-
କ୍ଷତିପୂରଣ ନେଇ ସୋମବାର ଗାଡ଼ି ମାଲିକ ଓ ପ୍ରଶାସନୀକ ଅଧିକାରୀଙ୍କ ସହ ବୈଠକ ନିଷ୍ପତ୍ତି
-
ଘଟଣା ସ୍ଥଳରେ ରେଡକ୍ରସରୁ ୨୦ ହଜାର ଟଙ୍କା ପ୍ରଦାନ
ଓଡ଼ଗାଁ, ୯।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଆରେଡ଼ା ଗ୍ରାମର ଜଣେ ମହିଳାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ ଘଟଣାରେ ଶବରଖି ଗ୍ରାମବାସୀ ଆରେଡା ଛକ ଠାରେ ନୟାଗଡ଼ -ଓଡଗାଁ ୨୧ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ । ସୂଚନା ଅନୁସାରେ ଚଳିତମାସ ୬ ତାରିଖ ଗୁରୁବାର ଦିନ ଆରେଡା ଗ୍ରାମର ପ୍ରକାଶ ପାଳଙ୍କ ସ୍ତ୍ରୀ ପୁର୍ଣିମା (୩୬) ଚାଲି ଚାଲି ଓଡଗାଁ ବଜାରକୁ ଆସୁଥିବା ବେଳେ ଫଟୋ ଷ୍ଟୁଡିଓ ଛକ ଠାରେ ଗୋଟିଏ ବର ଓ ବରବଦ୍ଧୁ ନେଇ କନ୍ଧମାଳ ଜିଲ୍ଲାକୁ ଯାଉଥିବା କାର ଧକ୍କାରେ ସେ ଗୁରୁତର ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ସମୟରେ ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ଶରୀର ରବିବାର ଗ୍ରାମରେ ପହଁଞ୍ଚିବା ପରେ ପରିବାର ଓ ଗ୍ରାମବାସୀମାନେ ଉତକ୍ଷୀପ୍ତ ହୋଇ ସହାୟତା ଦାବିରେ ମହିଳାଙ୍କ ମୃତ ଶରୀରକୁ ରାଜରାସ୍ତାରେ ରଖି ୨୧ ନମ୍ବର ରାଜ୍ୟ ସଡ଼କ ପଥର ଆରଡା ଛକଠାରେ ଅବରୋଧ କରିଥିଲେ ।
ଖବରପାଇ ଓଡ଼ଗାଁ ଆଇଆଇସି ରସ୍ମୀରଞ୍ଜନ ସାହୁ ଏବଂ ଅନ୍ୟ ପୋଲିସ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଅବରୋଧକାରୀ ମାନଙ୍କୁ ବୁଝାସୁଝା କରିଥିବା ବେଳେ ଓଡ଼ଗାଁ ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ ପହଞ୍ଚି ଆଲୋଚନା ମାଧ୍ୟମରେ ସମସ୍ୟାକୁ ସମାଧାନ ପାଇଁ ଉଦ୍ୟମ କରିଥିଲେ । ପରିବାର ଓ ଗ୍ରାମବାସୀମାନଙ୍କ ଦ୍ବାରା ଅପରାହ୍ନରୁ ପ୍ରାୟ ୪ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିବା ବେଳେ ଓଡ଼ଗାଁ ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ଶରଣକୁଳ ଏସଡିପିଓ ଦିପ୍ତିକାନ୍ତ ପ୍ରଧାନ, ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ରସ୍ମୀରଞ୍ଜନ ସାହୁ ଘଟଣାର ସ୍ଥଳରେ ଅବରୋଧ କାରି ପରିବାର ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ରେଡକ୍ରସ ତରଫରୁ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏବଂ ସୋମବାର ଦୁର୍ଘଟଣା ଘଟାଇଥିବା କାରର ମାଲିକ ପହଁଞ୍ଚିବା ପରେ ଆନ୍ଦୋଳନକାରୀଙ୍କ ପ୍ରତିନିଧି ଏବଂ ପ୍ରଶାସନୀକ ଅଧିକାରୀ ମାନଙ୍କ ଉପସ୍ଥିତିରେ କ୍ଷତିପୂରଣ ବାବଦରେ ଗାଡ଼ି ମାଲିକଙ୍କ ସହିତ ଆଲୋଚନା ହେବାକଥା ସ୍ଥିର ହେବା ପରେ ରାସ୍ତା ଅବରୋଧ ହଟିଥିଲା ।