ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା – ନାବାଳକ ଅଭିଯୁକ୍ତ ଗିରଫ

3

କାଶୀପୁର (ରାୟଗଡ଼ା)ରୁ ବୈକୁଣ୍ଠ ଦୁରିଆ:ରାୟଗଡ଼ା ଜିଲ୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଓ ଆକ୍ରମଣ ଘଟଣା ବୃଦ୍ଧି ପାଉଥିବା ସମୟରେ ଆଉଥରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି।
ଗତ ୧୨ ସେପ୍ଟେମ୍ବର (ଶୁକ୍ରବାର) ସନ୍ଧ୍ୟାରେ କାଶୀପୁର ବ୍ଲକ ଦୋରାଗୁଡା ଥାନା ଅଧୀନ ଏକାଡେଲି–କରଲ ଛକ ନିକଟରେ ଜଣେ ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ମୃତକଙ୍କ ପରିଚୟ ଖଗେଶ୍ୱର ମାଣ୍ଡାଙ୍ଗୀ (କାଲିଆମ୍ବ ଗ୍ରାମ, ଦଶମନ୍ତପୁର) ବୋଲି ଚିହ୍ନଟ ହୋଇଛି।
ସୂଚନା ଅନୁସାରେ, ଟିକିରି ଗ୍ରାମରେ ବାଲିଯାତ୍ରା ଚାଲିଥିବା ବେଳେ, ମୃତକ ନିଜ ଅଟୋରେ ଯାଉଥିବା ସମୟରେ ମାଳାଆମ୍ବ ଛକ ନିକଟରେ ଏକ ଧାରୁଆ ଅସ୍ତ୍ର ସହ ତାଙ୍କୁ ବିଭତ୍ସ ଭାବରେ ଗଳାକାଟି ହତ୍ୟା କରାଯାଇଥିଲା।
ଘଟଣା ପରେ ରାୟଗଡ଼ା ଏସଡିପିଓ ଗୌରହରି ସାହୁଙ୍କ ନେତୃତ୍ୱରେ, ଦୋରାଗୁଡା ଆଇଆଇସି କିରଣ ବାଲା ସାମଲ, ଟିକିରି ଆଇଆଇସି ବିଶ୍ୱବନ୍ଦିନି ବାଗ ସହିତ ପୋଲିସ ଟିମ୍ ତିଆରି ହୋଇ ତନାଘନା କାର୍ଯ୍ୟାନୁଷ୍ଠାନ କରାଗଲା। କେବଳ ଗୋଟିଏ ଦିନ ମଧ୍ୟରେ ହତ୍ୟାକାରୀଙ୍କୁ ଧରି ଜୁଭେନାଇଲ ବୋର୍ଡରେ ଦାଖଲ କରାଗଲା।
ଉକ୍ତ ହତ୍ୟାକାଣ୍ଡରେ ଜଡିତ ଥିବା ନାବାଳକ ଅଭିଯୁକ୍ତଙ୍କ ପରିଚୟ – ଚିତ୍ର ମାଣ୍ଡାଙ୍ଗୀ (ବୟସ ୧୬, ମାଳାଆମ୍ବ ଗ୍ରାମ, ଦଶମନ୍ତପୁର)। ସେ ମୃତକଙ୍କ ସମ୍ପର୍କୀୟ ଭାଇ ହେବା ସୂଚନା ମିଳିଛି।
ପୋଲିସ କହିଛି ଯେ, ଗୁଣୀଗାରେଡ଼ି ସମ୍ବନ୍ଧିତ ପୂର୍ବ ବିବାଦର ପରିଣାମରୂପେ ଏହି ହତ୍ୟା କରାଯାଇଛି। ନାବାଳକଙ୍କୁ ଧରି ଭବାନୀପାଟଣା ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।
ପୋଲିସ ତାଙ୍କଠାରୁ ହତ୍ୟାରେ ବ୍ୟବହୃତ ଛୁରୀ ଓ ରକ୍ତମାନ୍ତିତ ପୋଷାକ ଜବତ କରିଛି।
ଏହି ସମ୍ବନ୍ଧରେ ଦୋରାଗୁଡା ଥାନାରେ କେସ୍ ନଂ–୧୨୦, ତାରିଖ ୧୩.୦୯.୨୫, ଧାରା ୧୦୩(୧) ବିଏନ୍‌ଏସ୍ ଅନୁସାରେ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.