ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଧାନସଂଗ୍ରହ ବୈଠକରେ ଯୋଗଦେଲେ ଅନେକ ମିଲ୍ ମାଲିକ

0

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଚଳିତ ମାସ ଡିସେମ୍ବର ମାସ ୨୩ ତାରିଖ ରୁ ଆରମ୍ଭ ହେବାକୁ ଥିବା ଧାନ କିଣା ପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନିଲ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷ ଠାରେ ଆଜି ଡିସେମ୍ବର ମାସ ୬ ତାରିଖ ଶୁକ୍ରବାର ୨୦୨୪ ଦିନ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ ୧୨୧ ଟି ସେବା ସମବାୟ ସମିତି ଓ ୩୬ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ମୋଟ ୧୫୭ ଟି ସ୍ଥାନରେ ଧାନ କିଣିବା ପାଇଁ ନିଷ୍ପତ୍ତି ହୋଇଛି ।

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଧାନ ବିକ୍ରି, ସ୍ଵୟଂ ସହାୟକ ଗୋଷ୍ଠୀମାନେ ଧାନ କିଣିବା ଏବଂ ଚାଷୀମାନେ ଯେଉଁଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ ଏହି ଦିଗରେ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ଚାଷୀ ଯେପରି , ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ କମ୍ ଦାମ୍ ରେ ବେପାରୀ ମାନଙ୍କୁ ଧାନ ବିକ୍ରୟ ନ କରେ ,ଏହାକୁ ରୋକିବା ପାଇଁ ସମସ୍ତ ବ୍ଲକ୍ ରୁ ତହସିଲଦାରଙ୍କ ନେତୃତ୍ବରେ ଏକ “ଏନଫୋର୍ସମେଣ୍ଟ” ଟିମ ଗଠନ କରାଯାଇଛି । ଭଞ୍ଜନଗର ଉପଖଣ୍ଡରେ ଗତ ବର୍ଷ ୩୫୯୨୮ ଜଣ ଚାଷୀ ଙ୍କ ଠାରୁ ୧୪,୭୦,୨୩୯.୦୭ କୁଇଣ୍ଟାଲ ଧାନ କିଣାଯାଇଥିବାବେଳେ ଚଳିତ ବର୍ଷ ୨୦୨୪ ରେ ଧାନ ବିକିବା ପାଇଁ ୪୬୬୨୦ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି । ଗତ ବର୍ଷ ମିଲରଙ୍କ ସଂଖ୍ୟା ୧୩୨ ଥିଲା ବେଳେ ଏ ବର୍ଷ ୧୩୪ ଜଣ ମିଲର ଧାନ କିଣାରେ ସହମତି ଦେଇଥିବା ସୂଚନା ମିଳିଛି । ଚଳିତ ବର୍ଷ ଟୋକେନ୍ ପାଇବାର ୩୦ ଦିନ ମଧ୍ୟରେ ଚାଷୀ ଧାନ ବିକ୍ରି କରିପାରିବେ । ଏଥିସହ ଯୋଗ୍ୟ ଚାଷୀଙ୍କଠାରୁ ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ କିଣାଯିବା ସେଥିପାଇଁ ଆବଶ୍ୟକ ଟାର୍ଗେଟ ( ଗତ ବର୍ଷ ର ୧୦୦% )ଉପଖଣ୍ଡକୁ ଆସିଯାଇଛି । ସେହିଭଳି ୨୦୨୩-୨୪ ଖରିଫ ବର୍ଷରେ ସାଧାରଣ ଧାନ ନିମନ୍ତେ କୁଇଣ୍ଟାଲ୍ ସକାଶେ ୨୧୨୩ ଟଙ୍କା ପ୍ରତି ଦର ଧାର୍ଯ୍ୟ ଥିଲା । ଚଳିତ ବର୍ଷ ସାଧାରଣ ଧାନ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ପ୍ରତି କୁଇଣ୍ଟାଲ ଦର ଧାର୍ଯ୍ୟ ରଖାଯାଇଛି । ଏହା ବାଦ ରାଜ୍ୟ ସରକାର ପ୍ରତି କୁଇଣ୍ଟାଲ ଧାନ ରେ ୮୦୦ ଟଙ୍କା ଇନପୁଟ୍ ଆସିଷ୍ଟIନ୍ସ ଦେବେ। ତେଣୁ ଜଣେ ଚାଷୀ କୁ ସମୁଦାୟ ୩୧୦୦ ଟଙ୍କା ମିଳିବ ପ୍ରତି କୁଇଣ୍ଟାଲ୍ ରେ। ସେହିଭଳି ଗ୍ରେଡ- ଏ ,ଧାନର ମୂଲ୍ୟ ଗତ ବର୍ଷ ୨୨୦୩ ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ଏହା ୨୩୨୦ ଟଙ୍କାକୁ ବୃଦ୍ଧି ପାଇଛି । ପଞ୍ଜୀକୃତ କରିଥିବା ଚାଷୀ ମାନେ ୧୯୬୭ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରି ସେମାନଙ୍କ ଟୋକେନ୍ , ଧାନ ବିକ୍ରୟ ତାରିଖ ଏବଂ ଅନ୍ୟାନ୍ୟ ବିଷୟରେ ସୂଚନା ପାଇପାରିବେ । ଚଳିତ ବର୍ଷ ଚାଷୀଙ୍କୁ ଯେଉଁଭଳି କୌଣସି ସମସ୍ୟା ଉପୁଜିବ ନାହିଁ ,ଧାନ କ୍ରୟ ସମୟରେ ଆବଶ୍ୟକ ହେଉଥିବା ଯନ୍ତ୍ରପାତି ସବୁକୁ ପ୍ରସ୍ତୁତ ରଖିବାକୁ ଉପଜିଲ୍ଲାପାଳ ଆର.