ବାଳ-ମୁକୁନ୍ଦ କେନ୍ଦ୍ରର ‘ସଂସ୍କାର ଓ ସେବା ସମାବେଶ’

16

ସୁବାଷ ନଗରରେ ହନୁମାନ ଓ ବଟବୃକ୍ଷ ପୂଜନ : ନବ ଜୀବନ ଟ୍ରଷ୍ଟରେ ଦାରିଦ୍ର୍ୟ ଦୂରୀକରଣ ସଂକଳ୍ପ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ , ଗର୍ଭଣା ସଂକ୍ରାନ୍ତି ଓ ପବିତ୍ର ମହାସପ୍ତମୀ ଉପଲକ୍ଷେ ସ୍ଥାନୀୟ ବାଳ-ମୁକୁନ୍ଦ କେନ୍ଦ୍ର ଆନୁକୂଲ୍ୟରେ ଏକ ଆଧ୍ୟାତ୍ମିକ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। କେନ୍ଦ୍ରର ସଂଯୋଜକ ଶ୍ରୀ ନିତ୍ୟାନନ୍ଦ ଚୌଧୁରୀଙ୍କ ସଂଯୋଜନାରେ ଆୟୋଜିତ ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମରେ ପରିବେଶ , ଶ୍ରମ ମର୍ଯ୍ୟାଦା ଓ ଚରିତ୍ର ନିର୍ମାଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
​ପ୍ରଥମେ ପୂର୍ବାହ୍ନରେ ଝାଡୁଦାର କଲୋନୀ (ସୁବାଷ ନଗର) ଠାରେ ଶ୍ରଦ୍ଧାର ସହ ଶ୍ରୀ ହନୁମାନ ପୂଜନ ସହ ପବିତ୍ର ବରଗଛ ପୂଜା ଅନୁଷ୍ଠିତ ହୋଇଥିଲା। ଶ୍ରମିକ ଓ ସଫେଇ କର୍ମଚାରୀଙ୍କ ସେବା ମନୋଭାବ ତଥା ପ୍ରକୃତିର ସୁରକ୍ଷା ହିଁ ସମାଜର ମୂଳଦୁଆ ବୋଲି ଏହି ଅବସରରେ ବକ୍ତାମାନେ ମତ ରଖିଥିଲେ।
​ପରେ ମଧ୍ୟାହ୍ନରେ ‘ନବ ଜୀବନ ଟ୍ରଷ୍ଟ’ ପରିସରରେ ଆୟୋଜିତ ବିଶେଷ ସଭାରେ ମହାତ୍ମା ଗାନ୍ଧୀ ଓ ସ୍ୱାମୀ ବିବେକାନନ୍ଦଙ୍କ ‘ଦରିଦ୍ର ନାରାୟଣ ସେବା’ ଆଦର୍ଶ ଉପରେ ଚର୍ଚ୍ଚା କରାଯାଇଥିଲା। ଶ୍ରୀ ଚୌଧୁରୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆର୍ଥିକ ଅଭାବ ଅପେକ୍ଷା ମନର ନକାରାତ୍ମକତା ଓ ଭୟ ହିଁ ଅସଲ ଦାରିଦ୍ର୍ୟ। କାଳିଆ ସାଆନ୍ତଙ୍କ ଶରଣାଗତି ଓ ଆତ୍ମବିଶ୍ୱାସ ମାଧ୍ୟମରେ ହିଁ ମନର ଅନ୍ଧକାର ବିଲୋପ ହୋଇପାରିବ।
​ଅପରପକ୍ଷେ ଗର୍ଭଣା ସଂକ୍ରାନ୍ତି ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ, କ୍ଷେତରେ ଧାନଗଛର ଗର୍ଭଧାରଣ ସମୟରେ କୃଷକ ସ୍ନେହରେ ସାଧ ଭୋଜନ ଅର୍ପଣ କରେ। ସମାଜ ଯଦି କୃଷକର ଶ୍ରମକୁ ମର୍ଯ୍ୟାଦା ଦେବ ଏବଂ ଅନ୍ନର ଗୋଟିଏ ବି କଣିକା ଅପଚୟ କରିବ ନାହିଁ, ତେବେ ଦାରିଦ୍ର୍ୟ ଓ ଭୋକର ସ୍ଥାୟୀ ନିରାକରଣ ସମ୍ଭବ ହୋଇପାରିବ।
​ସଭା ଶେଷରେ ଉପସ୍ଥିତ ସମସ୍ତ ଅନ୍ତେବାସୀ ଏକସ୍ୱରରେ ସଂକଳ୍ପ ପାଠ କରିଥିଲେ : ​”କାଳିଆ ସାଆନ୍ତେ ରଖି ବିଶ୍ୱାସ , ମନରୁ ହଟାଇବୁ ଭୟ-ନୈରାଶ ; ଗାନ୍ଧୀ-ବିବେକାନନ୍ଦ ପଥ ଧରି , ସେବିବୁ ଦୀନ-ଦୁଃଖୀଙ୍କୁ ଆଦରି।
ଗର୍ଭଣା ପର୍ବର ରଖି ମାନ , ଅନ୍ନର ନକରିବୁ ଅପମାନ ;
ସାହସୀ ମନେ ଗଢ଼ିବୁ କାୟା, ସଦା ଥାଉ ଜଗନ୍ନାଥଙ୍କ ଛାୟା।”
​ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର କର୍ମକର୍ତ୍ତା ଓ ଶିକ୍ଷାର୍ଥୀ ଓ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ସକ୍ରିୟ ଯୋଗଦାନ କରିଥିଲେ।

Leave A Reply

Your email address will not be published.