ଓଡ଼ଗାଁ,୨୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ୮ ପଞ୍ଚାୟତକୁ ନେଇ କୁରାଳ ବ୍ଳକ ଗଠନ ପାଇଁ କୁରାଳ ବିକାଶ ମଞ୍ଚ ଦାବୀ ଜଣାଇଛି । କୁରାଳର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ତଥା ବରିଷ୍ଠ ନାଗରିକ ରାମେଶ୍ବର ପଣ୍ଡା, ସୁକାନ୍ତ ଚୌଧୁରୀ, ଗଣେଶ୍ୱର ସାହୁ ଏବଂ ଦିଲ୍ଲୀପ କୁମାର ବିଶୋଇ ପ୍ରମୁଖ ଶନିବାର ଅପରାହ୍ନରେ ଏନେଇ କୁରାଳର କେତେକ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ହେଲେ ଯେଉଁ ପଞ୍ଚାୟତ ଗୁଡିକର ମିଶ୍ରଣରେ ପଞ୍ଚାୟତ ସମିତି ଗଠନ କରିବା ପରିକଳ୍ପନା କରାଯାଇଛି ସେମାନଙ୍କ ପ୍ରତିନିଧି ମାନଙ୍କ ସହିତ ଆଲୋଚନା ହେବାର ଆବଶ୍ୟକତା ରହିଛି । ସୂଚନାଯୋଗ୍ୟଯେ ଓଡ଼ଗାଁ ବ୍ଳକର ଅନ୍ୟତମ ବଡ଼ ଏବଂ ଜନବହୁଳ ଗାଁ କୁରାଳ ତଥା କୁରାଳ ପଞ୍ଚାୟତ ସୀମାକୁ ଏବଂ ଗଞ୍ଜାମ ଜିଲ୍ଲା ସୀମା ସରହଦକୁ ଲାଗିରହିଥିବା ସୁନାମୁହଁ, ଗିରିଡିପଲ୍ଲୀ, କୋମଣ୍ଡ, ରୋହିବାଙ୍କ, ପାଣ୍ଡେରିପଡା ପଞ୍ଚାୟତ ସହିତ ରବି ଗାଡ଼ିଆ ଓ ପନ୍ତିଖାରୀ ଗ୍ରାମପଞ୍ଚାୟତକୁ ମିଶାଇ ବ୍ଳକ ଗଠନ କରିବାର ପରିକଳ୍ପନା କରାଯାଇଥିବା ବେଳେ ଏବେ ଏନେଇ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଦସ୍ତଖତ ପରେ ଦାବିପତ୍ରକୁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ସୂଚନା ଥାଉକି ପନ୍ତିଖାରୀ ଗ୍ରାମ ପଞ୍ଚାୟତ ଭବିଷ୍ୟତରେ ଓଡ଼ଗାଁ ଏନ୍ଏସିରେ ମିଶିବାର ସମ୍ଭାବନା ରହିଥିବା ବେଳେ ରବିଗାଡିଆ ପଞ୍ଚାୟତର ଅଧିବାସୀ ୪ କିଲୋମିଟର ଓଡ଼ଗାଁ ବ୍ଳକ ସଦରମହକୁମାକୁ ନଯାଇ ୮ କିଲୋମିଟର ଦୂରତାରେ ଥିବା କୁରାଳ ବ୍ଳକ ଗଠନ ପାଇଁ ସମର୍ଥନ ଦେବା ନେଇ ସନ୍ଦେହ ପ୍ରକାଶ ପାଇଛି।