ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ସ୍ବାମୀଙ୍କ ଅକାଳ ମୃତ୍ୟୁ ପରେ ସ୍ତ୍ରୀଙ୍କୁ ମିଳିଲା ୨ଲକ୍ଷ ଟଙ୍କା

0 2

ଓଡ଼ଗାଁ,୧୭।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ନୂଆଗାଁ ବ୍ଳକ ଗୁମୀ ପଞ୍ଚାୟତ କଲିଆ ନିକଟ ରାଣୀଗମା ଗାଁର ଅନୁସୂଚିତ ଜନଜାତି ମହିଳାଙ୍କୁ ଷ୍ଟେଟ୍ ବ୍ୟାଙ୍କ୍ ଓଡ଼ଗାଁ ଶାଖା ପରିଚାଳକ ଲକ୍ଷ୍ମୀଧର ସୁବୁଦ୍ଧି ୨ ଲକ୍ଷ୍ୟ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ସ୍ବାମୀ ଲୋକନାଥ ପ୍ରଧାନଙ୍କ ମୃତ୍ୟୁର ୨୦ ମାସ ପରେ ସ୍ବାମୀଙ୍କ ଜମା ଖାତାରେ ଥିବା ଜମା ଅର୍ଥ ଉଠାଣ କରି ଖାତା ବନ୍ଦ କରିବାକୁ ସ୍ତ୍ରୀ ନୟନୀ ଷ୍ଟେଟ୍ ବ୍ୟାଙ୍କ୍ ଓଡ଼ଗାଁ ଶାଖାକୁ ଆସିଥିଲେ । ଟଙ୍କା ଉଠାଣ ବେଳେ ସ୍ବାମୀ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୪ଶହ ୩୬ ଟଙ୍କା ପ୍ରିମିୟମ ଦାଖଲ କରିଥିବା ଜଣାପଡିଥିଲା । ଲୋକନାଥଙ୍କୁ ୫୫ବର୍ଷ ବୟସ ହେବା ପୂର୍ବରୁ ତାଙ୍କର ଅକାଳ ବିୟୋଗ ହୋଇଥିଲା। କିନ୍ତୁ ମୃତ୍ୟୁର ୨୦ ମାସ ପରେ ବୀମା ସମ୍ପର୍କରେ ଜଣାପଡିବାରୁ ଏବଂ ବିଳମ୍ବ କାରଣରୁ ବୀମା ଅର୍ଥ ମଞ୍ଜୁର କରିବା ନିମନ୍ତେ ବ୍ୟାଙ୍କ ପରିଚାଳକଙ୍କ ତରଫରୁ ତ୍ୱରିତ ସମସ୍ତ ପ୍ରକାରର ଆବଶ୍ୟକ ପ୍ରମାଣ ଏବଂ ତଥ୍ୟ ବୀମା କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିଲା । ସ୍ବାମୀଙ୍କ ଜମା ଖାତାର ନୋମିନି ଭାବରେ ସ୍ତ୍ରୀ ନୟନୀଙ୍କ ଜମାଖାତାକୁ ୨ଲକ୍ଷ ଟଙ୍କାର ବୀମା ଅର୍ଥ ଆସିଲା । ଖବର ପାଇ ନୟନୀ ଓଡ଼ଗାଁ ଷ୍ଟେଟ୍ ବ୍ୟାଙ୍କରେ ପହଞ୍ଚିଥିଲେ । ବ୍ୟାଙ୍କ ପରିଚାଳକ ଏବଂ ସମସ୍ତ କର୍ମଚାରୀଙ୍କ ଉଚିତ୍ ପ୍ରୟାସ ଯୋଗୁଁ ଅପ୍ରତ୍ୟାଶିତ ଭାବେ ୨ଲକ୍ଷ ଟଙ୍କାର ବୀମା ଅର୍ଥ ପାଇବା ପରେ ଜଣେ ଅଜଣା ଅସୁଣା ବିଧବା ଆଦିବାସୀ ମହିଳା ମନେ କରୁଥିବା ନୟନୀ ଭାବପ୍ରବଣ ହୋଇପଡ଼ିଥିଲେ।ବ୍ୟାଙ୍କ କର୍ମଚାରୀଙ୍କ ପ୍ରତି କୃତଜ୍ଞତା ସ୍ବରୂପ ତାଙ୍କର ଆଖିରୁ ଲୁହ ଝରିପଡୁଥିଲା । ୨ ହଜାର ଟଙ୍କା ଏକାଠି ଦେଖିନଥିଲି । ଆଜି ଏକାବେଳେ ୨ଲକ୍ଷ ଟଙ୍କା ପାଇ ସେ ନିଜକୁ ବିଶ୍ଵାସ କରିପାରୁ ନଥିବା କହିଥିଲେ ।

Leave A Reply

Your email address will not be published.