ଏମ.ସି କର୍ତ୍ତୁପକ୍ଷଙ୍କୁ ନିର୍ଦେଶ ଦେବା ସହ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କିଣିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଉପଜିଲ୍ଲାପାଳ ଏ.ଆର୍.ସି.ଏସ୍. ଙ୍କୁ ଚଳିତ ମାସ ୧୫ ତାରିଖ ସୁଦ୍ଧା ସମସ୍ତ ସନ୍ଦିଗ୍ଧ ପ୍ଲଟ ର ଭେରିଫିକେସନ୍ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତବର୍ଷ ସନ୍ଦିଗ୍ଧ ପ୍ଲଟ ସଂଖ୍ୟା ୧,୪୬,୦୬୭ ଥିଲା ବେଳେ ଏଥର ତାହା ୧,୧୭,୪୬୮ ଅଛି । ଉପଖଣ୍ଡ ରେ ଆସିକା ବ୍ଲକ ରେ ୧୮ ଟି ,ବେଲଗୁଣ୍ଠା ରେ ୧୩ ଟି, ଭଞ୍ଜନଗର ରେ ୧୨ ଟି, ବୁଗୁଡା ରେ ୧୪ ଟି, ଧରାକୋଟ ରେ ୧୫ ଟି, ଜଗନ୍ନାଥପ୍ରସାଦ ରେ ୧୭ ଟି, ଶେରଗଡ ରେ ୧୫ ଟି ସୋରଡା ରେ ୧୭ ଟି ସମବାୟ ସେବା ସମିତି ରେ ଧାନ କିଣାଯିବ I ଏଥିସହ ଆସିକା ବ୍ଲକ ରେ ୧୪ ଟି ,ବେଲଗୁଣ୍ଠା ରେ ୨ ଟି, ଭଞ୍ଜନଗର ରେ ୩ ଟି, ଧରାକୋଟ ରେ ୪ ଟି, ଜଗନ୍ନାଥପ୍ରସାଦ ରେ ୫ ଟି, ଶେରଗଡ ରେ ୪ ଟି , ସୋରଡା ରେ ୫ ଟି ସ୍ଵୟଂସହାୟକ ଗୋଷ୍ଠୀ ଧାନ କିଣିବେ ବୋଲି ସୂଚନା ମିଳିଛି । ପ୍ରଥମ ଥର ପାଇଁ ଏ ବର୍ଷ ପ୍ରତ୍ୟେକ ମଣ୍ଡି ପାଇଁ ଜଣେ ଜଣେ ନୋଡାଲ୍ ଅଫିସର୍ ନିଯୁକ୍ତ ହୋଇଛନ୍ତି। ଏବଂ ପ୍ରତ୍ୟେକ ୪ ରୁ ୫ ଟି ମଣ୍ଡି ପାଇଁ ଜଣେ ଜଣେ ମଣ୍ଡି- ସୁପରଭାଇଜର୍ ନିଯୁକ୍ତ ହୋଇଛନ୍ତି । ସେମାନଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଧାନ କିଣା ପ୍ରକ୍ରିୟା ଚାଲିବ I ଏ ବର୍ଷ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସୋସାଇଟି ରେ ପ୍ରତ୍ୟେକ ଶହେ ଜଣ ଚାଷୀ ଙ୍କୁ ନେଇ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଉଛି । ସେଥିରେ ଚାଷୀ ମାନେ କିଭଳି ଏଫ୍.ଏ. କିୟୁ ଧାନ ମଣ୍ଡି କୁ ଆଣିବେ ସେଥିପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଆର୍.ଏମ୍.ସି ତରଫ ରୁ ପ୍ରତ୍ୟକ ମଣ୍ଡି ପାଇଁ ଜଣେ ଜଣେ ଗୁଣବତ୍ତା ବିଶ୍ଳେଷକ ଯୋଗାଇ ଦିଆଯିବ । ମଣ୍ଡିରେ ଧାନ ର ଗୁଣବତ୍ତା ପରୀକ୍ଷା ସମୟ ରେ ଏହି ଅଧିକାରୀ ମାନଙ୍କ ସହିତ ଚାଷୀ,ସମିତି ସମ୍ପାଦକ ଓ ମିଲର୍ ପ୍ରତିନିଧି ରହିବେ । ଆଜିର ଏହି ବୈଠକ ରେ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ଅସିତ ମହାନ୍ତି ଙ୍କ ସମେତ ଉପଖଣ୍ଡ ଅଧୀନ ସମସ୍ତ ବ୍ଲକ ର ବିଡିଓ, ତହସିଲଦାର, ସିଡିପିଓ, ସମସ୍ତ ଯୋଗାଣ ନିରୀକ୍ଷକ,ଏ.ଆର୍.ସି.ଏସ୍ ସମବାୟ ବିଭାଗର ଅଧିକାରୀ, ଆର୍.ଏମ୍.ସି ର ସମ୍ପାଦକ,ମିଶନ ଶକ୍ତି କାର୍ଯ୍ୟକର୍ତ୍ତା ଙ୍କ ସମେତ ମିଲର୍ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ସଭା ଶେଷ ରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.