ଭୁବନେଶ୍ୱର ବିମାନବନ୍ଦରରେ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

0 1

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବିମାନବନ୍ଦର ଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ଷୀୟାନ୍‍ ରାଜନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରିବା ସହିତ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସ୍ୱର୍ଗତ ପ୍ରଧାନଙ୍କ ମରଶରୀର ନୂଆଦିଲ୍ଲୀରୁ ଭୁବନେଶ୍ବର ଆସି ପହଞ୍ଚିବା ପରେ ଭୁବନେଶ୍ୱର ବିମାନବନ୍ଦର ଠାରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ବିମାନବନ୍ଦର ଠାରେ ଡାକ୍ତର ପ୍ରଧାନଙ୍କ ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ, ମନ୍ତ୍ରୀ ମଣ୍ଡଳର ସଦସ୍ୟବୃନ୍ଦ, ବିଧାୟକବୃନ୍ଦ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ସ୍ୱର୍ଗତ ପ୍ରଧାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ସ୍ୱର୍ଗତ ପ୍ରଧାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ରାଜନେତା ଓ ଦକ୍ଷ ପାର୍ଲାମେଣ୍ଟାରିଆନ୍‍ ଭାବେ ସୁଖ୍ୟାତି ଅର୍ଜନ କରିଥିଲେ। ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ଅଭ୍ୟୁଦୟରେ ସ୍ୱର୍ଗତ ପ୍ରଧାନଙ୍କର ଅଗ୍ରଣୀ ଭୂମିକା ରହିଥିଲା । ୧୯୯୯ ରୁ ୨୦୦୧ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଭାବେ ଦକ୍ଷତାର ସହିତ ଦାୟିତ୍ୱ ନିର୍ବାହ କରିଥିଲେ। ରାଜ୍ୟ ବିଜେପିର ବିଭିନ୍ନ ପଦ ତଥା ସଭାପତି ଭାବେ ଡାକ୍ତର ପ୍ରଧାନ ଦୃଢ଼ ନେତୃତ୍ୱ ଦେଇ ପାର୍ଟିର ସ୍ଥିତିକୁ ଓଡ଼ିଶାରେ ମଜବୁତ କରିଥିଲେ। ସ୍ୱର୍ଗତ ପ୍ରଧାନ ସେବା ଓ ସଂକଳ୍ପ ମନୋଭାବ ନେଇ ରାଜ୍ୟର ବିକାଶ ପାଇଁ ସାରା ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ସମାଜର କଲ୍ୟାଣ ଓ ବିକାଶ ପାଇଁ ପ୍ରତିବଦ୍ଧତା ରଖିଥିବା ଏହି ବର୍ଷୀୟାନ୍‍ ରାଜନେତାଙ୍କ ବିୟୋଗ, ରାଜ୍ୟ ତଥା ଭାରତୀୟ ଜନତା ପାର୍ଟି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.