ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଏକ ଶୋକାକୁଳ ପରିବେଶରେ ପଞ୍ଚ ଭୂତରେ ଲୀନ ହୋଇଛି ବେଲଗୁଣ୍ଠା ବ୍ଳକ୍ ଗୋବରା ପଂଚାୟତର ସରପଞ୍ଚ ସୁପ୍ରଭା ନାୟକଙ୍କ ସ୍ୱାମୀ ତଥା ଜଗନ୍ନାଥପ୍ରସାଦ ଯୁଧିଷ୍ଠିର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଗୋପାଳ କୃଷ୍ଣ ନାୟକ(୩୮)ଙ୍କ ପାର୍ଥିବ ଶରୀର I ବୁଧବାର ସନ୍ଧ୍ୟାରେ ରାଉରକେଲା ସ୍ଥିତ ଇସ୍ପାତ୍ ହସ୍ପିଟାଲ୍ ରେ ଗୋପାଳଙ୍କର ଅକାଳ ବିୟୋଗ ଘଟିଥିବା ବେଳେ ଆଜି ସକାଳ ନଅ ଘଣ୍ଟା ସମୟରେ ଏକ ସ୍ଵତନ୍ତ୍ର ଆମ୍ବୁଲାନ୍ସ୍ ଯୋଗେ ଗୋପାଳଙ୍କ ମର ଶରୀର ଗୋବରା ସ୍ଥିତ ନିଜ ବାସଭବନରେ ପହଞ୍ଚିଥିଲା I ମର ଶରୀର ପହଞ୍ଚିବା ପୂର୍ବରୁ ଗୋପାଳଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କ ବାସ ଭବନ ନିକଟରେ ସକାଳ ସାତଟାରୁ ବହୁ ଲୋକ ଅପେକ୍ଷା କରି ରହିଥିଲେ I ଗୋପାଳଙ୍କ ମର ଶରୀର ନିଜ ଗ୍ରାମ ଗୋବରାରେ ପହଞ୍ଚିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା I କାନ୍ଦ ବୋବାଳିରେ ଗାଆଁ ଫାଟି ପଡ଼ିଥିଲା I ତାଙ୍କ ମର ଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ଗୋବରା ଗ୍ରାମ ପରିକ୍ରମା କରାଯାଇଥିଲା I ଗୋପାଳଙ୍କ ଶବାଧାରରେ ହଜାରରେ ଊର୍ଦ୍ଧ୍ୱ ଜନ ସାଧାରଣ,ଛାତ୍ରଛାତ୍ରୀ ଏବଂ ଗୋପାଳଙ୍କ ଶୁଭେଚ୍ଛୁଙ୍କ ଗୋପାଳ ସାର୍ ଅମର ରହେ ଧ୍ୱନିରେ ଗୋବରା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା I ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମର କ୍ଷୀରୀକୋଳି ଦଣ୍ଡା ସ୍ଥିତ ନିଜ ଚାଷ ଜମିରେ ଗୋପାଳଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା I ଗୋପାଳଙ୍କ ସାନ ଭାଇ ନାରାୟଣ ନାୟକ ମୁଖାଗ୍ନି ଦେଇଥିଲେ I ପୂର୍ବତନ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ,ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ, ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷା ମମତା ଭୋଳ,ଜିଲ୍ଳା ପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ, ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ନାୟକ,ସରପଞ୍ଚ ପ୍ରତିନିଧି ସୀମାଞ୍ଚଳ ବିଷୋୟୀ,ଦେବେନ୍ଦ୍ର ଗୌଡ଼, ବ୍ଲକ୍ ବିଜେଡ଼ି ସଭାପତି ରାମେଶ୍ଵର ପାତ୍ର, ସମିତିସଭ୍ୟ ବିଭୂପାଦ ଜେନା,ସୁଧାଂଶୁ ଶେଖର ପୋଲାଇ,ଜୟ ଜଗନ୍ନାଥ କୋଚିଙ୍ଗ୍ ସେଣ୍ଟର୍ ଅଧ୍ୟକ୍ଷ ପ୍ରଦୀପ ସ୍ଵାଇଁ, ଯୁବ ନେତା ସରୋଜ ସ୍ୱାଇଁ, ରେଷ୍ପଣ୍ଡ୍ ଟ୍ରଷ୍ଟ୍ ଅଧ୍ୟକ୍ଷ ସ୍ଵସ୍ତି ସୁନ୍ଦର ସିଅ,ଜଗନ୍ନାଥପ୍ରସାଦ ଅଞ୍ଚଳର ବହୁ ଶିକ୍ଷକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗୋପାଳଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ I ଗୋପାଳ ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ଜଗନ୍ନାଥପ୍ରସାଦ ଅଞ୍ଚଳରେ ସମସ୍ତଙ୍କର ପ୍ରିୟ ଥିବା ବେଳେ ସେ ଏକାଧାରରେ ଜଣେ ମଞ୍ଚ ଅଭିନେତା, ଚିତ୍ରଶିଳ୍ପୀ,ନୃତ୍ୟ ଶିଳ୍ପୀ ଏବଂ ମୂର୍ତ୍ତୀ କାରିଗର ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ I ସେ ପିଲା ମାନଙ୍କୁ ଚିତ୍ର ଅଙ୍କନ ଏବଂ ମୂର୍ତ୍ତୀ ତିଆରି ସମ୍ପର୍କରେ ଶିକ୍ଷା ମଧ୍ୟ ଦେଉଥିଲେ I ଗୋପାଳ ଉଭୟ ଗଞ୍ଜାମ ଏବଂ ନୟାଗଡରେ ନିଜର ଅଭିନୟର ଯାଦୁ ଦେଖାଇ ପାରିଥିବା ବେଳେ ଜଣେ ଅମାୟିକ ବ୍ୟକ୍ତି ଭାବେ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post