ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ

10
  • ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ;
  • ଲୋହରାଖଣ୍ଡି ନଦୀରେ ୧୦ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ,
  • ଯାତାୟାତ ଠପ୍‌; ବର୍ଷା କମିଲା ଦୁର୍ଦଶା ବଢିଲା,

ବେଲଗୁଣ୍ଠା, ୨୯।୧୦: -(ଶିବରାମ ଚୌଧୁରୀ )-ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଲଗାଣ ବର୍ଷା ପରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟା ପରିସ୍ଥିତି ଭୟାବହ ରୂପ ଧାରଣ କରିଛି। ଲୋହରାଖଣ୍ଡି ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେବା ସହ ବିଭିନ୍ନ ସ୍ଥାନରେ ୧୦ରୁ ଊର୍ଦ୍ଧ୍ୱ ଘାଇ ସୃଷ୍ଟି ହୋଇଛି। ଇଙ୍ଗିନାଠି ପଞ୍ଚାୟତର ସାତଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ ବେଲଗୁଣ୍ଠାର ଧଣିଜାପଲ୍ଲୀ ଅଞ୍ଚଳ ବି ବିଛିନ୍ନ ହୋଇପଡିଛି।ବେଲଗୁଣ୍ଠା-ଭଞ୍ଜନଗର ଏବଂ ଭଞ୍ଜନଗର-ଆସିକା ମୁଖ୍ୟ ରାସ୍ତାରେ ପ୍ରାୟ ଚାରି ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଉଭୟ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି।ବୁଧବାର ସନ୍ଧ୍ୟାରୁ ରାତିସାରା ପ୍ରବଳ ବର୍ଷା ହେବା ଯୋଗୁଁ ନଦୀ, ନାଳ, ଜମିବାଡ଼ି ଓ ଖାଲଖମା ସବୁ ଜଳମଗ୍ନ ହୋଇପଡ଼ିଥିଲା। ଗୁରୁବାର ସକାଳେ ମଧ୍ୟ ବର୍ଷା ଲାଗିରହିବାରୁ ଲୋହରାଖଣ୍ଡି ନଦୀରେ ବନ୍ୟାଜଳ ବୃଦ୍ଧି ପାଇଥିଲା। ସକାଳ ପ୍ରାୟ ୧୦ଟା ସୁଦ୍ଧା ଇଙ୍ଗିନାଠି ଓ ଧୂମୁଛାଇ ପଞ୍ଚାୟତର ବିଭିନ୍ନ ସ୍ଥାନରେ ୧୫ରୁ ଊର୍ଦ୍ଧ୍ୱ ଘାଇ ସୃଷ୍ଟି ହୋଇ ବନ୍ୟାଜଳ ଚାଷଜମି ମଧ୍ୟକୁ ପ୍ରବେଶ କରିଥିଲା। ଫଳରେ ବିସ୍ତୀର୍ଣ୍ଣ ଚାଷଜମିରେ ନଦୀର ଭ୍ରମ ସୃଷ୍ଟି ହୋଇଛି।ବିଭିନ୍ନ ଗ୍ରାମରେ ଅନେକ ଘରେ ବନ୍ୟାଜଳ ପଶିଥିବାରୁ ଲୋକେ ଛାତ ଉପରେ ଓ ଅନ୍ୟାନ୍ୟ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି। ପୂର୍ବରୁ କଚ୍ଚା ଘରେ ରହୁଥିବା କେତେକ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା।