ବିଜେପୁର :-ବିଜେପୁର ବସ୍ଷ୍ଟାଣ୍ଡ ସମ୍ମୁଖରେ ଚାଲୁଥିବା ବିଦେଶୀ ମଦ ଦୋକାନକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି। ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ, ସାଧାରଣ ଯାତ୍ରୀ ଓ ପରିବାର ସହିତ ବସ୍ଷ୍ଟାଣ୍ଡରୁ ଯାତାୟାତ କରୁଥିବା ମହିଳାମାନଙ୍କ ପାଇଁ ଏହି ଦୋକାନର ଉପସ୍ଥିତି ଗୁରୁତର ସମସ୍ୟାରେ ପରିଣତ ହୋଇପଡ଼ିଛି। ଲୋକମାନଙ୍କ କହିବା ଅନୁସାରେ, ବସ୍ଷ୍ଟାଣ୍ଡ ପରିସର ଦିନକୁ ଦିନ ଅବ୍ୟବସ୍ଥିତ ହୋଇଯାଉଛି। ମଦଦୋକାନ ସାମ୍ନାରେ ସର୍ବଦା ଭିଡ଼ ରହୁଥିବା ସହିତ, କେବେ କେବେ ମାତାଲା ଲୋକଙ୍କ କାଣ୍ଡ ଯାତ୍ରୀମାନଙ୍କ ପାଇଁ ଅସଂଜତ ପରିସ୍ଥିତି ସୃଷ୍ଟି କରୁଛି। ପରିବାର ସହିତ ଯାତ୍ରା କରୁଥିବା ଲୋକ ମାନଙ୍କ ପାଇଁ ଏହା ଗୁରୁତର ଅସୁବିଧା ସୃଷ୍ଟି କରୁଥିବାରୁ ଲୋକମାନେ ବାରମ୍ବାର ଅଭିଯୋଗ ଉଠାଇଆସୁଛନ୍ତି। ଏହି ବିଷୟରେ ବରଗଡ଼ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରୁଛନ୍ତି ସଚେତନ ନାଗରିକ। ଆଜି ଜିଲ୍ଲାପାଳ ବିଜେପୁର ଗ୍ରସ୍ତ ଆସି ବିଭିନ୍ନ ଉନ୍ନୟନ ମୂଳକ କାମ ତଦାରଖ କରିଥିଲେ।
ଜିଲ୍ଲାପାଳ କହିଛନ୍ତି “ଲୋକମାନଙ୍କ ଅଭିଯୋଗକୁ ପ୍ରଶାସନ ଗୁରୁତ୍ୱ ସହିତ ନେଇଛି। ବସ୍ଷ୍ଟାଣ୍ଡ ମଦ ଦୋକାନ ରହିବା ଯାତ୍ରୀମାନଙ୍କୁ ଅସୁବିଧା କରୁଥିବାରୁ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଅବକାରୀ ବିଭାଗକୁ ପତ୍ର ପଠାଯାଇଛି।” ସେହିପରି, ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସନତ କୁମାର ଗଡ଼ତୀୟା ମଧ୍ୟ ସାଧାରଣ ଲୋକଙ୍କ ପକ୍ଷରେ ନିଜମତ ପ୍ରକାଶ କରିଛନ୍ତି।
“ସାଧାରଣ ଲୋକଙ୍କ ଅସୁବିଧାକୁ ଅଣଦେଖା କରାଯାଇପାରିବ ନାହିଁ। ଆମେ ଅବକାରୀ ବିଭାଗ ସହିତ ଏହି ବିଷୟରେ ଆଲୋଚନା କରୁଛୁ। ଲୋକମାନଙ୍କ ମତକୁ ସମ୍ମାନ ଦେଇ, ସଠିକ୍ ସ୍ଥାନରେ ମଦ ଦୋକାନକୁ ସ୍ଥାନାନ୍ତର କରିବା ଉଚିତ।”
ବସ୍ଷ୍ଟାଣ୍ଡ ପରିସରରେ ପ୍ରତିଦିନ ସହସ୍ରାଧିକ ଲୋକଙ୍କ ଯାତାୟାତ ହୁଏ। ଏପରି ସ୍ଥାନରେ ମଦ ଦୋକାନ ରହିବା, ସୁରକ୍ଷା ଓ ସାମାଜିକ ଶୃଙ୍ଖଳା ପାଇଁ ଆଶଙ୍କା ସୃଷ୍ଟି କରୁଛି। ପରିବାର, ଛାତ୍ରଛାତ୍ରୀ ଓ ସାଧାରଣ ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖି, ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରଶାସନିକ ସ୍ତରରୁ ଆଶା ଜଣାଯାଇଛି। ମଦ ଦୋକାନକୁ ବସ୍ଷ୍ଟାଣ୍ଡରୁ ସଠିକ୍ ସ୍ଥାନରେ ସ୍ଥାନାନ୍ତର କରାଯାଉ। ସାଧାରଣ ଲୋକଙ୍କ ସୁବିଧା ପ୍ରଥମ ପ୍ରାଥମିକତା ହେବା ଉଚିତ।