ଆଜି ବୀରତା ଦିବସ

2

ଘେଁସ ସହିଦ ପୀଠରେ ମାଲ୍ୟାର୍ପଣ ଓ ସ୍ମୃତିସଭା

ଘେଁସ :-ଡିସେମ୍ବର ୩୧ ବୀରତା ଦିବସ ମା’ ମାଟି ଅସ୍ମିତା, ସ୍ବାଭିମାନର ଦିବସ୧୮୫୭ ସ୍ବାଧୀନତା ସଂଗ୍ରାମରେ ସବୁ ବ୍ୟକ୍ତିଗତ ସୁଖ, ସ୍ବାଚ୍ଛନ୍ଦ୍ୟକୁ ଜଳଂଜଳି ଦେଇ ମାତୃଭୂମିର ମୁକ୍ତିଯଜ୍ଞରେ ନିଜର ତଥା ସମଗ୍ର ପରିବାର ଜୀବନକୁ ଆହୂତି ଦେଇଯାଇ ଓଡ଼ିଶା ରାଜ୍ୟ ତଥା ମଧ୍ୟଭାରତର ଅବଦାନକୁ ଗୌରବୋଜ୍ଜ୍ବଳ କରିଥିବା ଅନନ୍ୟ ସଂଗ୍ରାମୀ ସହିଦ ମାଧୋ ସିଂହଙ୍କ ବୀରତ୍ଵ ଓ ବଳିଦାନକୁ ଏ ଜାତି ଯଥୋଚିତ ସମ୍ମାନ ଦେଇପାରିନାହିଁ। ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ଦିନ ମାଧୋ ସିଂହଙ୍କ ଫାଶୀ ଦିବସକୁ ବୀରତା ଦିବସ ଭାବେ ଓଡ଼ିଶାରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ମାତ୍ର ଚଳିତ ବର୍ଷ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକରେ ସପ୍ତାହବ୍ୟାପି ରାଷ୍ଟ୍ରୀୟ ଶୋକ ପାଳିତ ହେଉଥିବା ବେଳେ ବୀରତା ଦିବସକୁ ନିରାଡ଼ମ୍ବର ଭାବରେ ପାଳନ କରାଯାଉଛି। ସୂଚନାଯୋଗ୍ୟ ଯେ ଜାତୀୟ ବୀର ମାଧୋ ସିଂହଙ୍କ ନାମରେ ଓଡ଼ିଶା ସରକାର ‘ମାଧୋ ସିଂ ହାତପାଣ୍ଠି ଯୋଜନା ପ୍ରଣୟନ କରିଛନ୍ତି। ଡିସେମ୍ବର ୩୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘେଁସ ଗସ୍ତରେ ଆସି ଏହି ଯୋଜନାକୁ ଉଦ୍‌ଘାଟନ କରିବା ପାଇଁ ଚୂଡ଼ାନ୍ତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଟେଣ୍ଟ ତ‌ଥା ଆନୁଷଙ୍ଗିକ କାମ ଆଗେଇ ଚାଲିଥିଲା। ମାତ୍ର ହଠାତ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିବାର ଜଣାଯାଇଛି। ଅନ୍ୟପକ୍ଷରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଘେଁସରେ ପାଳିତ ହେବାକୁ ଥିବା ରାଜ୍ୟସ୍ତରୀୟ ବୀରତା ଦିବସରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ନୃତ୍ୟଗୀତ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ସଂଧ୍ୟା ୫ଟାରେ ଘେଁସ ସହିଦ ସ୍ମୃତି ପୀଠରେ ମାଲ୍ୟାର୍ପଣ କରିବା ପରେ ରାଜବାର୍ଟ ପ୍ରାଙ୍ଗଣରେ ସଂଧ୍ୟା ୬ଟାରେ ବୀରତା ଦିବସର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ, ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲାପାଳ, ପଦ୍ମପୁର ଉପଜିଲ୍ଲାପାଳଙ୍କ ସମେତ ଅତିଥିବୃନ୍ଦ ଯୋଗଦାନ କରିବାର ସୂଚନା ରହିଛି। ଡିଆଇପିଆର୍‌ଓ ପ୍ରହଲ୍ଲାଦ ଖୋସଲାଙ୍କ ଉପସ୍ଥିତିରେ ସୋମବାର ସଂଧ୍ୟାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଡୋଳାମଣି ପଟେଲ, ସୁଦାମା ବାରିକ, ଅଧ୍ୟାପକ ସୁଶାନ୍ତ ମିଶ୍ର, ଲୋକେଶ୍ବର ସିଂହ, କମଳ ପଟେଲ, ପୁରନ ଖମାରି, ପ୍ରଦୀପ ମେହେର, ପ୍ରମୋଦ ସାହୁ, ବିଜୟ ପଟେଲ, ସୁନୀଲ ମହାପାତ୍ର, ପ୍ରଭାତ ବରିହାଙ୍କ ସମେତ ସହିଦ କୁଞ୍ଜେଲ ସିଂହ କ୍ଲବର କର୍ମକର୍ତ୍ତା, ଘେଁସ ଗ୍ରାମ୍ୟ କମିଟିର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ |

Leave A Reply

Your email address will not be published.