ଜାନୁଆରୀ ୨୬ ପାଳିତ ହେଉଛି ସ୍ୱାଧୀନତା ଦିବସ ଭାବେ

0

କଟକ-ଜାନୁଆରୀ ୨୬କୁ ସାଧାରଣତନ୍ତ୍ର ଦିବସ ଭାବେ ସାରା ଦେଶ ପାଳନ କରୁଥିବା ବେଳେ ସ୍ୱାଧୀନତା ସଂଗ୍ରାମର ଏକ ଗୌରବାବହ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ କଟକ କାଠଯୋଡ଼ି ତଟବର୍ତ୍ତୀ ବାଖରାବାଦର ଚୌଧୁରୀ କୋଠିରେ କିନ୍ତୁ ଏହି ଦିନକୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଏ । ଦେଶ ସ୍ୱାଧୀନ ହେବାର ୭୧ ବର୍ଷ ପୂରଣ ହୋଇଥିବା ବେଳେ ଚୌଧୁରୀ କୋଠିରେ କିନ୍ତୁ ୮୯ ବର୍ଷ ଧରି ଏହି ନିଆରା ସ୍ୱାଧୀନତା ଦିବସ ପାଳିତ ହୋଇଆସୁଛି । 

ଇତିହାସର ତଥ୍ୟ ମୁତାବକ ୧୯୨୮ ଡିସେମ୍ବର ୩୧ କଲିକତା କଂଗ୍ରେସ ଅଧିବେସନରେ ଗୃହୀତ ପ୍ରସ୍ତାବରେ ବର୍ଷକ ମଧ୍ୟରେ ସ୍ୱାଧୀନତା ଦେବାକୁ ଦାବି ହୋଇଥିଲା । ବଡଲାଟ ଅନୌପଚାରିକ ଭାବେ ଏହି ଦାବି ପ୍ରତି ସହାନୁଭୂତି ପ୍ରକାଶ କରିଥିଲେ ମଧ୍ୟ କୌଣସି ଲିଖିତ ଘୋଷଣା କରିନଥିଲେ । ତେଣୁ ୧୯୨୯ ଡିସେମ୍ବର ୩୧ ମଧ୍ୟ ରାତ୍ରିରେ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ବଳିଦାନର ପୀଠ ଲାହୋରରେ ଆରମ୍ଭ ହୋଇଥିବା କଂଗ୍ରେସ ଅଧିବେଶନ କାଳରେ ଭାରତବାସୀ ଜାନୁଆରୀ ୨୪କୁ ପୂର୍ଣ୍ଣ ସ୍ୱରାଜ ବା ସ୍ୱାଧୀନତା ଦିବସ ଭାବେ ପାଳନ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏହି ସମ୍ମିଳନୀ ଅବସରରେ ଗାନ୍ଧୀଜୀ ଲାହୋରର ଗୋଲବାଗଠାରେ ଲାଲା ଲାଜପତ ରାୟ ମେମୋରିଆଲ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । 

ଜାନୁଆରୀ ୨୬ରେ ଦେଶବାସୀ ଚରଖା ଚିହ୍ନିତ ତ୍ରିରଙ୍ଗା ଝଣ୍ଡା ଉଡ଼ାଇ ସ୍ୱାଧୀନତା ଦିବସ ପ୍ରତିପାଳନ ବେଳେ ନିଜ ହକ୍ ସାବ୍ୟସ୍ତ ପାଇଁ ଯେଉଁ ଶପଥପାଠ କରିବାକୁ ସ୍ଥିର ହୋଇଥିଲା ତାହାର ଚିଠା ପ୍ରସ୍ତୁତ କରିଥିଲେ ଖୋଦ୍ ମହାତ୍ମାଗାନ୍ଧୀ । ଏହାର ଓଡ଼ିଆ ଅନୁବାଦ କରିଥିଲେ ପୂଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀ । 

