‘ସାରସ୍ୱତ ସମାଜ’ର ସାହିତ୍ୟ ଆସର

0

ଭୁବନେଶ୍ୱର:-ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ଅଗ୍ରଣୀ ସାମାଜିକ ଓ ସାହିତ୍ୟ ଅନୁଷ୍ଠାନ ‘ସାରସ୍ୱତ ସମାଜ’ର ମାସିକ କବିତା ଆସର ଏବଂ ଆଲୋଚନାଚକ୍ର ରାଜକିଶୋର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ କବି, ସ୍ତମ୍ଭକାର ପ୍ରାକ୍ତନ ବ୍ୟାଙ୍କ ଅଧିକାରୀ ସର୍ବେଶ୍ୱର ମହାପାତ୍ର ଏବଂ ବକ୍ତା ଭାବେ ସାମ୍ବାଦିକ ଓ କବି ରବିପ୍ରିୟ ଦାଶ ଯୋଗ ଦେଇଥିଲେ। ସଂଗଠନର ସମ୍ପାଦକ ସରୋଜ ରଞ୍ଜନ ପଟ୍ଟନାୟକ ସଭା କାର୍ଯ୍ୟ ପରିଚାଳନା କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।
ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। କବି ସ୍ୱର୍ଗତ ରମାକାନ୍ତ ରଥଙ୍କ ଅମରଆତ୍ମା ପ୍ରତି ଏକ ମିନିଟ ନୀରବ ପ୍ରାର୍ଥନା କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।
ଅତିଥି ଶ୍ରୀ ମହାପାତ୍ର ଓ ବକ୍ତା ଶ୍ରୀ ଦାଶ ଉପସ୍ଥିତ ଲେଖକ, ଲେଖିକାଙ୍କୁ ଲେଖା ଉପରେ କାହାର ନକରାତ୍ମକ ମନ୍ତବ୍ୟକୁ ଗୁରୁତ୍ୱ ନଦେଇ ଲେଖା ଅବ୍ୟାହତ ରଖିବାକୁ ପରାମର୍ଶ ଦେଇଥିଲେ। କୌଣସି ଲେଖା ଲେଖିବା ପରେ ତାକୁ ଥରେ ଦୁଇଥର ପଢ଼ି ସଂଶୋଧନ କରିବା ଏବଂ ଏହା ପଠନ ଉପଯୋଗୀ ହୋଇଥିବା ହୃଦବୋଧ ହେଲେ ପ୍ରକାଶ ପାଇଁ ପଠାଇବାକୁ କହିଥିଲେ। ସାହିତ୍ୟ ସମାଜର ଏହି ମାସିକ ସମାରୋହରେ ଏତେ ସଂଖ୍ୟକ ଲେଖକଙ୍କ ଉପସ୍ଥିତି ଓ ସାହିତ୍ୟ ପ୍ରତି ସେମାନଙ୍କ ଆଗ୍ରହରୁ ବୈଠକଟି ଏକ ସାରସ୍ୱତ ଭୂଖଣ୍ଡ ପରି ପ୍ରତୀୟମାନ ହେଉଥିଲା।
ବୈଠକରେ ୬୦ରୁ ଊର୍ଦ୍ଧ୍ୱ ଲେଖକ, ଲେଖିକା ଉପସ୍ଥିତ ଥିଲେ। ଏଥିରେ ରମାଦେବୀ ମହିଳା ମହାବିଦ୍ୟାଳୟର ଅନେକ ଛାତ୍ରୀ ଯୋଗ ଦେଇଥିଲେ। ସମସ୍ତେ ସ୍ୱରଚିତ କବିତା ପାଠ କରିଥିଲେ। ଉପସ୍ଥାପିକା ଭାବେ କବି ସରୋଜିନୀ ପାଣି ଓ ସଂଯୋଜିକା ଭାବେ ହିମାଦ୍ରୀ ତନୟା ମିଶ୍ର କାର୍ଯ୍ୟ ସମ୍ପାଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ଭକ୍ତିଲତା ମହାନ୍ତି, ଦେବଦତ୍ତ ରଥ, ରଜନୀକାନ୍ତ ପଟ୍ଟନାୟକ, ସୌଦାମିନୀ ସାମନ୍ତରାୟ, ଅନୁସୃତ ସିଂହଦେଓ, ରଵୀନ୍ଦ୍ରନାଥ ଷଡ଼ଙ୍ଗୀ, କୀର୍ତିମୟୀ ମହାନ୍ତି ଓ ଶୁଭଶ୍ରୀ ପଟ୍ଟାନାୟକଙ୍କ ସମେତ ବହୁ ସୁନାମଧନ୍ୟ ଲେଖକ ଲେଖିକା ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କବି ମାନସ ରଞ୍ଜନ ପଟ୍ଟନାୟକ।

Leave A Reply

Your email address will not be published.