ଓଡ଼ଗାଁ,୨୪।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରୋହିବାଙ୍କ ଠାରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ଭବର ସହ ପ୍ରତିଷ୍ଠାତା ରାମକୃଷ୍ଣଙ୍କ ବିୟୋଗରେ ସମଗ୍ର ଓଡ଼ଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରକୃତି ଓ ପରିବେଶ ପାଇଁ କାର୍ଯ୍ୟ କରୁଥିବା ଡ. ପଦ୍ମଶ୍ରୀ ସ୍ୱର୍ଗତ ରାଧାମୋହନଙ୍କ ମାନସ ପୁତ୍ର ସମ୍ଭବ ଅନୁଷ୍ଠାନ ଥିଲା କୃଷି ଓ କୃଷକ ମାନଙ୍କ ପାଇଁ ଗବେଷଣାଗାର । ଜଳ ସଂରକ୍ଷଣ, ମୃତ୍ତିକା ସଂରକ୍ଷଣ, ସାମାଜିକ ଶିକ୍ଷା, ପରିବେଶ ସୁରକ୍ଷା, ଦେଶି ଧାନ ବିହନ ସଂରକ୍ଷଣ ଓ ଉତ୍ପାଦନ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ସେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଶିକ୍ଷା ପରିଦର୍ଶକ ପରେ ଅବସର ଗ୍ରହଣ କରିଥିଲେ । ନିଜେ ଅବିବାହିତ ରହି ସମାଜର ବିିଭିନ୍ନ ବର୍ଗର ଗରିବ ଅଭାବି ପରିବାରଙ୍କୁ ସାହାଯ୍ୟ କରୁଥିଲେ । ଏବଂ ଗରିବ ମେଧା ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଲାଭ ପାଇଁ ପାଠ୍ୟ ପୁସ୍ତକ, ପୋଷାକ, ପ୍ରବେଶିକା ଅର୍ଥ ମଧ୍ୟ ଭରଣା କରୁଥିଲେ । ତାଙ୍କଠାରୁ ଶିକ୍ଷା ଗ୍ରହଣ କରି ବହୁ ମେଧାବୀ ଛାତ୍ରଛାତ୍ରୀ ବିଭିନ୍ନ ଉଚ୍ଚ ପଦବୀରେ କାର୍ଯ୍ୟରତ ରହିଥିବା ବେଳେ କେତେକ ଅବସର ଗ୍ରହଣ କରିଛନ୍ତି । ପରିବେଶ ସୁରକ୍ଷା ପାଇଁ ନୟାଗଡ଼ ଜିଲ୍ଲା ବନବିଭାଗ ଦ୍ବାରା ସେ ସମ୍ବର୍ଦ୍ଧିତ ହୋଇଥିଲେ । ଶରୀର ଅସୁସ୍ଥ ଥିବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଏବଂ ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସୋମବାର ସକାଳେ ତାଙ୍କ ପାର୍ଥିବ ଶରୀରକୁ ରୋହିବାଙ୍କ ସମ୍ଭବ ଅଣାଯାଇଥିଲା । ପରେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସେଠାରୁ ତାଙ୍କ ପାର୍ଥିବ ଶରିରକୁ ଜନ୍ମମାଟି ରଙ୍ଗଣିପାଟଣାକୁ ଅଣାଯାଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ଏବଂ ପରେ ଗ୍ରାମ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପଦ୍ମଶ୍ରୀ ସାବରମତୀ ଓ ଝାଡ଼ଖଣ୍ଡ ହାଇକୋର୍ଟର ପ୍ରାକ୍ତନ ମୁଖ୍ୟ ବିଚାରପତି ଏବଂ ବର୍ତ୍ତମାନର କେନ୍ଦ୍ର ମାନବାଧିକାର କମିଶନର ଅନ୍ୟତମ ସଦସ୍ୟ ଡ. ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କ ସହିତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଗଭିର ଶୋକ ବ୍ୟକ୍ତ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.