ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ସ୍ତରୀୟ ଚାଷୀଙ୍କୁ ଇନପୁଟ ସହାୟତା ପ୍ରଦାନ ଶୁଭାରମ୍ଭ କାର୍ଯ୍ୟକ୍ରମ ପ୍ରହସନରେ ପରିଣତ ହୋଇଛି । ଯୋଗାଣ ବିଭାଗ, ସମବାୟ ବିଭାଗ ଓ କୃଷି ବିଭାଗକୁ ନେଇ ବାରମ୍ବାର ପ୍ରସ୍ତୁତି ବୈଠକ କରାଯାଇଥିବା ବେଳେ ଫଳଶୂନ ବୋଲି ଦେଖାଯାଇଛି । ବରଗଡ଼ ଜିଲ୍ଲାର ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବାକୁ ନୟାଗଡ଼ ଷ୍ଟାଡିୟମଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖିବା ବେଳକୁ ସଭାରେ ହାତଗଣତି ନେତାଙ୍କ ବ୍ୟତୀତ ଜଣେ ହେଲେ ଚାଷୀଙ୍କୁ ଦେଖିବାକୁ ମିଳିନଥିଲା । କାର୍ଯ୍ୟକ୍ରମରେ ହଜାରେ ଚାଷୀଙ୍କ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ବିଭିନ୍ନ ବ୍ଲକରୁ ବସ ମାଧ୍ୟମରେ ଅଣାଯାଇ ମାତ୍ର ୩ ଶହରୁ ୩ ଶହ ୫୦ ଜଣ ଚାଷୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହିବେ ବୋଲି ପୂର୍ବରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଥିଲେ ମଧ୍ୟ ଖଣ୍ଡପଡ଼ା ବିଧାୟକଙ୍କ ବ୍ୟତିତ ଅନ୍ୟ କାହାରିକୁ ଦେଖିବାକୁ ମିଳିନଥିଲା । ଦେଢ଼ ଘଣ୍ଟା ବିଳମ୍ବରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ ମଧ୍ୟ ଚାଷୀ ଓ ଅତିଥି ଚୈାକି ଖାଲି ପଡ଼ିଥିଲା ।
ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଅତିଥି ଭାବେ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ପ୍ରମୁଖ ଉପସ୍ଥିତ ରହିଥିଲେ। ଜିଲ୍ଲାପାଳ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ସହ ଧାନବିକ୍ରିରେ ଚାଷୀ ଇନପୁଟ ସହାୟତା ପାଇବା ପରେ ଚାଷୀମାନେ ବହୁତ୍ ଲାଭବାନ ହେବେ ବୋଲି କହିଥିଲେ। ଜିଲ୍ଲାରେ ୨୭ ଡିସେମ୍ବରରୁ ଧାନକିଣା ଶୁଭାରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଏ ବର୍ଷ ଟୋକନ ଅବଧି ଏକ ମାସ ବାଦ ଅତିରିକ୍ତ ୭ ଦିନ ବୃଦ୍ଧି କରି ପାରିବା ପାଇଁ ସରକାର ବ୍ୟବସ୍ଥା କରିବା ପାଇଁ ସରକାର ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରିଥିବା କହିଥିଲେ । ଖଣ୍ଡପଡ଼ା ବିଧାୟକ ସରକାର ପ୍ରତିଶ୍ରୁତି ରକ୍ଷା କରି ଇନପୁଟ ସହାୟତା ରାଶି ପ୍ରଦାନ କରିଛନ୍ତି ବୋଲି କହିଥିଲେ। ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା । ବରଗଡ଼ରେ କାର୍ଯ୍ୟକ୍ରମ ବିଳମ୍ବରେ ଅନୁଷ୍ଠିତ ହୋଇଥିବାରୁ ଉପସ୍ଥିତ ଚାଷୀମାନେ ଅପେକ୍ଷା କରି ଶେଷରେ ଖାଇବା ପାଇଁ ଉଠି ଚାଲି ଯାଇଥିଲେ । ଫଳରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ବେଳକୁ ଚାଷୀ ଅନୁପସ୍ଥିତ ରହିଥିବା ଦେଖାଯାଇଥିଲା ।