ଆସନ୍ତା ମାସରେ ରାଜଧାନୀରେ ବିଜେଡି କରିବ  ବିଶାଳ ଦଳିତ ସମାବେଶ 

0

ଭୁବନେଶ୍ୱର,:  ଅନୁସୂଚିତ ଜାତିର ଲୋକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହ ଆସନ୍ତା ମାସରେ ବିଜୁ ଜନତା ଦଳ ଅନୁସୂଚିତ ଜାତି ତରଫରୁ ଭୁବନେଶ୍ୱରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ ବୋଲି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ବିଜୁ ଜନତା ଦଳ ଅନୁସୂଚିତ ଜାତି ସେଲ୍‍ର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆ ଯାଇଛି  । ଅନୁସୂଚିତ ଜାତି ସେଲ୍‍ର ରାଜ୍ୟ ଆବାହକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ବିଷ୍ଣୁଚରଣ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ  ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁସୂଚିତ ଜାତିର କଲ୍ୟାଣ ପାଇଁ ରହିଥିବା ଦୃଷ୍ଟିଭଙ୍ଗୀ ସଂପର୍କରେ ବୈଠକରେ ବିଶଦ ଭାବେ ଆଲୋଚନା କରାଯାଇ ଧନ୍ୟବାଦ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ଆଲୋଚନା ମାଧ୍ୟମରେ ବିଭିନ୍ନ ପ୍ରସ୍ତାବମାନଙ୍କ ମଧ୍ୟରୁ ସରକାରଙ୍କ ତରଫରୁ ଅନୁସୂଚିତ ଜାତି ଓ ଉପଜାତି ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ଉଚ୍ଚଶିକ୍ଷା ବୃତ୍ତି ଯାହା କେନ୍ଦ୍ର ସରକାରଙ୍କ ଦ୍ୱାରା ୮୦ ଭାଗ ବହନ କରାଯାଉଥିଲା ଏବଂ ସଂପ୍ରତି କେନ୍ଦ୍ର ସରକାର ମାତ୍ର ୨୦ ଭାଗ ବହନ କରିବା ନିର୍ଦ୍ଦେଶ  ଦେଇଛନ୍ତି, ତାହା ବିରୋଧରେ ଉଦ୍‍ବେଗ ପ୍ରକାଶ କରି ବକ୍ତାମାନେ ବକ୍ତବ୍ୟ ରଖିଥିଲେ । ଅନୁସୂଚିତ ଜାତିର କଲ୍ୟାଣ ପାଇଁ ଏକ ଅନୁସୂଚିତ ଜାତି ଉନ୍ନୟନ ପରିଷଦ ଗଠନ କରିବା ସହିତ ସ୍ୱତନ୍ତ୍ର ଅନୁଦାନର ବ୍ୟବସ୍ଥା ସରକାରଙ୍କ ତରଫରୁ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସଂପ୍ରତି ଦଳ ତରଫରୁ ୱାର୍ଡ କମିଟି ଓ ହାଉସ୍‍ ଟ୍ୟାଗିଙ୍ଗ ବ୍ୟବସ୍ଥାରେ ସ୍ଥାନୀୟ ପ୍ରତିନିଧିମାନେ ଅନୁସୂଚିତ ଜାତି ପରିବାରଙ୍କୁ ପ୍ରାଧାନ୍ୟ ଦେବା, ବିଭିନ୍ନ ସାଂଗଠନିକ ଦାୟିତ୍ୱରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରିବା, ସରକାରଙ୍କ ସମସ୍ତ ଯୋଜନାକୁ ସେମାନଙ୍କ ନିକଟରେ ପହଞ୍ଚାଇବା ଓ ଅନୁସୂଚିତ ଜାତି ବ୍ୟକ୍ତିମାନଙ୍କ ଉପରେ ହେଉଥିବା ନିର୍ଯାତନା ମାମଲାଗୁଡିକରେ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ୱତନ୍ତ୍ର ଭାବେ ଫଏସଲା କରାଯିବା ଦିଗରେ ପଦକ୍ଷେପ ନେବାପାଇଁ ସର୍ବ ସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା ।

ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଆନୁଷ୍ଠାନିକ  ଭାବେ ଉଦ୍‍ଘାଟିତ ଏହି ବୈଠକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ପୂର୍ବତନ ବିଧାୟକ ଶ୍ରୀ ସୁରେନ୍ଦ୍ର ପ୍ରସାଦ ପ୍ରମାଣିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ସୁରେନ୍ଦ୍ର ସେଠୀ, ଶ୍ରୀ ମହେଶ ସାହୁ, ପୂର୍ବତନ ବିଧାୟକ ଶ୍ରୀ ଆଦିକନ୍ଦ ସେଠୀ, ଶ୍ରୀ ରାଜେନ୍ଦ୍ର ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇ ବିଭିନ୍ନ ପ୍ରସ୍ତାବମାନ ଆଗତ କରିଥିଲେ । ଅନୁସୂଚିତ ଜାତି ସେଲ୍‍ର ସାଧାରଣ ସଂପାଦକ ଆଡଭୋକେଟ୍‍ ନିରଞ୍ଜନ ସେଠୀ, ଅଶୋକ ମଲ୍ଲିକ, ସଂପାଦିକା ଶ୍ରୀମତୀ ମୀନତି ଦାସ, ଶ୍ରୀମତୀ ସୁରେଖା ମାଝୀଙ୍କ ସମେତ ବିଭିନ୍ନ ଜିଲ୍ଲାର ସଭାପତି, ସଂପାଦକ, କାର୍ଯ୍ୟକାରୀ କମିଟି ସଭ୍ୟସଭ୍ୟାମାନେ ଏହି ବୈଠକରେ ଯୋଗଦାନ କରିଥିଲେ । ସାଧାରଣ ସଂପାଦକ ଶ୍ରୀ ବିକାଶ ମଲ୍ଲିକ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ୨୦୦ରୁ ଉର୍ଧ୍ଵ  ସଭ୍ୟସଭ୍ୟା ଏହି କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ ।

 

 

Leave A Reply

Your email address will not be published.