ବିଜେପୁରରେ ଅନନ୍ତ ବ୍ରତ ମହୋତ୍ସବ – ଭକ୍ତି, ଆନନ୍ଦ ଓ ସାଂସ୍କୃତିକ ଏକତାର ଉତ୍ସବ

3

ବିଜେପୁର :- ଚଳିତ ବର୍ଷର ଅନନ୍ତ ବ୍ରତ ମହୋତ୍ସବ ସୋମବାର ତୃତୀୟ ଦିନରେ ପହଞ୍ଚିଥିବା ବେଳେ, ବିଜେପୁର ଜମିଦାର ତଥା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତୀୟା ସମସ୍ତ ଆଠଟି ପୂଜାମେଢ଼ରେ ପରିଦର୍ଶନ କରିଥିଲେ।
ହାଇସ୍କୁଲ ପଡ଼ିଆରେ ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତମାନଙ୍କ ଅବିରତ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଭୁ ଅନନ୍ତଙ୍କ ଦର୍ଶନ, ପ୍ରସାଦ ଗ୍ରହଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଆସିଥିଲେ।
ଉଠାଦୋକାନ ଓ ମୀନାବଜାରରେ ଚାଟ, ଗୁପଚୁପ, ଦୋସା, ମଥୁରା କେକ, ପାପଡ଼ ଓ ବିଭିନ୍ନ ଫାଷ୍ଟ ଫୁଡ୍‌ କିଣିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଶିଶୁମାନଙ୍କ ପାଇଁ ରାମଦୋଳୀ, ବ୍ରେକଡାନ୍ସ, ଯାଦୁ ଖେଳ ଓ ଜମ୍ପିଙ୍କ ଭଳି ଆକର୍ଷଣୀୟ କ୍ରିଡ଼ାଗୁଡ଼ିକ ବିଶେଷ ଆକର୍ଷଣ ହୋଇଥିଲା।
ଏହି ବର୍ଷର ମହୋତ୍ସବର ବିଶେଷ ଆକର୍ଷଣ ଥିଲା ବିଜେପୁର ସାମ୍ବାଦିକ ସଂଘର ସଦସ୍ୟମାନଙ୍କୁ ସମ୍ମାନିତ କରାଯିବା। ସଭାପତି ଜିତେନ୍ଦ୍ରୀୟ ମେହେରଙ୍କ ସଂଯୋଜନାରେ ନିରଞ୍ଜନ ତ୍ରିପାଠୀ, ପାଣ୍ଡବ ପଧାନ, ସୁନୀଲ ମିଶ୍ର, ଜନାର୍ଦ୍ଦନ ପାଣିଗ୍ରାହୀ ଓ ପ୍ରାକୃନ ସାମ୍ବାଦିକ ରାଜେଶ୍ବର ବେହେରାଙ୍କୁ ସ୍ମାରକୀ ଓ ଉପହାର ପ୍ରଦାନ କରାଗଲା।
ହାଇସ୍କୁଲ ପଡ଼ିଆରେ ସମନ୍ବୟ କମିଟି ପକ୍ଷରୁ ଆୟୋଜିତ ଜଳନ୍ଧର ଦରବାର ମହୋତ୍ସବରେ ବିଶିଷ୍ଟ କଳାକାର ସୁଶିଲ ମେହେରଙ୍କ ଚିତ୍ତାକର୍ଷକ ଅଭିନୟ ଦର୍ଶକମାନଙ୍କୁ ବିମୋହିତ କରିଦେଇଥିଲା। ହଜାର ହଜାର ଦର୍ଶକ ସେଥିରେ ଯୋଗଦେଇଥିଲେ।
ସୋମବାର ସନ୍ଧ୍ୟାରେ ହିର୍ଲିପାଲିର ବୀର ବଜରଙ୍ଗ ଗଣନାଟ୍ୟ, ଗାନ୍ଧୀପଡାରେ ତପସ୍ବିନୀ ଅପେରା, ମାଳପଡାରେ ବ୍ରଜେଶ୍ବରୀ ନୃତ୍ୟକଳା ପରିଷଦର ନାଟକ ଓ ଭୁଏପଡାରେ ରୁକୁ ସୁନା ଅର୍କେଷ୍ଟ୍ରା ଆୟୋଜନରେ ଲୋକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନୋରଞ୍ଜନ କରିଥିଲେ।
ସ୍ଥାନୀୟ ବିଧାୟକ ତଥା ଜମିଦାର ସନତ କୁମାର ଗଡ଼ତୀୟା ଓ ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଜନସେନା ସମସ୍ତ ପୂଜାମେଢ଼ ବୁଲି ପ୍ରଭୁଙ୍କ ଦର୍ଶନ କରିଥିଲେ।ସେମାନେ ପୂଜା କମିଟି ପକ୍ଷରୁ ଆୟୋଜିତ ଅନ୍ନଭୋଗ ନିଜ ହସ୍ତରେ ଭକ୍ତମାନଙ୍କୁ ବଣ୍ଟନ କରିଥିଲେ।
ଶ୍ରୀମାନ ଗଡ଼ତୀୟା “ଆମ ବିଜେପୁର ଅନନ୍ତ ପୂଜା ସାରା ପଶ୍ଚିମ ଓଡ଼ିଶାରେ ପ୍ରସିଦ୍ଧ। ଆଗାମୀଦିନରେ ଏହାକୁ ରାଜ୍ୟସ୍ତରରେ ପହଞ୍ଚାଇବାକୁ ପ୍ରୟାସ କରିବି।”
ସମନ୍ବୟ କମିଟି ପକ୍ଷରୁ ଅନ୍ନଭୋଗ ବଣ୍ଟନର ସୁବିଧା ଶତାଧିକ ଭକ୍ତ ନେଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ବିଭିନ୍ନ ମେଢ଼ର ସମ୍ମିଳିତ ଭସାଣି ଶୋଭାଯାତ୍ରା ଆୟୋଜିତ ହେବ।
ବିଜେପୁରର ଅନନ୍ତ ବ୍ରତ ମହୋତ୍ସବ କେବଳ ଧାର୍ମିକ ପର୍ବ ନୁହେଁ, ବରଂ ସାମାଜିକ ଏକତା, ସାଂସ୍କୃତିକ ଆନ୍ଦୋଳନ ଓ ସାମୁହିକ ଅସ୍ମିତାର ପ୍ରତୀକ। ଏହି ମହୋତ୍ସବ ବିଜେପୁରକୁ ପୁଣିଥରେ ଓଡ଼ିଶାର ସାଂସ୍କୃତିକ ମାନଚିତ୍ରରେ ଗୌରବମୟ ସ୍ଥାନ ପ୍ରଦାନ କରିଛି।

Leave A Reply

Your email address will not be published.