କେନ୍ଦୁଝର, ଅଗଷ୍ଟ ୨୯,:ଜିଲ୍ଲା ପ୍ରଶାସନ କେନ୍ଦୁଝର ପକ୍ଷରୁ ଆଜି କେନ୍ଦୁଝର ହ୍ୟାଣ୍ଡବଲ୍ ଗ୍ରାଉଣ୍ଡରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କ୍ରୀଡ଼ାକୁ ଜୀବନରେ ସଫଳତା ପାଇବାକୁ ଏକ ଉପାୟ ଭାବରେ ଗ୍ରହଣ କରିବାକୁ ଖେଳାଳି ଏବଂ ଉପସ୍ଥିତ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ।
ଉତ୍ସବର ଏକ ଅଂଶ ଭାବରେ, ଏକ ପ୍ରଦର୍ଶନୀ ହ୍ୟାଣ୍ଡବଲ୍ ମ୍ୟାଚ୍ ଆୟୋଜନ କରାଯାଇଥିଲା, ଯେଉଁଥିରେ ଦର୍ଶକଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ପ୍ରାରମ୍ଭରେ ହକି ଯାଦୁକର ମେଜର ଧ୍ୟାନ ଚାନ୍ଦଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅଂଶଗ୍ରହଣକାରୀ, ଅଧିକାରୀ ଏବଂ ଖେଳାଳିମାନେ ମଧ୍ୟ ଶୃଙ୍ଖଳା, ଦଳଗତ କାର୍ଯ୍ୟ ଏବଂ କ୍ରୀଡା ମନୋଭାବ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଅକ୍ଷୁଣ୍ଣ ରଖିବା ପାଇଁ କ୍ରୀଡା ପ୍ରତିଜ୍ଞା ଗ୍ରହଣ କରିଥିଲେ।
ଏହି ଅବସରରେ ନିଜ ଅଭିଭାଷଣରେ ଜିଲ୍ଲାପାଳ ଶ୍ରୀ ସିଂହ କେନ୍ଦୁଝରରେ କ୍ରୀଡା ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଉଦୀୟମାନ ପ୍ରତିଭାଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ଉପରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ସେ ପ୍ରଦର୍ଶନୀ ମ୍ୟାଚ୍ ସମୟରେ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବା ସହ ମେଜର ଧ୍ୟାନ ଚାନ୍ଦଙ୍କ ଭଳି କିମ୍ବଦନ୍ତୀଙ୍କଠାରୁ ପ୍ରେରଣା ନେବାକୁ ଅନୁରୋଧ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ, ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ସରୋଜ କୁମାର ମଲ୍ଲିକ, କ୍ରୀଡ଼ା ପ୍ରଶିକ୍ଷକ ଜିତେନ୍ଦ୍ର ମହାକୁଡ଼ଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡାବିତ୍, ଶିକ୍ଷକ ଏବଂ ଅଧିକାରୀଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।
Sign in
Sign in
Recover your password.
A password will be e-mailed to you.