ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

52

ଭୁବନେଶ୍ୱର (୨୧.୧୦.୨୦୨୬ ) : ପବିତ୍ର ଦୁର୍ଗାପୂଜା ଅବସରରେ ଓଡ଼ିଶା ଜନତା କଂଗ୍ରେସର ସଭାପତି ଇଂ ମହମ୍ମଦ ମୋକିମ ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରି ମା’ଦୁର୍ଗାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ କାମନା କରିଥିଲେ । ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ କରିବା ସହ ଶ୍ରୀ ମୋକିମ ପୂଜା କମିଟିର ସଦସ୍ୟ, ଆୟୋଜକ ଏବଂ ଶ୍ରଦ୍ଧାଳୁମାନଙ୍କ ସହ ଭାବ ବିନିମୟ କରିଥିଲେ । ଦୁର୍ଗାପୂଜା ଆମ ଓଡ଼ିଶାର ଏକ ମହାନ ସାଂସ୍କୃତିକ ଓ ଧାର୍ମିକ ପରମ୍ପରା । ଏହି ପର୍ବ ସମାଜରେ ଭାଇଚାରା, ଏକତା, ସଦ୍ଭାବନା ଓ ସାମାଜିକ ସହଯୋଗର ବାର୍ତ୍ତା ପ୍ରଦାନ କରେ । ଏହି ପବିତ୍ର ଅବସରରେ ଶ୍ରୀ ମୋକିମ ସମସ୍ତଙ୍କ ସୁଖ, ସମୃଦ୍ଧି, ଶାନ୍ତି ଓ ମଙ୍ଗଳ କାମନା କରିଥିଲେ । ମା’ ଦୁର୍ଗାଙ୍କ କୃପାରୁ ଓଡ଼ିଶାରେ ଶାନ୍ତି, ସଦ୍ଭାବନା ଓ ଭାଇଚାରା ବଜାୟ ରହିବା ସହ ରାଜ୍ୟର ସମସ୍ତ ଜନସାଧାରଣଙ୍କ ଜୀବନ ସୁଖମୟ ହେଉ ବୋଲି ସେ କାମନା କରିଥିଲେ ।

ପ୍ରଥମେ ଟାଙ୍ଗିବନ୍ତ ଠାରୁ ପୂଜା ଭ୍ରମଣ ଆରମ୍ଭ କରି ନୟାପଲ୍ଲୀ, ସାଲିଆସାହି, ଜୟଦେବ ବିହାର, ବାଣୀବିହାର ଟ୍ରାଫିକ ଛକ, ସହିଦନଗର, ସତ୍ୟନଗର, ପୁରୁଣା ଷ୍ଟେସନ ବଜାର, ଭୀମଟାଙ୍ଗୀ, ବଡ଼ଗଡ଼, ଝାରପଡ଼ା, ଚକେଇସିହାଣୀ ଇତ୍ୟାଦି ଅଞ୍ଚଳ ଗସ୍ତ କରି ମା’ଙ୍କ ଦର୍ଶନ କରିଥିଲେ ଓଜେସି ସଭାପତି । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମୋକିମ  କହିଥିଲେ  ଯେ, ମୁଁ କଟକ ଭଳି ଭାଇଚାରାର ସହରରୁ ଆସିଛି । ଦଶହରା ଆମ ପାଇଁ ସବୁଠାରୁ ବଡ଼ ଉତ୍ସବ । ଏହି ପର୍ବରେ  ଆମନ୍ତ୍ରଣ ପାଇ ଆମେ ଆଜି ଭୁବନେଶ୍ୱର ବାସିନ୍ଦାଙ୍କ ସହ ମା’ଙ୍କ ପୂଜା କରିବାର ସୁଯୋଗ ପାଇଲୁ । ଏହି ଖୁସିର ଉତ୍ସବକୁ ଆମେ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ଉଚିତ। ଭକ୍ତି ଭାବନାରେ ନିମଗ୍ନ ରହି ଆମେ ହିଂସା, ଦ୍ୱେଷ, ଅଂହକାର ପ୍ରବୃତିରୁ ଦୁରେଇ ରହିବା ଉଚିତ ବୋଲି ସେ ସନ୍ଦେଶ ଦେଇଥିଲେ ।

ଏହି ଗସ୍ତ ସମୟରେ ଓଜେସିର ନେତୃବୃନ୍ଦ ମଧ୍ୟ ପୂଜା କମିଟି ଓ ଶ୍ରଦ୍ଧାଳୁମାନଙ୍କୁ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଜେସି ଉପସଭାପତି ନଜିବୁର ରେହମାନ ଖାନ, ସାଧାରଣ ସମ୍ପାଦକ ସଞ୍ଜୟ ରାୟ, ମିଡ଼ିଆ ସେଲ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ, କଟକ ଜିଲ୍ଲା ସଭାପତି ଅନିଲ ବେଉରା, ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା,  ଛାତ୍ରନେତା ଆଦିତ୍ୟ ପରିଡା, ରାକେଶ ବେହେରା, ସୁଧୀର ରାଉତ, ସମ୍ପାଦିକା ସୋନାଲି ମହାପାତ୍ର, ଆଦିତ୍ୟ ଗିରି, ନାରୀନେତ୍ରୀ ସୀତା ସାହୁ, ମିଲ୍ଲି ସାହୁ, କୃଷକ ଜନତା କଂଗ୍ରେସ ଅଧ୍ୟକ୍ଷ ସଂଗ୍ରାମ କିଶୋର ମାଝୀ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.