ପୁରୀ,୨୫/୫-ଶ୍ରୀମନ୍ଦିର ସଂରକ୍ଷଣ ତଥା ମରାମତି ନେଇ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାର (ଏ.ଏସ. ଆଇ) ମହାନିର୍ଦ୍ଦେଶକ ଡ. ୟୁଜବେନ୍ଦ୍ର ସିଂହ ରାୱତଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ସ୍ଥାପତ୍ୟ, ମୂଳ ନିର୍ମାଣ ଏବଂ ସାଂସ୍କୃତିକ ଦିଗପ୍ରତି ଦୃଷ୍ଟି ରଖି ମିଳିତ ଭାବେ କାର୍ଯ୍ୟ କରିବାକୁ ଏହି ବୈଠକରେ ଗୁରୁତ୍ଵ ଦିଆଯାଇଥିଲା । ବୈଠକରେ ଏ ସମ୍ପର୍କରେ ବିସ୍ତ୍ରୃତଭାବେ ଆଲୋଚନା ହୋଇଥିଲା । ଆଗାମୀ ରଥଯାତ୍ରା ସମୟରେ ହେବାକୁ ଥିବା ଶ୍ରୀମନ୍ଦିର ପରିସରର ତଥା ଗର୍ଭଗୃହର ଆବଶ୍ୟକ ସଂରକ୍ଷଣ କରାଯିବ । ରତ୍ନଭଣ୍ଡାର ବାକି ଥିବା ସଂରକ୍ଷଣ ତଥା ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରାଯିବ । ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଦିଵ୍ୟାଙ୍ଗଙ୍କ ପାଇଁ ରୟାମ୍ପ ଏବଂ ବୟସ୍କଙ୍କ ପାଇଁ ନିର୍ମାଣାଧୀନ କାର୍ଯ୍ୟ ଶୀଘ୍ର ସମାପନ କରାଯିବ। ପ୍ରସ୍ତାବିତ ନାଟମଣ୍ଡପ ଶୀତତାପ ନିୟନ୍ତ୍ରିତ ଏବଂ ଶ୍ରୀମନ୍ଦିର ଆଲୋକୀକରଣ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା । ଜଗମୋହନର ବାହ୍ୟ ଛାତର ସଂରକ୍ଷଣ ପାର୍ଶ୍ୱ ମନ୍ଦିର ଯେପରିକି ମା ବିମଳା, ମା ମହାଲକ୍ଷ୍ମୀ, ଶ୍ରୀ ସୂର୍ଯ୍ୟ, ଆଦି ନୃସିଂହ ଏବଂ ଭୁବନେଶ୍ୱରୀ ମନ୍ଦିରରେ ବିଜୁଳି ପ୍ରତିରୋଧକ ବ୍ୟବସ୍ଥା କରାଯିବ। ଜଗମୋହନ ଏବଂ ଭୋଗମଣ୍ଡପରେ ଲାଗିଥିବା ଷ୍ଟିଲ ଭାରାକୁ ଆହୁରି ମଜଭୁତ କରାଯିବ । ମୁଖ୍ୟ ମନ୍ଦିର ବାହ୍ୟ ପ୍ରସ୍ତର କାନ୍ଥର ରାସାୟନିକ ସଫେଇ ଏବଂ ଉପଚାର ଦିଆଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ଏସ ଆଇ ର ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରିବା ସହ ଶୁଖିଲି ମହାପ୍ରସାଦ ପ୍ରଦାନ କରିଥିଲେ । ଏ ଏସ ଆଇ ପ୍ରତିନିଧି ଦଳରେ ଉପ ମହାନିର୍ଦ୍ଦେଶକ ସଂରକ୍ଷଣ ଜାନୱି ଶର୍ମା, ନିର୍ଦ୍ଦେଶକ ସଂରକ୍ଷଣ ଭୀମ ଅଜମୀରା, ନିର୍ଦେଶକ ବିଜ୍ଞାନ ମନୋଜ ଭଟନାଗର, ଆଂଚଳିକ ନିର୍ଦ୍ଦେଶକ ଡ. ଦିଲ୍ଲୀପ ଖମାରି ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ ଏବଂ ଓଏସଡି ନିର୍ମାଣ ଆଶିଷ ସୁବୁଦ୍ଧି ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.