କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ଡେରାବିଶ ତହସିଲ ଅନ୍ତର୍ଗତ ବାଲିଆ ପଞ୍ଚାୟତର ଜାଗୁଳାଇପଡା ଅଞ୍ଚଳରେ କୁକୁଡ଼ା ମଡ଼କ ସୃଷ୍ଟି ହୋଇଛି। ଅଚାନକ କୁକୁଡ଼ା ମରିବା ଆରମ୍ଭ ହେବାରୁ ସ୍ଥାନୀୟ କୁକୁଡ଼ା ଚାଷୀ ମୁଣ୍ଡରେ ହାତ ଦେଲେଣି। କୁକୁଡ଼ା ଚାଷୀଙ୍କ ଫାର୍ମରେ ଦିନକୁ ଦଶରୁ କୋଡ଼ିଏ କୁକୁଡ଼ା ମୃତ୍ୟୁବରଣ କରୁ ଥିବାରୁ ଚାଷୀମାନେ ଅର୍ଥନୈତିକ ହାନିରେ ପଡ଼ିଛନ୍ତି। ଜାଗୁଳାଇ ପଡା ଅଞ୍ଚଳରୁ ପ୍ରଥମେ କୁକୁଡ଼ା ମଡ଼କ ଆରମ୍ଭ ହୋଇ ଆଖ ପାଖ ଗାଁ ଜସୋର, ରଘୁଦଦାସ ପୁର,ବାଲିଆ, ବିଭୂତିପଡା ସମେତ ସମଗ୍ର କେନ୍ଦ୍ରାପଡ଼ା ଅଞ୍ଚଳକୁ ବ୍ୟାପିବାରେ ଲାଗିଲାଣି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। “ଗୋଟେ ପଟେ ଆର୍ଥିକ ସଂକଟ, ତା’ପରେ ଏହି ମଡ଼କ। କେମିତି ପରିବାର ଚଳାଇବୁ କହିଛନ୍ତି କୁକୁଡ଼ା ଚାଷୀ।ଗତ କିଛିଦିନ ପୂର୍ବରୁ ପଶୁଚିକିତ୍ସା ବିଭାଗର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି କୁକୁଡ଼ା ମୃତ୍ୟୁର ନମୁନା ସଂଗ୍ରହ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର ରିପୋର୍ଟ ଆସି ପାରିଲା ନାହିଁ।ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। କିଛି ସରକାରୀ ସହାୟତା ପାଇ ନୂଆ କରି ଆରମ୍ଭ କରିଥିବା ଜାଗୁଳାଇ ପଡ଼ାର ଜଣେ କୁକୁଡା ଚାଷୀ ସରୋଜ ଭଦ୍ରଙ୍କ ଆଜି ୩୦୦ରୁ ଉର୍ଦ୍ଧ୍ବ କୁକୁଡ଼ା ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଦେଖି ସମ୍ପୂର୍ଣ ଭାବେ ଭାଙ୍ଗି ପଡିଛନ୍ତି।ସୁରଟ ଫେରନ୍ତା ସରୋଜ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମାନେ ସ୍ବାବଲମ୍ବୀ ହେବା କଥା ଚିନ୍ତା କରିଥିବା ବ୍ୟକ୍ତି ଜଣକ ଆଜି ଅସହାୟ ପରିସ୍ଥିତିରେ।ତାଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି।ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିବା ସରୋଜ ଆଜି ଆତ୍ମହତ୍ୟା କଥା ଚିନ୍ତା କରୁଛନ୍ତି।ଚାଷୀ ମାନେ ସ୍ବାବଲମ୍ବୀ ହେବା ନେଇ ସରକାରୀ ସ୍ତରରେ ଅନେକ ଯୋଜନା ପ୍ରସ୍ତୁତ କରାଯାଉଛି ।କିନ୍ତୁ କେନ୍ଦ୍ରାପଡ଼ା ପ୍ରାଣୀ ଚିକିତ୍ସା ବିଭାଗର ଏହି ଖାମ ଖିଆଲି ନୀତି ପାଇଁ କୁକୁଡା ଚାଷୀ ମାନେ ସର୍ବସ୍ବ ହରାଇବା ନେଇ ଅଭିଯୋଗ ହୋଇଛି।
କୁକୁଡ଼ା ମଡ଼କ କାହିଁକି ଘଟୁଛି ତାହା ନିଶ୍ଚିତ କରିବାକୁ ୭ ଦିନ ସମୟ ନେଇ ଥିବା ଏହି ବିଭାଗୀୟ ଅଧିକାରୀ ମାନେ ଆଜି କୁମ୍ଭକର୍ଣ୍ଣ ନିଦ୍ରାରେ । କୁକୁଡ଼ା ଗୁଡ଼ିକୁ ଗାଁରୁ ବାହାରକୁ ବିକ୍ରୟ ନକରିବା ପାଇଁ ପରାମର୍ଶ ଦେଇ କୌଣସି ପ୍ରତିଷେଧକ ବ୍ୟବସ୍ଥା ନକରି ଥିବାରୁ ଶତାଧିକ କୁକୁଡ଼ା ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜିଲ୍ଲାରେ ପ୍ରାୟ ସହସ୍ରାଧିକ ଲୋକ କୁକୁଡ଼ା ଚାଷ ଉପରେ ନିର୍ଭରଶୀଳ। ଏହି ମଡ଼କ ଯଦି ଅଧିକାଞ୍ଚଳକୁ ବ୍ୟାପିଯାଏ, ତେବେ କୋଟି କୋଟି ଟଙ୍କାର ହାନି ଘଟିବା ସହିତ ଚାଷୀମାନେ ଋଣର ଜାଲରେ ଫସିବେ ବୋଲି ଆଶଙ୍କା କରାଯାଉଛି। ସରକାର ଏଥି ପ୍ରତି ଦୃଷ୍ଟିଦେଇ ତୁରନ୍ତ ପଦକ୍ଷେପ ନେବା ସହିତ ଆର୍ଥିକ ସାହାଯ୍ୟ ଓ ଔଷଧ ପ୍ରଦାନ କରିବା ପାଇଁ ଶତାଧିକ କୁକୁଡ଼ା ଚାଷୀ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post