୭୫ ବର୍ଷରେ ଗୁଣପୁର, ବାଉରୀ ସାହି ଦୂର୍ଗା ପୂଜା

7

        : 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଅନନ୍ୟ ଗଣପର୍ବ ଶାରଦୀୟ ଦୂର୍ଗା ପୂଜା ପାଇଁ ସମଗ୍ର ଗୁଣପୁର ସହର ଉତ୍ସବ ମୁଖର ହୋଇଉଠିଛି । ଭାଇଚାରାର ସହର ଗୁଣପୁର ରେ ଆୟୋଜିତ ଦୂର୍ଗାପୂଜା ଉତ୍ସବରେ ସମସ୍ତେ ଭାଗ ନେଇ ପୂଜାପର୍ବ ପାଳନ କରିବାର ବିରଳ ପରମ୍ପରା ରହିଆସିଛି । ଚଳିତ ବର୍ଷ ମଧ୍ୟ ଜଗତଜନନୀ ମା ଦୁର୍ଗାଙ୍କ ପୂଜା ବଡ଼ ଜାକଜମକରେ ପାଳିତ ହେଉଥିବା ଦେଖିବାକୁ ମିଳିଛି । ପୂଜା କମିଟି ସଦସ୍ୟ ଓ ପୁଲିସ ପ୍ରଶାସନ ଉତ୍ସବଟି କିପରି ଆନନ୍ଦ ଉଲ୍ଲାସ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେବ ସେ ଉପରେ ନଜର ରଖିଛନ୍ତି । ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ଗୁଣପୁର ସହର ଝଲସି ଉଠୁଛି । ଗୁଣପୁର ସହରର ପାଞ୍ଚବାଉରୀ ସାହି, ଆଗ୍ରାହାରମ ସାହି ଓ ରାଜା କଲୋନୀର ମିଳିତ ସହଯୋଗରେ ଆୟୋଜିତ ଦୂର୍ଗା ପୂଜାର ସ୍ବତନ୍ତ୍ର ମହତ୍ତ୍ୱ ରହିଛି । ଦୀର୍ଘ ୭୫ ବର୍ଷ ହେଲା ଏଠାରେ ନିଆରା ଢଙ୍ଗରେ ଦୂର୍ଗା ପୂଜାର ଆୟୋଜନ କରାଯାଉଛି । ଜଗତଜନନୀ ମା ଦୁର୍ଗାଙ୍କ ମୂର୍ତ୍ତି, ପାର୍ଶ୍ୱମୂର୍ତ୍ତୀ ଠାରୁ ଆରମ୍ଭ କରି ବିଭିନ୍ନ କଳା କୁଞ୍ଜ ଗୁଡ଼ିକୁ ସ୍ଥାନୀୟ ବାଉରୀ ସାହିର କଳାକାର ମାନେ ନିର୍ମାଣ କରିଥାନ୍ତି । ମା’ଙ୍କ ଦର୍ଶନ ସହ ଏହି ସଚେତନାତ୍ମକ କଳା କୁଞ୍ଜ ଗୁଡ଼ିକୁ ଦେଖିବାକୁ ପୂଜା ମଣ୍ଡପରେ ବେସ୍ ଜନସମାଗମ ହୋଇଥାଏ । ସନ୍ଧ୍ୟାରେ କୁନିକୁନି କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ, ଆଗନ୍ତୁକ ମାନଙ୍କୁ ବାନ୍ଧି ରଖୁଥିବା ଦେଖିବାକୁ ମିଳୁଛି । ଏହି ଅବସରରେ ଏତେ କମ୍ ବୟସରେ କଳା କ୍ଷେତ୍ରରେ ରାଜ୍ୟ ତଥା ରାଜ୍ୟ ବାହାରେ ବହୁମୁଖି ପ୍ରତିଭାର ପ୍ରଦର୍ଶିତ କରି ଗୁଣପୁର ପାଇଁ ସୁନାମ ଆଣିଥିବାରୁ ଉପାସନା ଶତପଥୀ ଙ୍କୁ ଦୂର୍ଗା ପୂଜା ମଣ୍ଡପରେ ସଂସ୍କୃତି ବିଭାଗ ଅଧିକାରୀ ସସ୍ମିତା ବାଉରୀ ସମ୍ମାନିତ କରିଥିଲେ ଓ ପୂଜା କମିଟି ଦ୍ଵାରା ପୁରସ୍କୃତ କରାଯାଇଥିଲା । ତତ୍ ସହିତ ସହରରେ ଥିବା ଗ୍ରାମଦେଵୀ ମନ୍ଦିର , ମାଣିକେଶ୍ଵରୀ ମନ୍ଦିର , ଦକ୍ଷୀଣ କାଳୀ ମନ୍ଦିର ,କନକ ଦୁର୍ଗା , ନୀଳମଣି ଦୂର୍ଗା , ମଙ୍ଗଳା ମନ୍ଦିର ,କନ୍ୟାକା ପରମେଶ୍ବରୀ , କାଞ୍ଚି କାମାକ୍ଷୀ , ପେଙ୍ଗୁଡା କାଳ ଭୈରବୀ ମନ୍ଦିର ଗୁଡିକରେ ମଧ୍ୟ ମା’ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି ‌। ଉତ୍ସବ ଟିକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ଏସ୍ ଡି ପି ଓ ବାଵୁଲି ନାୟକ ଓ ଆଦର୍ଶ ଥାନା ଅଧିକାରୀ କମଳାକାନ୍ତ ବସନ୍ତ କୁମାର କହଁର ଙ୍କ ନେତୃତ୍ୱରେ ପୁଲିସ ବାହିନୀ ମୁତୟନ ସହ ପେଟ୍ରୋଲିଂ ଗାଡ଼ି ସହର ସାରା ପଇଁତରା ମାରି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତିଖ୍ନ ନଜର ରଖିଛି ।

Leave A Reply

Your email address will not be published.