ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯୪ତମ ଜୟନ୍ତୀ ଉତ୍ସବ ପାଳିତ

4

https://youtu.be/b9VSKhATZoM

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନଗର ଭବନ (ଟାଉନ୍‌ହଲ୍) ଠାରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡ଼ିଶା ସଂଗୀତ ନାଟକ ଏକାଡେମୀ , ଭୁବନେଶ୍ବର ଏବଂ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ , ପାରଳାଖେମୁଣ୍ଡିର ମିଳିତ ସ‌ହ‌ଯୋଗରେ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯୪ତମ ଜୟନ୍ତୀ ଉତ୍ସବ ମହା ଆଡମ୍ୱର ରେ ପାଳନ କରାଯାଇଛି।

ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ହେମେନ୍ଦ୍ର ହନାଗା ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ତଥା ସଦସ୍ୟ ପଣ୍ଡିତ ରଘୁନାଥ ପାତ୍ର , ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରୀ ମଞ୍ଚାସୀନ ରହି ସଂଗୀତ ସୁରମଣି ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଏକାଧାରାରେ ଜଣେ ସୁଦକ୍ଷ ଶାସ୍ତ୍ରୀୟ ସଂଗୀତ କଣ୍ଠଶିଳ୍ପୀ ତ‌ଥା ସଂଗୀତ ନିର୍ଦ୍ଦେଶକ ଭାବେ ବେଶ ପରିଚିତ। ୧୦ ଅଗଷ୍ଟ ୧୯୩୨ରେ ଗୁଣପୁର ଠାରେ ଜନ୍ମ ଗ୍ରହଣ କରିଥିବା ରଘୁନାଥ ପିଲାଟି ବେଳ ରୁ ହିଁ ପିତା ପଣ୍ଡିତ ନୀଳମଣି ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ ବିଜୟନଗର ସଂଗୀତ ମହାବିଦ୍ୟାଳୟର ତତ୍କାଳୀନ ଅଧ୍ଯକ୍ଷ ଦ୍ବାରମ୍ ଭେଙ୍କଟସ୍ବାମୀ ନାଇଡୁ , ପଣ୍ଡିତ ନରସିଂହ ଶର୍ମା ଓ ପଣ୍ଡିତ ବିଶ୍ବନାଥ ଦାଶ ଭଳି ମହାନ ଗୁରୁଙ୍କ ଠାରୁ ସଂଗୀତ ଶିକ୍ଷା କରିଥିଲେ।
ସେ କେବଳ ଓଡିଆ ନୁହେଁ , ତେଲୁଗୁ , ତାମିଲ , କନ୍ନଡ ଭାଷାର ଅନେକ ଚଳଚ୍ଚିତ୍ରରେ ମଧ୍ୟ ସେ କଣ୍ଠ ଦାନ କରି ବେଶ ସୁନାମ ଅର୍ଜନ କରିଛନ୍ତି । ବିଶେଷ କରି ନିଜ ଶୈଳୀରେ ‘ଗୀତ ଗୋବିନ୍ଦ’ ଗାୟନ କରି ସେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଧର୍ମପତ୍ନୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଓଡିଶୀ ନୃତ୍ୟରେ ରଘୁନାଥଙ୍କ ଗାୟନ ଦେଶ ବିଦେଶରେ ସ୍ବତନ୍ତ୍ର ଛାପ ସୃଷ୍ଟି କରିଥିଲା।
ସେ ଗୁଣପୁରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କ ସଂଗୀତ ସାଧନା ପାରଳାଖେମୁଣ୍ଡିର ବିଭିନ୍ନ ସଂଗୀତ ବିଦ୍ବାନଙ୍କ ସଂଗତରେ ହୋଇଥିଲା।
ବିଶିଷ୍ଟ ବୀଣାବାଦକ ତ‌ଥା କଣ୍ଠଶିଳ୍ପୀ ପଣ୍ଡିତ ତୁଳସୀ ଦାଶ , ସୁଦକ୍ଷ ବୀଣାବାଦକ ପଣ୍ଡିତ ଭକ୍ତ ବତ୍ସଳ ପାତ୍ର , ପଣ୍ଡିତ ଅନନ୍ତ ଚରଣ ପାତ୍ର , ବେହେଲା ବାଦକ ଗୁରୁ ଡି.ସୁରିନାରାୟଣା ଏବଂ ଓଡିଶୀ କଣ୍ଠଶିଳ୍ପୀ ନାରାୟଣ ବେହେରା ପ୍ରମୁଖଙ୍କ ସହ ସେ ଦୀର୍ଘ ସମୟ ଧରି ସଂଗୀତ ସାଧନା କରିବାର ସୁଯୋଗ ପାଇଥିଲେ।
ଗୀତ ଗୋବିନ୍ଦ ପାଣିଗ୍ରାହୀ ଭାବେ ପରିଚିତ ପଣ୍ଡିତ ରଘୁନାଥ ପ୍ରଥମ ଓଡିଆ ଗାୟକ ଯିଏ ଫ୍ରାନ୍ସ ସରକାରଙ୍କ ଦ୍ବାରା ୧୯୮୨ ମସିହାରେ ଗ୍ରାଣ୍ଡ ପ୍ରିକ୍ସ ଆୱାର୍ଡ଼ରେ ସମ୍ମାନୀତ ହୋଇଥିଲେ। ଗୀତ ଗୋବିନ୍ଦ ଗାୟନ ପାଇଁ ୧୯୬୮ ମସିହାରେ ସୁରମଣି ସମ୍ମାନ , ୨୦୦୮ ମସିହାରେ ରାଜ୍ୟ ସରକାରଙ୍କ ଦ୍ବାରା ଜୟଦେବ ସମ୍ମାନ ଏବଂ ୨୦୧୦ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ବୋଲି କହିଥିଲେ।
ଉକ୍ତ ସାଂସ୍କୃତିକ ସଭାରେ ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ଵ କରିଥିବା ବେଳେ ମଞ୍ଚ ଶିଳ୍ପୀ ଆଦର୍ଶ ଦାସ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।
ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆକାଶବାଣୀ ଓ ଦୂରଦର୍ଶନ ସ୍ବୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ଡ଼.ଚନ୍ଦନ ଗନ୍ତାୟତଙ୍କ ନେତୃତ୍ୱରେ ଆକାଶବାଣୀ ର କଳାକାର ମାନେ ଯଥା – ଶର୍ମିଳା ସାମନ୍ତରା , ଆଶୁତୋଷ ମିଶ୍ର , ଅଞ୍ଜଳି ପାତ୍ର ଓ ଅମୃତା ପୁରୋହିତ ପଣ୍ଡିତ ରଘୁନାଥଙ୍କ ସଙ୍ଗୀତ ଗାନ କରିଥିଲେ। ସଂଗୀତ କାର୍ଯ୍ୟକ୍ରମ ପରେ ପଦାମୃତ ନୃତ୍ୟାୟନ ଓ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର ଅନୁଷ୍ଠାନ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।

Leave A Reply

Your email address will not be published.