ଗ୍ରାମଗୁଡ଼ିକରେ ପ୍ରଶାସନିକ ଟିମ୍ ପହଞ୍ଚିବା କଷ୍ଟକର ହୋଇପଡ଼ିଥିବାରୁ ବୁଗୁଡ଼ାରୁ ଅଗ୍ନିଶମ ବାହିନୀର ଏକ ଟିମ୍ ଆସି ପହଂଚିଥିବା ଜଣାପଡ଼ିଛି। ଟିମ୍ ଗ୍ରାମ ଭିତରେ ପହଞ୍ଚିବା ପରେ ପ୍ରଥମେ ରିଲିଫ୍ ବଣ୍ଟନ କରାଯିବ ଏବଂ ଆବଶ୍ୟକସ୍ଥଳେ ବନ୍ୟାବିପନ୍ନଙ୍କୁ ଉଦ୍ଧାର କରାଯିବ ବୋଲି ବିଡିଓ ପ୍ରକାଶ କରିଛନ୍ତି। ଧୂମୁଛାଇ ପଞ୍ଚାୟତର ଡିମ୍ବିରିପଲ୍ଲୀ ଓ ପାଟୁଳିସାହିରେ ମଧ୍ୟ ଘାଇ ସୃଷ୍ଟି ହୋଇଛି। ପାଟୁଳିସାହିର ଶ୍ରୀଶ୍ରୀ ବୈଦ୍ୟନାଥ ମନ୍ଦିର ଭିତରେ ପ୍ରାୟ ଚାରି ଫୁଟ ପାଣି ଜମି ରହିଛି।
ଲୋହରାଖଣ୍ଡି ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରୁ ଭଞ୍ଜନଗର-ବେଲଗୁଣ୍ଠା ରାସ୍ତାର ନୂଆଗାଁ ପୋଲ ନିକଟରେ ପ୍ରାୟ ଚାରି ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହୋଇଥିଲା। ସକାଳ ୭ଟା ପରଠାରୁ ପ୍ରଶାସନ ପକ୍ଷରୁ ରାସ୍ତା ସିଲ୍ କରାଯାଇ ଯାନବାହନ ଚଳାଚଳ ବନ୍ଦ କରାଯାଇଛି। ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର, ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ବିଡିଓ ସିଙ୍ଗାପୁରମ ହରି ଘଟଣାସ୍ଥଳରେ ଉପସ୍ଥିତ ରହି ରାସ୍ତା ବନ୍ଦ ବ୍ୟବସ୍ଥା ତଦାରଖ କରିଥିଲେ। ଭୁବନେଶ୍ୱରରୁ ବେଲଗୁଣ୍ଠା ଦେଇ ଆସୁଥିବା ବସ୍, ଟ୍ରକ୍ ସମେତ ଅନ୍ୟ ଯାନବାହନକୁ ବେଲଗୁଣ୍ଠାଠାରେ ଅଟକାଯାଇଥିଲା। ପାନକିଆରୀ ନିକଟରେ ମଧ୍ୟ ମୁଖ୍ୟ ରାସ୍ତା ଉପରେ ତିନିରୁ ଚାରି ଫୁଟ ପାଣି ପ୍ରବାହିତ ହେଉଥିଲା। ବେଲଗୁଣ୍ଠାର ମାଆ ବ୍ରାହ୍ମଣଦେବୀ ମନ୍ଦିର ମଧ୍ୟ ଜଳବନ୍ଦୀ ହୋଇପଡ଼ିଥିଲା।
ସେହିପରି ଭଞ୍ଜନଗର-ଆସିକା ରାସ୍ତାର ଗୋବରା କଲେଜ ଛକ ନିକଟରେ କଳିଆମ୍ବା ନାଳର ବନ୍ୟାଜଳ ରାସ୍ତା ଉପରେ ପ୍ରାୟ ଚାରି ଫୁଟ ଉଚ୍ଚତାରେ ପ୍ରବାହିତ ହେବାରୁ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ବନ୍ୟାଜଳ ଗୋବରାର ବାସୁଦେବପୁର, ମରେଇପାଟ,ଗୋବରା ଖଦାଳସାହି ଓ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପ୍ରବେଶ କରିଥିଲା। ସ୍ୱାସ୍ଥ୍ୟକେନ୍ଦ୍ରଟି ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇପଡ଼ିଥିବା ବେଳେ ପଞ୍ଚାୟତର ଗୋଦାମ ଗୃହରେ ମଧ୍ୟ ପାଣି ପଶିଥିଲା। ବିଭିନ୍ନ ଘରେ ପାଣି ପଶିବାରୁ ଖାଦ୍ୟଶସ୍ୟ ଓ ଆସବାବପତ୍ର ନଷ୍ଟ ହୋଇଛି।