ଜାଲପାଲିରେ ଚୋରି: ଅଭିଯୁକ୍ତ ପୁଅ ସମେତ ୫ ଗିରଫ

3

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ଜାଲପାଲି ଗାଁରେ ରାତିରେ ଏକ ବଡ଼ଧରଣର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଉକ୍ତ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମେହେରଙ୍କ ଘରୁ କେହି ନଥିବା ସୁଯୋଗରେ ଚୋରମାନେ ସମ୍ବଲପୁରୀ ଶାଢ଼ି ଓ ନଗଦ ଟଙ୍କା ଚୋରି କରି ନେଇଥିଲେ । ବିଜେପୁର ପୁଲିସ ଘଟଣାର ତନାଘନା କରି ଚୋରି ସାମଗ୍ରୀ ଓ ନଗଦ ଟଙ୍କା ଉଦ୍ଧାର କରିବା ସହ ଏଥିରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜାଲପାଲିର ବୁଲୁ ମେହେର (୨୪) ସୀତାରାମ ମେହେର (୩୫), ଭଟିଗାଁର ହେମନ୍ତ ମେହେର, ଭଟଲିର ଅଶୋକ ଜାଲ (୩୩) ଏବଂ ଖଲିଆପାଲିର ହେମନ୍ତ ଜାଲ ପ୍ରାପ୍ତ ସୂଚନାରୁ ଜଣାଯାଇଛି ଯେ ଜାଲପାଲିର ପୂର୍ଣ୍ଣଚନ୍ଦ୍ର ମେହେର ଜଣେ ବୁଣାକାର | ସ୍ତ୍ରୀ’ ଓ ଦୁଇ ପୁଅଙ୍କୁ ନେଇ ତାଙ୍କ ପରିବାର ବଡ଼ ପୁଅ ବୁଲୁ ମେହେର ପରିବାରର ଇଚ୍ଛା ବିରୋଧରେ ଅନ୍ୟତ୍ର ବିବାହ କରି ସେହି
ଗାଁରେ ଅଲଗା ରହୁଥିଲା । ବାପ-ପୁଅଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା। ଘଟଣାଦିନ ପୂର୍ଣ୍ଣଚନ୍ଦ୍ର ନିଜ ପତ୍ନୀ ଓ ସାନପୁଅଙ୍କ ସହିତ ଅନ୍ୟ ଏକ ଗାଁକୁ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ ଯାଇଥିଲେ । ତେଣୁ ଘରେ କେହି ନଥିବାର ସୁଯୋଗରେ ଅଭିଯୁକ୍ତ ବଡ଼ପୁଅ ବୁଲୁ ଏବଂ ତା’ର ସହଯୋଗୀ ସୀତାରାମ ସହାୟତାରେ ଚୋରମାନେ ଆସି ଘରେ କଳାକନା ବୁଲାଇ ଦେଇଥିଲେ। ପୂର୍ଣ୍ଣଚନ୍ଦ୍ର ତାଙ୍କ
ଘରେ ୬୦ରୁ ୬୫ଟି ଶାଢ଼ି ଓ ୩ ଲକ୍ଷ ୬୦ ହଜାର ଟଙ୍କା ରଖିଥିବା ଏତଲାରେ ଉଲ୍ଲେଖ କରିଥିଲେ। ତାଙ୍କ ଏତଲାକ୍ରମେ ପୁଲିସ ତନାଘନା କରି ଚୋରଦଳକୁ ଧରିବା ସହ ସେମାନଙ୍କଠାରୁ ୬୩ ଖଣ୍ଡ ସମ୍ବଲପୁରୀ ଶାଢ଼ି, ନଗଦ ୧ ଲକ୍ଷ ୯୮ ହଜାର ଟଙ୍କା, ୫ଟି ମୋବାଇଲ ଫୋନ ଓ ଗୋଟିଏ ଇକୋ ଚାରିଚକିଆ ଗାଡ଼ି ଜବତ କରିଥିବା ଥାନାଧିକାରୀ ସୁଶାନ୍ତମଣି ମହାନ୍ତି ସୂଚନା ଦେଇଛନ୍ତି l

Leave A Reply

Your email address will not be published.