ଓଡଗାଁ,୧।୯(ଶ୍ରୀକାନ୍ତ କୁମାର ମିଶ୍ର ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବସଷ୍ଟାଣ୍ଡ ଗଣେଶ ମନ୍ଦିର ସାମନାରେ ଗଣେଶ ପୂଜା ଉପଲକ୍ଷେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ଆକଟ କରିବାକୁ ଉଦ୍ୟମ କରୁଥିବା ଓଡ଼ଗାଁ ଏନ୍ଏସି ପାଇକ ସାହିର ପିଣ୍ଟୁ ନାୟକଙ୍କୁ ମରଣାନ୍ତକ ଆକ୍ରମଣର ଘଟଣାର ୫ଜଣ ଅଭିଯୁକ୍ତଙ୍କୁ ଓଡ଼ଗାଁ ପୋଲିସ ଗିରଫ କରି ସେମାନଙ୍କ ଠାରୁ କଟୁରୀ, ଚାପଡ଼ା, ପନିକି ମାରଣାସ୍ତ୍ର ଜବତ କରିବା ପରେ ସୋମବାର କୋର୍ଟ ଚାଲାଣ କରିଥିଲେ। ଜାମିନ୍ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ମାନେ ହେଲେ ଓଡ଼ଗାଁ ବୈଦେହୀଶ ପାଠାଗାର ରାମ ସାଗର ରୋଡ ସାହି ବିଜୟ ବେହେରା(୪୭), ବିକାଶ ବେହେରା(୨୬), ଆକାଶ ବେହେରା(୧୮), ଟୁନା ଓରଫ୍ କୃଷ୍ଣ ଚନ୍ଦ୍ର ବେହେରା(୫୦), ଧିରେନ ବେହେରା(୨୫)। ଘଟଣାର ତଦନ୍ତ ବେଳେ ଅନ୍ୟତମ ଅଭିଯୁକ୍ତ ଲକ୍ଷ୍ମୀ ବେହେରାଙ୍କ ନାମ ବାଦ୍ ଦିଆଯାଇଥିଲା । ଓଡ଼ଗାଁ ଗଣେଶ ବଜାରରେ ଗଣେଶ ପୂଜା ଉପଲକ୍ଷେ ଗଣେଶଙ୍କ ମନ୍ଦିର ସାମନାରେ ମେଲୋଡ଼ି ପ୍ରୋଗ୍ରାମ ଚାଲିଥିଲା ବେଳେ ଆକାଶ ବେହେରା ମଞ୍ଚ ଉପରକୁ ଉଠିବାକୁ ଉଦ୍ୟମ କରିଥିଲେ । ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ଥିବା ପିଣ୍ଟୁ ନାୟକ ଆକାଶକୁ ଅଟକାଇଥିଲା । ଆକାଶ ଉତ୍ୟକ୍ତ ହୋଇ ପିଣ୍ଟୁକୁ ଚାପୁଡ଼ା ମାରିଥିଲ। ପୋଲିସ୍ ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । କାର୍ଯ୍ୟକ୍ରମ ସରିବା ପରେ ପିଣ୍ଟୁ ଯାଇ ଆକାଶର ଘର ସାମନାରେ ପାଟିତୁଣ୍ଡ କରିଥିଲା । ସେତିକି ବେଳେ ଆକାଶ ସହିତ ତା’ର ପରିବାର ଲୋକେ ମିଳିତ ଭାବେ ପିଣ୍ଟୁକୁ ଆକ୍ରମଣ କରିଥିଲେ। ମାରଣାସ୍ତ୍ର ଚୋଟରେ ପିଣ୍ଟୁ ମୁଣ୍ଡର ୩ଟି ସ୍ଥାନରେ ଗଭୀର ଆଘାତ ହୋଇଥିଲା । ଗୁରୁତର ଅବସ୍ଥାରେ ତାକୁ ଓଡ଼ଗାଁ, ନୟାଗଡ଼, ଭୁବନେଶ୍ବର ପରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏବେବି ପିଣ୍ଟୁର ସ୍ବାସ୍ଥ୍ୟ ଉଦବେଗ ଜନକ ରହିଛି ବୋଲି ଓଡ଼ଗାଁ ଥାନା ତଦନ୍ତକାରୀ ସବ୍ ଇନ୍ସପେକ୍ଟର ଚକ୍ରଧର ସିଂହଙ୍କ ଠାରୁ ପ୍ରକାଶ ।