ବଡ଼ନଦୀ, ବୋଡ଼ାନଦୀ ଓ ଲୋହରାଖଣ୍ଡି ନଦୀର ମିଳନସ୍ଥଳ ମାଧବରିଡ଼ା ଆନିକଟରେ ବନ୍ୟାଜଳ ବିପଦ ସଙ୍କେତ ଅତିକ୍ରମ କରିଥିଲା। ଏଠାରେ ବିପଦ ସଙ୍କେତ ୬୦.୬୬ ମିଟର ଥିବାବେଳେ ଗୁରୁବାର ଦିନ ପ୍ରାୟ ୧୧ଟାରେ ଜଳସ୍ତର ୬୦.୭୬ ମିଟରରେ ପହଞ୍ଚିଥିଲା। ଫଳରେ ବଡ଼ ବିପଦର ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଅପରାହ୍ନ ୨ଟା ପରେ ବର୍ଷାର ପରିମାଣ କମିବା ସହ ସନ୍ଧ୍ୟା ୬ଟା ବେଳକୁ ଜଳସ୍ତର ୬୦.୪୪ ମିଟରକୁ ଖସି ଆସିଥିଲା। ଏହାଦ୍ୱାରା ବଡ଼ ବିପଦର ଆଶଙ୍କା କିଛି ମାତ୍ରାରେ ଟଳିଥିବା ଅନୁମାନ କରାଯାଉଛି।ବୁଧବାର ସନ୍ଧ୍ୟା ୬ଟାରୁ ଗୁରୁବାର ଅପରାହ୍ନ ୨ଟା ମଧ୍ୟରେ ବେଲଗୁଣ୍ଠା ଅଞ୍ଚଳରେ ୧୫୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଜଣାପଡ଼ିଛି ।ବନ୍ୟାରେ ଷଡ଼ଙ୍ଗୀପଲ୍ଲୀ-ନେଟଙ୍ଗା ରାସ୍ତାର କଇଠପଲ୍ଲୀ ନିକଟରେ ନିର୍ମାଣାଧୀନ କଲଭର୍ଟ ଧୋଇଯାଇଥିବାରୁ ଯାତାୟାତ ବନ୍ଦ ହୋଇଛ l ଗୋଗେଇ ନାଳରେ ବନ୍ୟାଜଳ ପ୍ରବାହିତ ହୋଇ ପାଇଲିପଡ଼ା, ବାରଟା, ନୂଆଗଡ଼, ଦହିମୁଣ୍ଡଳୀ ଓ ଖଇରପୁଟି ଗ୍ରାମରେ ପାଣି ପଶିବାରୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।ବର୍ତ୍ତମାନ ଧାନ ପାଚିବା ସମୟ ହୋଇଥିବାବେଳେ ବେଲଗୁଣ୍ଠା ବ୍ଲକ୍‌ର ପ୍ରାୟ ୭୦ରୁ ୮୦ ପ୍ରତିଶତ ଚାଷଜମିରେ ବନ୍ୟାଜଳ ନଦୀ ପରି ପ୍ରବାହିତ ହେଉଛି। ଜଳ ନିଷ୍କାସନ ହେବା ପରେ ମଧ୍ୟ ଧାନ ଫସଲ ଅମଳ ବାଧାପ୍ରାପ୍ତ ହେବା ସହ ବ୍ୟାପକ କ୍ଷତିର ଆଶଙ୍କା ରହିଛି। ଏହାକୁ ନେଇ ଚାଷୀକୁଳ ଆତଙ୍କିତ ହୋଇପଡ଼ିଛନ୍ତି। ବନ୍ୟାବିପନ୍ନଙ୍କୁ ତୁରନ୍ତ ରିଲିଫ୍, ଘରଭଙ୍ଗା ଓ ଫସଲ କ୍ଷୟକ୍ଷତିର ଆକଳନ ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।ବର୍ଷାର ପରିମାଣ କମିଥିଲେ ମଧ୍ୟ ବନ୍ୟାର ଦୁର୍ଦ୍ଦଶା କମିନାହିଁ। ବିଚ୍ଛିନ୍ନ ଗ୍ରାମଗୁଡ଼ିକରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଜଳବନ୍ଦୀ ଲୋକଙ୍କ ସୁରକ୍ଷା ଓ ଚାଷଜମିରୁ ଜଳ ନିଷ୍କାସନ ଏବେ ପ୍ରଶାସନ ପାଇଁ ବଡ଼ ଆହ୍ୱାନ ପାଲଟିଛି।

Leave A Reply

Your email address will not be published.