ଇର୍ଷାରେ ବୁଡି ରହିଥିବା ଲୋକଙ୍କୁ ଭଗବାନ କ୍ଷମା କରି ଦିଅନ୍ତୁ : ଧର୍ମେନ୍ଦ୍ର  

0

ଉଜ୍ଜଳା ସାନିଟାରୀ ନାପ୍କିନ୍ ପ୍ରସ୍ତୁତି ଓ ବିପଣନ କେନ୍ଦ୍ରର ଶୁଭାରମ୍ଭ 

ଓଡିଶାର ୨.୨୫ କୋଟି ମହିଳାମାନଙ୍କୁ ସ୍ୱାବଲମ୍ବୀ  ନକରିବା ପର୍ଯ୍ୟନ୍ତ ନୂଆ ଓଡିଶା ସମ୍ଭବ ନୁହେଁ-ଧର୍ମେନ୍ଦ୍ର 

ଭୁବନେଶ୍ୱର(କୁମାର ଅଭିଶେଖ) -ନୂଆ ଭାରତ ନୂଆ ଓଡିଶା ବିନା ସମ୍ଭବ ନୁହେଁ । ସାଢେ ୪ କୋଟି ଜନସଂଖ୍ୟାର ୨.୨୫ କୋଟି ମହିଳାଙ୍କୁ ସ୍ୱାବଲମ୍ବୀ, ସ୍ୱୟଂପ୍ରଭା ଓ ସ୍ୱୟଂସିଦ୍ଧା ନକରିବା ପର୍ଯ୍ୟନ୍ତ ନୂଆ ଓଡିଶା ସମ୍ଭବ ନୁହେଁ ବୋଲି ରାଜ୍ୟରେ ୧୦୦ଟି ଉଜ୍ଜଳା ସାନିଟାରୀ ନାପ୍କିନ୍ ପ୍ରସ୍ତୁତି ଓ ବିପଣନ କେନ୍ଦ୍ରର ଶୁଭାରମ୍ଭ ଅବସରରେ ସମବେତ ଜନତାଙ୍କୁ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି କେତେଦିନ ରାଜ୍ୟର ମହିଳାମାନେ ରିଭଲଭିଙ୍ଗ୍ ଫଣ୍ଡ ହାତଟେକା ନେଇ ଚଳୁଥିବେ । ମହିଳମାନଙ୍କୁ ନିଜର ରୋଜଗାର ମାଧ୍ୟମରେ ସ୍ୱାବଲମ୍ବୀ କରିବା ପାଇଁ ଉଜ୍ଜଳା ସାନିଟାରୀ ନାପ୍କିନ୍ ପ୍ରସ୍ତୁତି ଓ ବିପଣନ ଯୋଜନା ମାଧ୍ୟମରେ ପ୍ରତି କେନ୍ଦ୍ରରେ ଅନ୍ୟୁନ ୧୦ଟି ପରିବାର ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରାଯିବାର ଉଦ୍ୟମ କରାଯାଇଛି ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଉଜ୍ଜଳା ହିତାଧିକାରୀଙ୍କ ସହ ଭିଡିଓକନଫରେନସିଂ ସମୟରେ ମୟୁରଭଞ୍ଜର ଜଣେ ମହିଳା ଘରେ ଉଜ୍ଜଳା ଗ୍ୟାସ ଲାଗିବା କାରଣରୁ ତାଙ୍କର କାଠ, କୁଟା ଯୋଗାଡ ଓ ରୋଷେଇରୁ ସମୟ ବଂଚୁଥିବାରୁ ରୋଜଗାର କରିବା ପାଇଁ ଉପାୟ ବତାଇବାକୁ ପ୍ରସ୍ତାବ ଦେଇଥିଲେ । ଏଥିରୁ ତୈଳକମ୍ପାନୀ ମାନେ ଉଜ୍ଜଳା ସାନିଟାରୀ ନାପ୍କିନର ଯୋଜନା କରି ମହିଳା ମାନଙ୍କୁ ରୋଜଗାରରେ ସାମିଲ ହେବାପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟରେ ୩୫ ଲକ୍ଷ ପରିବାରରେ ଉଜ୍ଜଳା ଗ୍ୟାସ ଲାଗିସାରିଛି । ଏହି ଯୋଜନା ବିଫଳ ହୋଇଛି ବୋଲି ଏହାର ସଫଳତାକୁ ସହି ନପାରି ଇର୍ଷାନ୍ୱିତ ହୋଇ କିଛି ଲୋକ କହୁଛନ୍ତି । ଇର୍ଷାରେ ବୁଡି ରହିଥିବା ଲୋକଙ୍କୁ ଭଗବାନ କ୍ଷମା କରି ଦିଅନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଉଜ୍ଜଳା ଯୋଜନାରେ ନିୟମ କୋହଳ ହେବା କାରଣରୁ ୩୫ ଲକ୍ଷ ପରିବାର ବଢି ୪୫ ଲକ୍ଷରେ ପହଁଚିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ରାଜ୍ୟ ସରକାର ବାହାର ରାଜ୍ୟରୁ ଶିଳ୍ପପତି ମାନଙ୍କୁ ଡାକିଆଣି ମାଗଣାରେ ଜମି ଦେଇ ଶିଳ୍ପ ପ୍ରତିଷ୍ଠା  ପାଇଁ ଚେଷ୍ଟା କରୁଛନ୍ତି । ମାତ୍ର ତୈଳବିପଣନ କମ୍ପାନୀମାନେ ୧୦୦ଟି ସ୍ଥାନରେ ତୁରନ୍ତ ରୋଜଗାରର ସୁଯୋଗ ସୃଷ୍ଟି କରି ସେଥିରେ ରାଜ୍ୟର ସାଧାରଣ ଗରିବ ପରିବାରର ମହିଳା ମାନଙ୍କୁ ସାମିଲ୍ କରିଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ନାଲ୍କୋ ଆହୁ ୧୦୦ଟି ଏପରି ସାନିଟାରୀ ନାପକିନ୍ ପ୍ରସ୍ତୁତି ଓ ବିତରଣ କେନ୍ଦ୍ର ପରିଚାଳନା ଦାୟିତ୍ୱ ସିଏସସିକୁ ଦେବାପାଇଁ ପ୍ରତିଶୃତି ଦେଇଛି । ସିଏସସିର ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ ମିଶି ସେ ଭାରତ ସରକାରଙ୍କର ରାଷ୍ଟ୍ରାୟତ ଉଦ୍ୟୋଗ ଓ ବେସରକାରୀ ସଂସ୍ଥା ମାନଙ୍କ ସହାୟତାରେ ରାଜ୍ୟରେ ଆହୁରି ଅଧିକ ଏପରି କେନ୍ଦ୍ର ଖୋଲିବା ପାଇଁ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।

ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଓଡିଶାରେ ଥିବା ୨୦ ହଜାର କମନ ସର୍ଭିସ ସେଂଟର ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ଇ-କମର୍ସ ମାଧ୍ୟମରେ ଓଡିଶାର ପିଠା, ହସ୍ତଶିଳ୍ପ, ବୟନ ଶିଳ୍ପ, ମୂର୍ତି କଳା, କାଠ ତଥା ବିଭିନ୍ନ ଧାତୁର ହାତ ତିଆରି ମୂର୍ତିକୁ ଦେଶ ବିଦେଶରେ ବିକ୍ରୀ କରିବାର ସୁଯୋଗ ତିଆରି କରିପାରିବେ ବୋଲି ଦୃଢ ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ । ସିଏସସି ସହ ଯୋଡି ହୋଇଥିବା ରାଜ୍ୟର କୋଣ ଅନୁକୋଣରେ ଥିବା ଏହି ୨୦ ହଜାର ସିଏସସି ଚଳାଉଥିବା ଓଡିଆ ଉଦ୍ୟମୀ ମାନେ ରାଜ୍ୟରେ ମହିଳା ମାନଙ୍କ ପାଇଁ ସ୍ୱାବଲମ୍ବୀ ହୋଇ ନୂଆ ଅର୍ଥନୀତିରେ ବଡ ସହଯୋଗ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ ।

ସାନିଟାରୀ ନାପକିନ୍ ବିଷୟରେ ସାଧାରଣରେ ଆଲୋଚନା କରାଯାଏ ନାହିଁ ବୋଲି ଆମର ମା ମାନଙ୍କୁ ମରିବାକୁ ଦିଆଯାଇ ପାରିବ ନାହିଁ । ମା ମାନଙ୍କୁ ସୁସ୍ଥ ରଖିବାକୁ ହେଲେ ସାନିଟାରୀ ନାପକିନ୍ ର ବ୍ୟବହାରକୁ ଏକ ଜନ ଆନେ୍ଦାଳନରେ ପରିଣତ କରିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି ।

 

Leave A Reply

Your email address will not be published.