– ରାହୁଳଙ୍କ ପ୍ରତି ବିଜେପିର ଭୟ ବଜେଟରେ ପ୍ରତିଫଳିତ, ମଧ୍ୟବିତଙ୍କୁ ପ୍ରଲୋଭିତ କରିବାକୁ ପ୍ରଚେଷ୍ଟା  : ନିରଂଜନ

0

ଭୁବନେଶ୍ୱର,୦୧ ଫେବୃଆରୀ –  କେନ୍ଦ୍ରର ବିଜେପି ସରକାର ସଂସଦରେ ଆଗତ କରିଥିବା ଅନ୍ତରୀଣ ବଜେଟରେ ନିର୍ବାଚନୀ ବାଧ୍ୟବାଧକତା ପ୍ରତିଫଳିତ ହୋଇଛି । ଗତ ଚାରିବର୍ଷ  ପୂର୍ଣ୍ଣାଙ୍ଗ ବଜେଟରେ ମଧ୍ୟବିତ ଶ୍ରେଣୀକୁ ଚରମ ଅବହେଳା ପ୍ରଦର୍ଶନ କରିଥିବା ନରେନ୍ଦ୍ର ମୋଦିଙ୍କ ସରକାର ଏହି କାମଚଳା ବଜେଟରେ ଆୟକର ଛାଡର ଭେଳିକି ଦେଖାଇ ଏହି ବର୍ଗଙ୍କୁ  ପ୍ରଲୋଭିତ କରିବା  ଉଦ୍ୟମ କରିଥିବା ଓଡ଼ିଶା ପ୍ରଦେଶ  କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

କେନ୍ଦ୍ରର ଅନ୍ତରୀଣ ବଜେଟ ଉପରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, କଂଗ୍ରେସମୁକ୍ତ କରିବାକୁ ଆହ୍ୱାନ ଦେଉଥିବା ମୋଦି ସରକାର ତିନିଟି ରାଜ୍ୟରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସର ବିଜୟକୁ ନେଇ ଆତଙ୍କିତ ହୋଇପଡିଛନ୍ତି । ବିଶେଷଭାବରେ ଏହି ରାଜ୍ୟଗୁଡିକରେ ନିର୍ବାଚନ ପୂର୍ବରୁ କଂଗ୍ରେସ କୃଷକଙ୍କ ପାଇଁ ପ୍ରତିଶ୍ରୁତି ତୁରନ୍ତ ପାଳନ କରିବା ଘଟଣା ବିଜେପିକୁ ହରଡଘଣାରେ ପକାଇ ଦେଇଛି । ଦେଶର ଦରିଦ୍ର, ଅବହେଳିତ ଏବଂ ବେକାରମାନଙ୍କ ପାଇଁ ନିଶ୍ଚିତ ସର୍ବନିମ୍ନ ଆୟ  ବ୍ୟବସ୍ଥା କରିବାକୁ ରାୟପୁର ସଭାରେ ଏଆଇସିସି ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ପ୍ରତିଶ୍ରୁତି ବିଜେପି ମନରେ ଭୟ ସଂଚାର କରିଛି । ତାହା ଏବେ ଉପସ୍ଥାପିତ ଅନ୍ତରୀଣ ବଜେଟରେ ପ୍ରତିଫଳିତ  ହୋଇଛି । ମାସିକ ୧୦୦ ଟଙ୍କା ଜମାରେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ୬୦ ବର୍ଷ ବୟସ ପରେ ମାସିକ  ୩ ହଜାର ଟଙ୍କା ପେନସନ ଯୋଜନା କରିବାକୁ ବଜେଟରେ ଉଲ୍ଲେଖ କରାଯାଇଛି । ହେଲେ ଗତ ଚାରିବର୍ଷ ଧରି ବିଜେପି ସରକାର ଏହି ବର୍ଗଙ୍କ ନିମନ୍ତେ କଣ ଚିନ୍ତା କରୁଥିଲେ ବୋଲି ନିରଂଜନ ପ୍ରଶ୍ନ କରିଛନ୍ତି । 

ସେ କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାୟନ ଘୋଷଣାପରେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା କୋଟି କୋଟି ଲୋକ, ସାଧାରଣ ଗୃହିଣୀ,  ଚାଷୀ, ଛାତ୍ର ରାଜରାସ୍ତାରେ ଲମ୍ବାଧାଡି ଲଗାଇ ଛିଡାହେଲେ । ଯେଉଁ କଳାଧନ ଠାବ କରିବା ଆଳରେ  ମୋଦି ସରକାର ଏଭଳି ଏକ ଆକ୍ରମଣ କଲେ,ତାହା ଶୋଚନୀୟ ଭାବେ ବିଫଳ ହେଲା । ବିମୁଦ୍ରାକରଣ ପରେ ପରେ ତରବରିଆ ଭାବେ ଜିଏସଟି ଲାଗୁ କରାଗଲା । ଏହାଦ୍ୱାରା ହଜାର ହଜାର କ୍ଷୁଦ୍ର ଓ କୁଟୀର ଶିଳ୍ପ ବନ୍ଦ ହୋଇଗଲା । ଲକ୍ଷ ଲକ୍ଷ ଲୋକ କାମଧନ୍ଦା ହରାଇଲେ । ଏବେ ସେମାନଙ୍କୁ ମୋଦି ସରକାର କିଭଳି ସହାୟତା କରିବେ ବୋଲି ନିରଂଜନ ପ୍ରଶ୍ନ  କରିଛନ୍ତି । ସେ ଆହୁରି  ମଧ୍ୟ କହିଛନ୍ତି ଯେ ନିକଟରେ ମୋଦି ସରକାର ନିଯୁକ୍ତି କ୍ଷେତ୍ରରେ ଅସଂରକ୍ଷିତ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ  ବ୍ୟବସ୍ଥା କରିଛନ୍ତି ଏବଂ ସେଥିରେ ବାର୍ଷିକ ୮ ଲକ୍ଷ ଟଙ୍କା ଆୟକାରୀ ପରିବାର ଏହି ସୁବିଧା ପାଇବେ । ତେଣୁ ବାର୍ଷିକ ୮ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଆୟକର ଛାଡସୀମା ବୃଦ୍ଧି କରିବାରେ ଅସୁବିଧା କେଉଁଠି  ଥିଲା ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି । 

ଏହି ଅନ୍ତରୀଣ ବଜେଟରେ କୋଟି କୋଟି ମହିଳା ଓ  ବେକାର ଯୁବଗୋଷ୍ଠୀଙ୍କ ପାଇଁ କୌଣସି  ପଦକ୍ଷେପ ଗ୍ରହଣ କରାନଯିବା ସେମାନଙ୍କ ପାଇଁ ସରକାରଙ୍କ  ସମ୍ବେଦନହୀନତାକୁ ପ୍ରତିଫଳିତ କରୁଛି । ଏହି ଅନ୍ତରୀଣ ବଜେଟ ଦେଶର ବିକାଶମୂଳକ ପରିବର୍ତନର ବାହକ ହେବ ବୋଲି ଅର୍ଥମନ୍ତ୍ରୀ ଯାହା କହିଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ କଥା ବୋଲି ନିରଂଜନ କହିଛନ୍ତି ।

Leave A Reply

Your email address will not be published.