ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ନା ଅଛି ମାଉସୀ ମାଆ ମନ୍ଦିର, ନା ଅଛି ରଥ I ତଥାପି ମହାପ୍ରଭୁଙ୍କ ମନ ନ ଭାଙ୍ଗିବା ପାଇଁ ଗ୍ରାମବାସୀ ବର୍ଷ ବର୍ଷ ଧରି ଆୟୋଜନ କରୁଛନ୍ତି ମହାପ୍ରଭୁଙ୍କ ଘୋଷଯାତ୍ରା I ରଥ ଅଭାବରେ ଏକ ଡାଲା ଅଟୋରେ ଠାକୁର କରନ୍ତି ନଗର ପରିକ୍ରମା I ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ମାଧବରୀଡା ସ୍ଥିତ ତ୍ରିବେଣୀ ଆଶ୍ରମରେ I ସୂଚନା ପ୍ରକାରେ ଦୀର୍ଘ ୨୭ ବର୍ଷ ତଳେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଙ୍କା ଗ୍ରାମର ଲକ୍ଷ୍ମୀ ସିଅ ନାମକ ଜନୈକା ମହିଳା ନିକଟରେ ବହିଯାଉଥିବା ବଡ଼ ନଦୀରେ ସ୍ନାନ କରୁ୍ଥିବା ବେଳେ ନଦୀରେ ମହାପ୍ରଭୁଙ୍କ ଏକ ଦାରୁ ବିଗ୍ରହ ଭାସୁଥିବାର ଦେଖିଥିଲେ I ସେ ତୁରନ୍ତ ନିଜ ଜ୍ୟେଷ୍ଠ ପୁତ୍ର ଏବଂ ସ୍ୱାମୀଙ୍କ ସହାୟତାରେ ମହାପ୍ରଭୁଙ୍କୁ ଆଣି ନିଜ ଘରେ ପ୍ରାଣ ପ୍ରତିଷ୍ଠା କରିଥିଲେ I ଲକ୍ଷ୍ମୀ ଠାକୁରଙ୍କୁ ନିଜ ଘରେ ଦଶ ବର୍ଷ ପୂଜା କରିବା ପରେ ଠାକୁରଙ୍କର ସ୍ଵପ୍ନାଦେଶ ପ୍ରକାରେ ତାଙ୍କୁ ଆଣି ମାଧବରୀଡା ସ୍ଥିତ ତ୍ରିବେଣୀ ଆଶ୍ରମରେ ସ୍ଥାପନ କରିଥିଲେ I ସେହିଦିନ ଠାରୁ ଆଶ୍ରମର ମଠାଧୀଶ ମାନେ ଠାକୁରଙ୍କର ଦୈନିକ ନୀତିକାନ୍ତି କରି ଆସୁଛନ୍ତି I ମଠ କିମ୍ବା ମନ୍ଦିର ପାଇଁ କୌଣସି ସରକାରୀ ସହାୟତା ମିଳୁନଥିବା ବେଳେ ମଠର ସମସ୍ତ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳ ତଥା ସୋରଡା ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତିଙ୍କ ଦାନ ସହାୟତାରେ ପରିଚାଳିତ ହେଉଛି I ତେବେ ଏହି ଅଭାବ ଭିତରେ କିନ୍ତୁ ସ୍ଥାନୀୟ ଲୋକଙ୍କ ଆଗ୍ରହ କ୍ରମେ ପାଳିତ ହେଉଛି ମହାପ୍ରଭୁଙ୍କ ଘୋଷଯାତ୍ରା I ମାଉସୀ ମାଆ ମନ୍ଦିର ନଥିବା ବେଳେ ଜଗନ୍ନାଥଙ୍କୁ ମଠାଧୀଶ ମାନେ ଶ୍ରୀଗୁଣ୍ଡିଚା ଦିନ ରୀତିନୀତି ମୁତାବକ ପହଣ୍ଡି ବିଜେ କରିବା ପରେ ମହାପ୍ରଭୁ ମାଧବରୀଡା ଗ୍ରାମ ପରିକ୍ରମା କରି ସେହିଦିନ ହିଁ ରତ୍ନ ସିଂହାସନକୁ ଫେରି ଆସିଥାନ୍ତି I ତେବେ ଏଠାରେ ପ୍ରମୁଖ ସମସ୍ୟା ହେଉଛି ମହାପ୍ରଭୁଙ୍କ ଯାତ୍ରା ପାଇଁ ରଥର ଅଭାବ ରହିଛି I ତେଣୁ ପୂର୍ବରୁ ଗ୍ରାମବାସୀ ମାନେ ଏକ ଶଗଡ଼ରେ ମହାପ୍ରଭୁଙ୍କୁ ନଗର ପରିକ୍ରମା କରାଉଥିଲେ I କିନ୍ତୁ କାଳକ୍ରମେ ଗାଆଁରେ ଶଗଡ଼ ଲୋପ ପାଇଯିବା ଯୋଗୁଁ ବର୍ତ୍ତମାନ ଗ୍ରାମବାସୀ ବାଧ୍ୟ ହୋଇ ଏକ ଡାଲା ଅଟୋରେ ମହାପ୍ରଭୁଙ୍କୁ ନଗର ପରିକ୍ରମା କରାଉଛନ୍ତି I ଯାହା ସ୍ଥାନୀୟ ବୁଦ୍ଧିଜୀବି, ଜଗନ୍ନାଥ ସଂସ୍କୃତି ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି I ଅନ୍ୟପଟେ ମାଉସୀ ମନ୍ଦିର ନଥିବା ଯୋଗୁଁ ମହାପ୍ରଭୁଙ୍କ ନବଦିନାତ୍ମକ ଲୀଳା ମଧ୍ୟ ହୋଇପାରୁ ନାହିଁ I ସେହିପରି ମହାପ୍ରଭୁଙ୍କ ମୁଖ୍ୟ ଆସ୍ଥାନ ଥିବା ଆଶ୍ରମ ମଧ୍ୟ ଅବହେଳିତ ଅବସ୍ଥାରେ I ମଠରେ ରହୁଥିବା ତିନି ମଠାଧୀଶ ମହନ୍ତ ଚିଦାନନ୍ଦ ଦାସ୍, ମହନ୍ତ ମଦନମୋହନ ଦାସ ଏବଂ ମହନ୍ତ କୀର୍ତ୍ତନ ଦାସ ମଧ୍ୟ ବହୁ ସମୟରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସହିତ ଲଢ଼େଇ କରୁଛନ୍ତି I ସେମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ମଧ୍ୟ କୌଣସି ଅନୁଦାନର ବ୍ୟବସ୍ଥା ନାହିଁ Iତେଣୁ ଏଦିଗରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ଜଗନ୍ନାଥଙ୍କ ରଥ ନିର୍ମାଣ, ମାଉସୀ ମାଆ ମନ୍ଦିର ନିର୍ମାଣ ଏବଂ ଆଶ୍ରମର ରକ୍ଷଣାବେକ୍ଷଣ ତଥା ସୁପରିଚାଳନା ପାଇଁ ବ୍ୟବସ୍ଥା କରିବା ପାଇଁ ଜଗନ୍ନାଥ ସଂସ୍କୃତି ପ୍ରେମୀ ମହଲରେ ଦାବି ହୋଇଛି I ଯଦି ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତି ତେବେ ମଠ ସଂସ୍କୃତି ଏବଂ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର କ୍ଷେତ୍ରରେ ଘୁମୁସର ମାଟିରେ ଏକ ରୁଦ୍ଧିମନ୍ତ ପୃଷ୍ଠା ଯୋଡ଼ି ହୋଇପାରିବ ବୋଲି ସ୍ଥାନୀୟ sa ସଂସ୍କୃତିପ୍ରେମୀ ପ୍ରକାଶ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.