କେନ୍ଦୁଝର,ତା୨୨/୧- କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଯମୁନାପୋଷି ପଞ୍ଚାୟତ ଅନ୍ତର୍ଗତ କୋଡ଼ଖମଣ ଗ୍ରାମର କୁଳମଣି ମହାନ୍ତଙ୍କ ସ୍ତ୍ରୀ ଲତା ମହାନ୍ତଙ୍କ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିବା ପରେ ପରିବାର ଲୋକଙ୍କ ସହମତିକ୍ରମେ ତାଙ୍କ ଯକୃତ ଅନ୍ୟ ଜଣଙ୍କଠାରେ ପ୍ରତିରୋପିତ ହୋଇଛି।ମୃତ୍ୟୁ ପରେ ମଧ୍ୟ ଅନ୍ୟଜଣଙ୍କ ଜୀବନ ବଞ୍ଚାଇ ସ୍ୱର୍ଗତା ଲତା ମହାନ୍ତ ଅମରତ୍ୱ ପ୍ରାପ୍ତି କରିବା ସହ ସମାଜରେ ଏକ ଉଦାହରଣ ପାଲଟିଛନ୍ତି ।କିଛିଦିନ ତଳେ ଅସୁସ୍ଥ ହୋଇପଡିଥିବା ସ୍ୱର୍ଗତା ଲତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ଓ ପରିବାର ଲୋକଙ୍କ ପ୍ରାର୍ଥନା ସତ୍ୱେ ଗତକାଲି ରାତିରେ ଇହଲୀଳା ସମ୍ବରଣ କରିବା ପରେ ଅଙ୍ଗଦାନ କରିବା ନେଇ ସେ କରିଥିବା ତାଙ୍କ ଶେଷ ଇଚ୍ଛାକୁ ପରିବାରଲୋକ ପୂରଣ କରିଥିଲେ। ଆଜି ସ୍ବର୍ଗତା ଲତା ମହାନ୍ତଙ୍କ ମରଶରୀରକୁ ସ୍ଵଜନଙ୍କ ଶେଷଦର୍ଶନ ପାଇଁ କୋଡ଼ଖମଣ ସ୍ଥିତ ବାସଭବନକୁ ଅଣାଯିବା ପରେ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା। ଅଙ୍ଗଦାନ ଭଳି ମହତ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ତ୍ୟାଗକୁ ସମ୍ମାନ ଓ ସ୍ୱୀକୃତି ଦେବା ସହ ଅଙ୍ଗଦାନ ନିମନ୍ତେ ସାମାଜିକ ସ୍ତରରେ ସଚେତନତା ବୃଦ୍ଧି ନିମନ୍ତେ ପ୍ରଚଳିତ ନିୟମ ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଆରକ୍ଷୀ ବାହିନୀଙ୍କ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।
ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ ଶ୍ମଶାନରେ ଉପସ୍ଥିତ ରହି ଜିଲ୍ଲା ପ୍ରଶାସନ ତରଫରୁ ଶେଷ ସମ୍ମାନ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚମ୍ପୁଆ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବିଜୟ କୁମାର ମଲ୍ଲିକ ଉପସ୍ଥିତ ରହିଥିଲେ ।ଏକମାତ୍ର ପୁତ୍ର ପୁରୁଷୋତ୍ତମ ମହାନ୍ତ ମୁଖାଗ୍ନି ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.