ଚିଲିକା:(ସେକ କୌସର): ଏଫଏମ ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୂତି ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ପରେ ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବିରେ ଓଡ଼ିଶା କଂଗ୍ରେସ ଦ୍ଵାରା ସାରା ରାଜ୍ୟରେ ଓଡ଼ିଶା ବନ୍ଦ କରୁଥିବା ବେଳେ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ଓ ବାଲୁଗାଁରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ସକାଳୁ କଂଗ୍ରେସ କର୍ମୀଙ୍କ ସହ ସିପିଆଇଏମ ସମର୍ଥିତ ଦଳର ସ୍ଥାନୀୟ ନେତୃତ୍ୱ, ପିସିସି ସଭ୍ୟ ତଥା ଚିଲିକା କଂଗ୍ରେସ ବିଧାୟକ ପାର୍ଥି ପ୍ରଦୀପ କୁମାର ସ୍ୱାଇଁ, ସିପିଆଇଏମ ରାଜ୍ୟ ସଦସ୍ୟ ମୁରଲୀଧର ବେହେରା ଓ କର୍ମୀମାନେ ଏକାଠି ହୋଇ ଉଭୟ ସହରର ବିଭିନ୍ନ ଛକରେ ପହଞ୍ଚି ଗାଡ଼ିମୋଟର ବନ୍ଦ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଛି। ଏ ଘଟଣା ପାଇଁ ସରକାରଙ୍କୁ ଦାୟୀ କରି ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ସ୍ଥାନୀୟ କଂଗ୍ରେସ। ଶାନ୍ତି ପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିଥିବା ବେଳେ ଦୋକାନ ବଜାର ସମେତ ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଡାକ ଘର, ପେଟ୍ରୋଲ ପମ୍ପ, କୋର୍ଟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା। କିଛି ମାତ୍ରାରେ ଛୋଟ ଛୋଟ ଦୋକାନ, ହୋଟେଲ, ଔଷଧ ଦୋକାନ ଖୋଲାଥିବା ବେଳେ ବଜାର ଘାଟ ଖାଁ ଖାଁ ରହିଥିଲା। ବାଣପୁର ଓ ବାଲୁଗାଁ ପୋଲିସ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରୁଥିବା ଦେଖିବାକୁ ମିଳିଥିଲା।
Sign in
Sign in
Recover your password.
A password will be e-mailed to you.