯିଏ ପ୍ରାଣବଳି ଦିଏ ତାକୁ ସମସ୍ତେ ମନେ ପକାନ୍ତି,ଆଉ ଯିଏ ଶହୀଦ ନୁହଁନ୍ତି ତାକୁ କେହି ମନେରଖନ୍ତି ନାହିଁ ବୋଲି ମତ ରଖିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ରାଉତ ଶହୀଦ ସ୍ମୃତି ଦିବସ ପାଳନର ଆଭିମୁଖ୍ୟ, ୩୮ ଶହୀଦଙ୍କ ସମ୍ପର୍କରେ ତଥା ଏହି ଉଦ୍ଦେଶ୍ୟରେ ଏକ କବିତା ପାଠ କରିଥିଲେ। ପ୍ରାରମ୍ଭରେ ରାଜକୁମାରୀ ଦେବୀ ସ୍ବାଗତ ସଂଗୀତ ସହ ଶହୀଦଙ୍କ ସମ୍ପର୍କରେ ଏକ ସଂଗୀତ ପରିବେଷଣ କରିଥିଲେ। ଶେଷରେ ବରିଷ୍ଠ ସଦସ୍ୟ ମହେନ୍ଦ୍ର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

Leave A Reply

Your email address will not be published.