କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ହତାଶାକୁ ଦର୍ଶାଉଛି : ବିଜେଡି 

0

ଭୁବନେଶ୍ୱର, – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗ୍ୟାଙ୍ଗଷ୍ଟାର ଟିଟୋର ଭାଇ ସପୋ ଓ ସରୋଜ ସାହୁଙ୍କ ସହ ସମ୍ପର୍କ ଅଭିଯୋଗ ଆଣି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟକୁ ବିଜେଡି ସମାଲୋଚନା କରିଛି । ତାହା ଶ୍ରୀ ପ୍ରଧାନଙ୍କ ନିମ୍ନମାନର ଚିନ୍ତାଧାରା ଓ ହତାଶାକୁ ପଦାରେ ପକାଉଛି ବୋଲି ବିଜୁ ଜନତା ଦଳ ବରିଷ୍ଠ  ନେତା ଶ୍ରୀ ପ୍ରତାପ ଜେନା କହିଛନ୍ତି । 

ସେ କହିଛନ୍ତି ଯେ ଗତକାଲି ଏକ ପ୍ରେସ୍ ଇସ୍ତାହାରରେ ଶ୍ରୀ ପ୍ରଧାନଙ୍କୁ ପ୍ରଶ୍ନ କରିଥିଲେ, ଛତ୍ରପୁର ବିଜେଡି କାଉନସିଲର ଲକ୍ଷ୍ମୀଦତ ପ୍ରଧାନଙ୍କ ହତ୍ୟାକାରୀଙ୍କ ପାଇଁ କିଏ ଉତରାଖଣ୍ଡ ଗେଷ୍ଟ ହାଉସରେ ରୁମ୍ ବୁକ୍ କରିଥିଲା? କେଉଁ ବ୍ୟକ୍ତି ଲକ୍ଷ୍ମୀଦତ ପ୍ରଧାନଙ୍କ ହତ୍ୟାକାଣ୍ଡର ପ୍ରଚ୍ଛଦପଟରେ ରହି ହତ୍ୟାକାରୀମାନଙ୍କୁ ପ୍ରୋତ୍ସାହନ ଏବଂ ପୃଷ୍ଠାପୋଷକତା ଯୋଗାଇଥିଲା?  ତା’ର ଉତର ରଖିବାକୁ ଯାଇ ଶ୍ରୀ ପ୍ରଧାନ ଜଣାଇଛନ୍ତି ଯେ ଯଦି କୌଣସି ସତ୍ୟତା ଅଛି, ତା’ହେଲେ ରାଜ୍ୟ ପୋଲିସ ତାଙ୍କୁ ସମନ କଲେ ସେ ହାଜର ହେବେ । କଥାରେ ଅଛି, ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନାହିଁ । ସେହି ନ୍ୟାୟରେ ଶ୍ରୀ ପ୍ରଧାନଙ୍କୁ  ଅଭିଯୁକ୍ତ ନକହିଥିଲେ ହେଁ ସେ ନିଜକୁ ଦୋଷୀ ବୋଲି ମାନିବା ଓ ତାଙ୍କର ସନେ୍ଦହଜନକ ବିବୃତି ଅନେକ ଜିନିଷ ପଦାରେ ପକାଇଛି । ନକହି ମଧ୍ୟ ଶ୍ରୀ ପ୍ରଧାନ ଅନେକ ବିଷୟ କହିଯାଇଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି । 

ସେହିପରି ମୁଁ କିଛିଦିନ ତଳେ ଗ୍ୟାଙ୍ଗଷ୍ଟର ଟିଟୋ ସହିତ ତାଙ୍କର ସମ୍ପର୍କ ସମ୍ପର୍କରେ ଶ୍ରୀ ପ୍ରଧାନ ସ୍ପଷ୍ଟ କରିବାକୁସେ କହିଥିଲେ । କିନ୍ତୁ ସେ ଆଜି ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ନିଜର ଉତର ନରଖିବା ତାଙ୍କର ଭୟ ଓ ଅସହାୟତାକୁ ଓଡ଼ିଶା ଜନସାଧାରଣଙ୍କ ସମ୍ମୁଖରେ ପରିପ୍ରକାଶ କରୁଛି । ଯେହେତୁ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ବକ୍ତବ୍ୟ ଦେଉ ଦେଉ ପରୋକ୍ଷରେ ଅନେକ ବିଷୟରେ ଉତରାଖଣ୍ଡ ଗେଷ୍ଟ ହାଉସ୍ ବାବଦରେ ପ୍ରକାଶ କରିଛନ୍ତି, ସେହି ଷଡ଼ଯନ୍ତ୍ରର ଗୁମର କେବେ ଶ୍ରୀ ପ୍ରଧାନ ଖୋଲିବେ ତାହା ଓଡ଼ିଶାବାସୀ ଉକ୍ରଣ୍ଠାର ସହିତ ଅପେକ୍ଷା କରିଛନ୍ତି । ଯଦି ସତ୍ ସାହସ ଅଛି, ତେବେ ସେ ସତ କହିବା ଶିଖନ୍ତୁ ବୋଲି ଶ୍ରୀ  ଜେନା କହିଛନ୍ତି ।

 

  

Leave A Reply

Your email address will not be published.