ଜାତୀୟ ‘ହୋସଲା-୨୦୧୭’ରେ ବ୍ରୋଞ୍ଜ ପଦକ ବଜୟିନୀଙ୍କୁ ସମ୍ବର୍ଦ୍ଧନା

0

 

ବାଲେଶ୍ୱର/Ujjwal Kar : ଜାତୀୟସ୍ତରୀୟ ପ୍ରତିଯୋଗିତା “ହୋସଲା-୨୦୧୭”ରେ ଭାଗ ନେଇ କୃତିତ୍ୱର ସହ ବ୍ରୋଞ୍ଜ ପଦକ ଲାଭ କରିଥିବା ବାଲେଶ୍ୱର ଜିଲ୍ଲା ସୋରସ୍ଥିତ ପୁରୁବାଇ କନ୍ୟାଶ୍ରମର ୪ଜଣ ଅନ୍ତେବାସିନୀଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ  ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚାରି ଜଣ ପ୍ରତିଯୋଗୀ ଶର୍ମିଷ୍ଠା ପଣ୍ଡା, ପ୍ରତିମା ସାମନ୍ତରାୟ, ମମତା ସିଂ ଓ ଛବିରାଣୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ଏବଂ ଅତିରିକ୍ତ ଜିଲ୍ଲାପାଳ ମନ୍ମଥ କୁମାର ପାଣି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କୃତୀ ଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଏହି ସଫଳତା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ପ୍ରଶାସନିକ ଅଧିକାରୀମାନେ ଆଶା ପ୍ରକାଶ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ସମିତିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରୁ ମନୋନୀତ ହୋଇ ରାଜ୍ୟସ୍ତରୀୟ ଓ ପରେ ସେମାନେ ଗତ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ  ଜାତୀୟ ସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ୪ଶହ ମିଟର ରିଲେ ରେସ୍ରେ ସେମାନଙ୍କୁ ବ୍ରୋଞ୍ଜ ପଦକ ସହ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କାର ପୁରସ୍କାର ରାଶି ମିଳିଥିଲା । ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ନୀର୍ଲିପ୍ତା ମହାନ୍ତିଙ୍କ ସମେତ ଜିଲ୍ଲା ସୁରକ୍ଷା ସମିତିର କର୍ମକର୍ତାମାନେ ଏହି ସମ୍ବର୍ଦ୍ଧନା ପର୍ବରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.