ପିଆଇଓ ଠାରୁ ଏପିଲେଟ ପର୍ଯ୍ୟନ୍ତ ସବୁ ଗୋଟେ ଭାଡ଼ିରେ ପାରା
ସୂଚନା ଅଧିକାର ଆଇନକୁ ଫୁ, ଆବେଦନକାରୀଙ୍କୁ ମିଳୁନି ସଠିକ୍ ସୂଚନା
ବାରିପଦା/Dillip Mohanty – ଶାସନରେ ସ୍ୱଚ୍ଛତା ଓ ସାଧାରଣ ନାଗରିକମାନେ ସରକାରଙ୍କ ସମସ୍ତ କାର୍ଯ୍ୟଗୁଡ଼ିକର ସୂଚନା ପାଇପାରିଲେ ହିଁ ସେମାନେ ତାଙ୍କର ନ୍ୟାର୍ଯ୍ୟ ଅଧିକାର ପାଇବା ସମ୍ଭବ ହବ । କରଦାତାଙ୍କ ଅର୍ଥରେ ପରିଚାଳିତ ସରକାରର ଅପାରଗତା, ଅବହେଳା ଓ ସ୍ୱେଚ୍ଛାଚାରୀତା ଦୂର ହୋଇ ପ୍ରଶାସନ ଲୋକାଭିମୁଖୀ, ଜନମଙ୍ଗଳକାରୀ ହେବା ପାଇଁ ବାଧ୍ୟ ହେବେ । ପ୍ରଶାସନରୁ ପ୍ରିୟାପ୍ରୀତି, ଦୂର୍ନୀତି ମଧ୍ୟ ହ୍ରାସ ପାଇବ । ଏଥି ନିମନ୍ତେ ପ୍ରଶାସନକୁ ସଦା ଜାଗ୍ରତ ରଖିବା ସହିତ ସାଧାରଣ ଜନତାଙ୍କ ହାତମୁଠାକୁ ଟାଣ କରାଇ ସରକାର ଓ ସରକାରୀ ଦପ୍ତରଗୁଡ଼ିକରେ କଣ ହେଉଛି ସେ ବିଷୟରେ ଦେଶର ନାଗରିକମାନେ ସୂଚନା ପାଇପାରିଲେ ସରକାରଙ୍କୁ ସଠିକ୍ ରାସ୍ତାରେ ପରିଚାଳିତ କରାଇବାକୁ ସକ୍ଷମ ହେବାର ମହତ୍ ଉଦ୍ଦେଶ୍ୟ ନେଇ ତତ୍କାଳୀନ କଂଗ୍ରେସ ସରକାରଙ୍କ ଦ୍ୱାରା ସୂଚନା ଅଧିକାର ଆଇନ-୨୦୦୫ କାର୍ଯ୍ୟକାରୀ କରାଯାଇ ଥିଲା । ମାତ୍ର ମୟୂରଭଞ୍ଜ ଜିଲାର ସଦର ମହକୁମାରେ ଏହି ଆଇନକୁ ଫୁ ମାରି କାର୍ଯ୍ୟାଳୟର ପିଆଇଓ କାର୍ଯ୍ୟକରୁଥିବାର ପରିଲକ୍ଷିତ ହୋଇଛି । ଜିଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକର ଏପିଆଇଓ, ପିଆଇଓ, ପ୍ରଥମ ଅପିଲ କର୍ତ୍ତୃପକ୍ଷ ଆଦିକୁ ସୂଚନା ଅଧିକାର ଆଇନ ଉପରେ ବିଭିନ୍ନ କର୍ମଶାଳା ଆୟୋଜନ ମାଧ୍ୟମରେ ବାରମ୍ବାର ତାଲିମ ପ୍ରଦାନ କରାଯାଇ ଲକ୍ଷ ଲକ୍ଷ ତାଙ୍କ ପାଣି ପରି ବାହୁଥିଲେ ମଧ୍ୟ ଏହା ପର୍ବତର ମୂଷିକ ପ୍ରସବ ଉପାଖ୍ୟାନରେ ପରିଣତ ହୋଇଥିବାର ପରିଲକ୍ଷିତ ହୋଇଛି ।
ମୟୂରଭଞ୍ଜ ଜିଲାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଦୁର୍ନୀତିର ଗନ୍ତାଘର ପାଲଟି ଯାଇଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ଏଥି ସହିତ ଜିଲାରେ ଆୟ ବର୍ହିଭୂତ ସମ୍ପତି ଠୁଳ ସହିତ ଭିଜିଲାନ୍ସ ଟ୍ରାପରେ ଛନ୍ଦି ହେଉଥିବା ସରକାରୀ କର୍ମଚାରୀମାନଙ୍କ ସଂଖ୍ୟା ରାଜ୍ୟର ଅନ୍ୟ ସମସ୍ତ ଜିଲାଗୁଡ଼ିକଠାରୁ ସର୍ବାଧିକ ହୋଇଥିବାରୁ ଜନସାଧାରଣଙ୍କ ଅଭିଯୋଗକୁ ମଧ୍ୟ କେତେକାଂଶରେ ସତ୍ୟରେ ପରିଣତ କରାଇଦେଉଛି । ବାରିପଦା ସହରର ତକତପୁରଠାରେ ଥିବା ଉଦ୍ୟାନ ଓ କୃଷି ବିଭାଗର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଦୁର୍ନୀତିର ପାହାଡ଼ ଉପରେ ବସିଥିବାର ଅଭିଯୋଗ ଆସିବା ପରେ ଏହାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ନିମନ୍ତେ ବାରିପଦା ପୌରପରିଷଦର ନହରପଦା ନିବାସୀ ସମର ରଞ୍ଜନ ଦାସ ସରକାରଙ୍କ ପକ୍ଷରୁ କାର୍ଯ୍ୟାଳୟକୁ କେତେ ଅର୍ଥ ଆସିଥିଲା, ଏହି ସମସ୍ତ ଅର୍ଥରୁ କେତେ ଖର୍ଚ୍ଚ ହୋଇଥିଲା, କେତେ ଫେରସ୍ତ ଯାଇଥିଲା ତାର ହିସାବ ସହିତ ଉକ୍ତ ଅର୍ଥରେ କେତେ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି, କେଉଁ ଯୋଜନାରେ କେତେ ଟଙ୍କାର ଋଣ ଓ ସବସିଡ଼ି ଆଦି ପାଇଛନ୍ତି ସେମାନଙ୍କର ଠିକଣା, ବିସ୍ତୃତ ବିବରଣୀ ସହିତ ଏ ବାବଦରେ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସମସ୍ତ ନଥିପତ୍ରର ନକଲ ସୂଚନା ଅଧିକାର ଆଇନ-୨୦୦୫ ବଳରେ ଆବଶ୍ୟକୀୟ କାଗଜପତ୍ର ସହିତ ୦୧.୦୮. ୨୦୧୭ରେ କାର୍ଯ୍ୟାଳୟର ପିଆଇଓଙ୍କ ନିକଟରେ ଆବେଦନ କରିଥିଲେ । ମାତ୍ର ଆଇନରେ ପିଆଇଓ ଆବେଦନକାରୀଙ୍କୁ ଆବେଦନର ୩୦ ଦିନ ମଧ୍ୟରେ ସୂଚନା ପ୍ରଦାନ କରିବାକୁ ବାଧ୍ୟ ବୋଲି ଦର୍ଶାଯାଇଥିଲେ ମଧ୍ୟ ଏହା ପାଳନ କରି ନ ଥିଲେ । ଏହାପରେ ଆବେଦନକାରୀ ଏହା ବିରୋଧରେ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିକଟରେ ଅପିଲ କରିଛନ୍ତି । ଏହି ସମୟ ମଧ୍ୟରେ କାର୍ଯ୍ୟାଳୟର ପିଆଇଓ ରେଜିଷ୍ଟାର ଡ଼ାକ ଯୋଗେ କିଛି କାଗଜ ଆବେଦନକାରୀ ଶ୍ରୀଦାସଙ୍କ ନିକଟକୁ ପଠାଇ ଦେଇଥିଲେ । ଉକ୍ତ କାଗଜଗୁଡ଼ିକରେ ବିଭାଗୀୟ ଅଧିକାରୀ, ପଦାଧିକାରୀମାନଙ୍କର ସ୍ୱାକ୍ଷର ସହିତ ସିଲ ନଥିବା ବେଳେ ପିଆଇଓଙ୍କର ମଧ୍ୟ ସ୍ୱାକ୍ଷର କିମ୍ବା ମୋହର ନ ଥିବାର ଦେଖିବାକୁ ମିଳି ଥିଲା । ଏହି ଘଟଣାକୁ ନେଇ ଶ୍ରୀଦାସ ଆମର ମୟୂରଭଞ୍ଜ ଜିଲା ପ୍ରତିନିଧିଙ୍କ ନିକଟରେ ଅଭିଯୋଗ ଆଣିବାରେ ସେ ସତ୍ୟାସତ୍ୟ ଅନୁଧ୍ୟାନ କରିବା ସହିତ ସୂଚନା ଅଧିକାର ଆଇନ କଣ କହୁଛି ବୋଲି ଉଦ୍ୟାନ ଓ କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ପିଆଇଓଙ୍କୁ ସାକ୍ଷାତ କରିବାରୁ ତାଙ୍କୁ ସୂଚନା ଅଧିକାର ଆଇନ ବିଷୟରେ ଜଣା ନାହିଁ । ଏହି ଅଳ୍ପ ଦିନ ହେବ କାର୍ଯ୍ୟାଳୟକୁ ବଦଳି ହୋଇ ଆସିଛି ଏବଂ ଆସିବା ପରେପରେ ଏହି ଦାୟିତ୍ୱ ଦିଆଯାଇଛି । ପାଇଥିବା ସୂଚନାରେ ସନ୍ତୁଷ୍ଟ ନ ଥିଲେ ଅପିଲ କରନ୍ତୁ ବୋଲି କହିଥିଲେ । ପିଆଇଓଙ୍କ ଉତ୍ତରକୁ ନେଇ ସୂଚନା ଅଧିକାର ରିସୋର୍ସ ପର୍ସନ ତଥା ସମାଜସେବୀ ମୟୂରଭଞ୍ଜ ବାରଆସୋସିଏସନର ପୂର୍ବତନ ସାଧାରଣ ସମ୍ପାଦକ ବିଭୂ ପ୍ରସାଦ ଦାସ ଦାସ ଏହା ଗାଲୁଆଙ୍କ ବାରବାଟୀ ଚାଷ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ପିଆଇଓ ନିଜର କ୍ଷମତା, କାର୍ଯ୍ୟ ଓ ସୂଚନା ଅଧିକାର ଆଇନ କଣ ଆଦି ଜଣା ନାହିଁ କହି ଖସିଯିବାକୁ ଚେଷ୍ଟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ଆଇନ କଣ ତାହା କେହି ମା ପେଟରୁ ଶିକ୍ଷା କରି ଆସି ନ ଥାଏ । ଏଥି ନିମନ୍ତେ ଆଗ୍ରହ ଓ ଇଚ୍ଛାଶକ୍ତି ଥିବା ଦରକାର । ପିଆଇଓ ପଦ ସମ୍ଭାଳିବା ପୂର୍ବରୁ ପ୍ରଥମେ ଯେ କୌଣସି ଉପାୟରେ ସୂଚନା ଅଧିକାର ଆଇନ ଉପରେ ଜ୍ଞାନ ଆହରଣ କରିବାର ଆବଶ୍ୟକତା ରହିଥିଲା । ପୁଣି ଅପିଲ କରିବା ନ କରିବା ତାହା ଆବେଦନକାରୀର ନିଜସ୍ୱ ବ୍ୟାପାର । ସେ ବିଷୟରେ ଆବେଦନକାରୀଙ୍କୁ ପରାମର୍ଶ ଦେବାର ଅଧିକାର ନାହିଁ ବୋଲି ଆଇନଜୀବୀ ଶ୍ରୀଦାସ କହିଛନ୍ତି । ମୟୂରଭଞ୍ଜ ଜିଲାରେ କେବଳ ଏହା ଗୋଟାଏ ଉଦାହରଣ ନୁହେଁ ପ୍ରାୟତଃ ବିଭିନ୍ନ କାର୍ଯ୍ୟାଳୟରେ ଆବେଦନକାରୀଙ୍କୁ ସୂଚନା ଅଧିକାର ଆଇନ ବଳରେ ସୂଚନା ମିଳିପାରୁ ନ ଥିବାର ଅଭିଯୋଗ ହେଉଛି । ଏପରିକି କେତେକ କାର୍ଯ୍ୟାଳୟ ସହିତ ଖୋଦ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ କୌଣସି ସୂଚନା ଫଳକ ନ ଥିବାର ପରିଲକ୍ଷିତ ହୋଇଛି । ଯାହାଫଳରେ ଅଧିକାଂଶ ସମୟରେ ଆବେଦନକାରୀଙ୍କୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ୁଛି ।