ରାଜ୍ୟରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପ୍ରତି ସରକାରଙ୍କ ନିଘା ନାହିଁ: ବିଜେଡି

3
  •  ୨୦୧୩ ମସିହାରେ, ଓଡିଶା ମାଓବାଦୀ ମୁକ୍ତ ରାଜ୍ୟର ମାନ୍ୟତା ପାଇଥିଲା

  •  ଗତ ୧୦ ମାସରେ ରାଜ୍ୟରେ ମାଓବାଦୀଙ୍କ ଗତିବିଧିରେ ଅହେତୁକ ବୃଦ୍ଧି

  •  ଅସ୍ତ୍ରଶସ୍ତ୍ର ଧରି ବୁଲୁଛନ୍ତି, ଲୋକଙ୍କୁ ନିଜ ଦଳରେ ସାମିଲ କରୁଛନ୍ତି

ଭୁବନେଶ୍ୱର, ୧୨/୦୪/୨୦୨୫: ଓଡିଶା ଏକ ସମୟରେ ସମ୍ପୂର୍ଣ ମାଓବାଦୀ ମୁକ୍ତ ରାଜ୍ୟ ଭାବେ ପରିଗଣିତ ହେଉଥିବା ବେଳେ, ରାଜ୍ୟରେ ନୂତନ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟର ଅତିକମରେ ତିନୋଟି ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ବଢୁଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ସରକାର ଏହାକୁ ରୋକିବା ପାଇଁ କୌଣସି ତତ୍ପରତା ଦେଖାଉ ନାହାନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।
ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ କହିଛନ୍ତି, ରାଜ୍ୟର ତିନୋଟି ଜିଲ୍ଲା ଯଥା, ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି ବୋଲି ଗତ କିଛି ମାସ ହେଲା ଲଗାତର ଭାବେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ମାଓବାଦୀମାନଙ୍କ ଦ୍ୱାରା, ଏହି ଜିଲ୍ଲା ଗୁଡିକରେ ଅସ୍ତ୍ରଶସ୍ତ୍ର ଧରି ବୁଲିବା, ସ୍ଥାନୀୟ ଅଞ୍ଚଳରୁ ଲୋକଙ୍କୁ ନିଜ ଦଳରେ ସାମିଲ କରିବା ଓ ବଳପୂର୍ବକ ଅର୍ଥ ଆଦାୟ କରିବା ଇତ୍ୟାଦି ଆରମ୍ଭ ହୋଇଛି । ଏହାଛଡା, ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେ୍ଧବଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ପ୍ରାୟ ୧୨୦ ମାଓବାଦୀ ସକ୍ରିୟ ରହିଛନ୍ତି ଓ ୨୦୨୬ ସୁଦ୍ଧା ରାଜ୍ୟ ସରକାର ମାଓବାଦୀ ମୁକ୍ତ ରାଜ୍ୟ କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ପରିପ୍ରେକ୍ଷୀରେ, ରାଜ୍ୟର ଅନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟର ଅନ୍ତରୀଣ ସୁରକ୍ଷା ବିପର୍ଯ୍ୟସ୍ତ ଆଡ଼କୁ ଯାଉଥିବା ବେଳେ ଓଡିଶା ପୋଲିସ ଓ ରାଜ୍ୟର ଗୃହ ବିଭାଗ କୌଣସି ଦକ୍ଷେ ନେବାରେ ବିଫଳ ହୋଇଛନ୍ତି । ମାଓବାଦୀଙ୍କ ଏହି କାର୍ଯ୍ୟକଳାପକୁ ଗୃହ ବିଭାଗ ପୂର୍ବାନୁମାନ କରିବା ଓ ତାକୁ ପ୍ରତିହତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ ଥିବାବେଳେ, ଏଥିରେ ସରକାର ବିଫଳ ହୋଇଛନ୍ତି ।
ଶ୍ରୀ ଘଡ଼ାଇ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେ ଯୋଗୁଁ ୨୦୧୩ରେ ଓଡିଶା ମାଓବାଦୀ ମୁକ୍ତ ରାଜ୍ୟ ଭାବେ ଘୋଷିତ ହୋଇଥିଲା । ଦୁଃଖ ଓ ରିତାପର ବିଷୟ ଯେ, ଏହାର ୧୧/୧୨ ବର୍ଷ ପରେ ଓଡ଼ିଶାରେ ମାଓବାଦୀ ଗତିବିଧିର ପୁର୍ନରଜନ୍ମ ଘଟିଛି । ମାଓବାଦୀଙ୍କ ଗତିବିଧି ବୃଦ୍ଧି ଯୋଗୁଁ କେବଳ ରାଜ୍ୟର ଅନ୍ତରୀଣ ସୁରକ୍ଷା ବିର୍ଯ୍ୟସ୍ତ ହେବାର ଭୟ ରହିଛି ତାହା ନୁହେଁ, ବରଂ ଏହା ରାଜ୍ୟରେ ହେବାକୁ ଥିବା ପୁଞ୍ଜିନିବେଶକୁ ପ୍ରତିହତ କରିବା ସହିତ ରାଜ୍ୟର ପ୍ରଗତିକୁ ମଧ୍ୟ ବାଧାପ୍ରାପ୍ତ ହେବ । ଉଲ୍ଲେଖଯୋଗ୍ୟ, ଯେଉଁ ତିନୋଟି ଜିଲ୍ଲାରେ (ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝର) ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି, ସେହି ଜିଲ୍ଲା ଗୁଡିକରେ ଅଧିକ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ରହିଛି । ରାଜ୍ୟର ଅନ୍ତରୀଣ ସୁରକ୍ଷା ବିର୍ଯ୍ୟସ୍ତ ହେଲେ ପୁଞ୍ଜିନିବେଶକାରୀ ମାନେ ଓହରି ଯିବାର ଭୟ ରହିଛି ।
ଶ୍ରୀ ଘଡ଼ାଇ କହିଥିଲେ, ଅନେକ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ଡବଲ ଇଞ୍ଜିନ ସରକାର ଏବେ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଛି । ରାଜ୍ୟ ସରକାର ରାଜ୍ୟବାସୀଙ୍କ ସମ୍ମୁଖରେ ସ୍ପଷ୍ଟୀକରଣ ରଖିବା ଦରକାର ଯେ ସରକାର ମାଓବାଦୀ ଦମନ ପାଇଁ କ’ଣ କ’ଣ ପଦକ୍ଷେ ନେଇଛନ୍ତି ଓ କ’ଣ ଯୋଜନା ରହିଛି । ମାଓବାଦୀଙ୍କ ଗତିବିଧି ବୃଦ୍ଧି ଏକ ଚିନ୍ତାଜନକ ପ୍ରସଙ୍ଗ । ତେଣୁ ଏହାକୁ ହାଲୁକା ଭାବେ ନିଆଯାଇ ନପାରେ ବୋଲି ଶ୍ରୀ ଘଡ଼ାଇ କହିଥିଲେ ।

Leave A Reply

Your email address will not be published.