-
ପେଟ୍ରୋଲିଂ ବେଳେ ଚକମା ଦେଇ ଫେରାର ହେବାକୁ କରିଥିଲେ ଉଦ୍ୟମ
-
୩ଟି ପିକଅପ ଭ୍ୟାନ ସମେତ ୩ ଜଣ ଚାଳକ ଗିରଫ
ବାରିପଦା/ଦିଲ୍ଲୀପ ମହାନ୍ତି – ଦିନକୁ ଦିନ ବେଆଇନ ଗୋଚାଲାଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ଥିବା ବେଳେ ପୁଣି ବେଆଇନ ଗୋଚାଲାଣ ବେଳେ ୨୪ଟି ଗୋରୁ ଉଦ୍ଧାର ହୋଇଛନ୍ତି। ବାରିପଦା ସହରରେ ବେଆଇନ ଗୋଚାଲାଣକୁ ରୋକିବାରେ ବାରିପଦା ଟାଉନ ଥାନା ପୁଲିସକୁ ସଫଳତା ମିଳିଛି। ଗୋରୁ ଉଦ୍ଧାର କରିବା ସହ ୩ ପିକଅପ ଗାଡି ଓ ୩ଜଣ ଚାଳକକୁ ପୁଲିସ ଗିରଫ କରି ତଦନ୍ତ ଜାରି ରଖିଛନ୍ତି। ଶନିବାର ବିଳମ୍ବିତ ରାତିରେ ବାରିପଦା ଟାଉନ ଥାନା ପୁଲିସ ଦ୍ଵାରା ବାଘରା ରୋଡ ଅଞ୍ଚଳରେ ପେଟ୍ରୋଲିଂ ଜାରି ଥିଲା। ଉକ୍ତ ସମୟରେ ଏକ ପିକଅପ ଗାଡିରେ ବାରିପଦା ପଟକୁ ଶୁଲିଆପଦା ହୋଇ ପଶ୍ଚିମବଙ୍ଗକୁ ଗୋଚାଲାଣ ହେଉଥିବା ନେଇ ପୁଲିସ ବିଶ୍ଵସ୍ଥସୂତ୍ରରୁ ଖବର ମିଳିଥିଲା। ଏହାକୁ ନେଇ ପୁଲିସ ଦ୍ଵାରା ବେଆଇନ ଗୋଚାଲାଣ ପିକଅପ ଗାଡିକୁ ବାଘରା ରୋଡ ଠାରେ ଅଟକାଇବା ପାଇଁ ପ୍ରଚେଷ୍ଟା କରିଥିଲେ। କିନ୍ତୁ ପିକଅପ ଗାଡି ପୁଲିସକୁ ଚକମା ଦେଇ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ ତାହାକୁ ଅଟକାଇ ଯାଞ୍ଚ କରିଥିଲେ। ୩ଟି ପିକଅପ ଡ଼ଲାରେ ୨୪ଗୋଟି ଗୋରୁକୁ ଅମାନବୀୟ ଭାବେ ନେଉଥିବା ବେଳେ ଏନେଇ କୋଣସି କାଗଜପତ୍ର ମଧ୍ୟ ଦେଖାଇ ପାରିନଥିଲେ। ପୁଲିସ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା। ୩ଜଣ ପିକଅପ ଗାଡି ଚାଳକକୁ ବାରିପଦା ଟାଉନ ଥାନା ପୁଲିସ ଗିରଫ କରି ପଚରାଉଚରା ଜାରି ରହିଛି। ତେବେ ଗୋରୁ ଗୁଡ଼ିକ ମୟୂରଭଞ୍ଜ ଜିଲ୍ଲା ଦେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବାର ନେଇ ସନ୍ଦେହ କରାଯାଉଛି। ଏହାର କିଙ୍ଗପିନକୁ ଧରିବାକୁ ପୁଲିସ ପକ୍ଷରୁ ତଦନ୍ତ କରାଯାଉଛି ବୋଲି ଥାନା ଅଧିକାରୀ କରୁଣାକର ରାଉତ କହିଛନ୍ତି। ଉଦ୍ଧାର ଗୋରୁକୁ ଶ୍ୟାମାଖୁଣ୍ଟା ସ୍ଥିତ ଗୋଶାଳାରେ ପଠାଇବା ବ୍ୟବସ୍ଥା କରାଯାଇଛି। ଏହାସହିତ ପିକଅପ୍ ଜବତ କରି ବାରିପଦା ଟାଉନ ଥାନାରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ପଚରାଉଚରା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।