ଏହି ଦୀର୍ଘ ଶପଥପତ୍ରର ଅନ୍ତିମ ଭାଗରେ ଉଲ୍ଲେଖ କରାଯାଇଥିଲା ଯେ ଦେଶବାସୀଙ୍କର ବିଶ୍ୱାସ ଯଦି ସେମାନେ ଏହି ଅମଣିଷ ସରକାର ସହିତ ସହଯୋଗ ନ କରିବେ ଏବଂ ସରକାରକୁ ଖଜଣା, ଟିକସ ଆଦି ଦେବା ବନ୍ଦ କରିବେ ଏବଂ ଯେତେ ଉତ୍ତେଜିତ କରାଗଲେ ବି ହିଂସାଚରଣ କରିବେ ନାହିଁ ତେବେ ବ୍ରିଟିଶ୍ ସରକାରର ନିଶ୍ଚୟ ପତନ ଘଟିବ । ଭାରତରେ ଗ୍ରାମ ସ୍ୱରାଜ, ନିଶା ନିବାରଣ, କୃଷି, ଖଦି, ଗ୍ରାମ୍ୟ ଶିଳ୍ପ, ସ୍ୱଦେଶୀ, ସ୍ୱବଲମ୍ବନ, ମାତୃଭାଷାର ସୁରକ୍ଷା, ସବୁ ହାତକୁ କାମ ଆଦି ବିଭିନ୍ନ ପ୍ରସଙ୍ଗରେ ବି ଏଥିରେ ଉଲ୍ଲେଖ ଥିଲା । 

ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ମହାନଗରୀ କଟକରେ ୧୯୩୦ ଜାନୁଆରୀ ୨୬ ସକାଳେ କାଠଗଡ଼ା ସାହିରେ ଥିବା ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ରାଜକୃଷ୍ଣ ବୋଷଙ୍କ ଲୋକସେବା ପ୍ରେସ୍ ନିକଟରେ ପତାକା ଉତ୍ତୋଳନ ସହ ଉପରବେଳା କଟକର ମୁନିସିପାଲିଟି  ପଡ଼ିଆରେ ଗଣସଂକଳ୍ପ ସମାବେଶ ଅନୁଷ୍ଠିତ  ହେବାର ଥିଲା । ତେବେ ଆତଙ୍କିତ ପ୍ରଶାସନ ହଠାତ୍ ୧୪୪ ଧାରା ଜାରି କରିବାରୁ ସନ୍ସାଇନ୍ ପଡ଼ିଆ ନିକଟବର୍ତ୍ତୀ ଗୋପବନ୍ଧୁ ଚୌଧୁରୀଙ୍କ ବାସଭବନ ହତାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇ ହଜାର ହଜାର ଲୋକ ଶପଥ ପାଠ କରିଥିଲେ । ଗୋପବନ୍ଧୁ ଚୌଧୁରୀ ଓଡ଼ିଆରେ ସେଦିନ ସ୍ୱାଧୀନତାର ସଂକଳ୍ପ ପାଠ କରାଇଥିଲେ । ସ୍ୱାଧୀନତା ଆନ୍ଦୋଳନ, ଭୂ-ଦାନ ଆନ୍ଦୋଳନ , ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ ସମେତ ସେବା ଓ ତ୍ୟାଗର  ମୁକସାକ୍ଷୀ ଚୌଧୁରୀ କୋଠିରେ ୧୯୩୦ ଜାନୁଆରୀ ୨୬କୁ ଏଯାବତ୍ ପତାକା ଉତ୍ତୋଳନ ସହ ସ୍ୱାଧୀନତା ଦିବସ ପାଳନ କରାଯାଏ ବୋଲି ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ପୂର୍ବତନ ସଭାପତି ପ୍ରହଲାଦ ସିଂହଙ୍କ ଠାରୁ ପ୍ରକାଶ ।

Leave A Reply

Your email address will not be published.