ଭୁବନେଶ୍ୱର, ଅକ୍ଟୋବର ୨୯ : ସାରା ବିଶ୍ୱରେ ହୃଦ୍ଘାତ ମଣିଷର ମୃତ୍ୟୁର ପ୍ରଥମ ବୃହତ କାରଣ ହୋଇଥିବା ବେଳେ ମସ୍ତିଷ୍କରେ ଆଘାତ ଅଥବା ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ହେଉଥିବା ମୃତ୍ୟୁ ଦ୍ୱିତୀୟ ବୃହତ କାରଣ ବୋଲି କହିଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ମଙ୍ଗଳବାର ଆୟୋଜିତ ବିଶ୍ୱ ଷ୍ଟ୍ରୋକ୍ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ମହାପାତ୍ର କହିଥିଲେ ଯେ ମସ୍ତିଷ୍କରେ ଆଘାତ ଘଟିଲେ ମଣିଷ ପକ୍ଷାଘାତ, ଦୃଷ୍ଟିହୀନ କିମ୍ବା ବାକ୍ଶକ୍ତିହୀନ ହେବା ସହ କୋମାକୁ ମଧ୍ୟ ଚାଲିଯାଇଥାଏ । ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ମେଦବହୁଳତା ବ୍ରେନ୍ ଷ୍ଟ୍ରୋକ୍ର ପ୍ରମୁଖ କାରଣ । ତେଣୁ ମଣିଷ ଏହି ରୋଗରୁ ନିଜକୁ ଦୂରେଇ ରଖିବା ପାଇଁ ଜୀବନ ଶୈଳୀରେ ପରିବର୍ତନ କରିବା ଜରୁରୀ ବୋଲି ସେ କହିଥିଲେ ।
ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଷ୍ଟ୍ରୋକ୍ରୁ ରୋଗୀ ବହୁ ମାତ୍ରାରେ ସୁସ୍ଥ ହୋଇପାରିବେ । ରୋଗୀଙ୍କ ସୁରକ୍ଷା ନିମନ୍ତେ ହସ୍ପିଟାଲର ଡାକ୍ତରଙ୍କ ସମେତ ସମସ୍ତ କର୍ମଚାରୀମାନଙ୍କୁ ନିରାପତା ଜନିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଥିଲେ ।
ଏହି ବିଭାଗର ନୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଶ୍ରୀକାନ୍ତ ସାହୁ ହସ୍ପିଟାଲକୁ ଆସୁଥିବା ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏକ ଷ୍ଟ୍ରୋକ୍ କ୍ଲିନିକ୍ ଆରମ୍ଭ କରିବାର ପ୍ରସ୍ତାବ ଦେଇଥିବା ବେଳେ କାର୍ଯ୍ୟକ୍ରମର ଆୟୋଜକ ପ୍ରଫେସର ଲୁଲୁପ କୁମାର ସାହୁ ଏକ ଷ୍ଟ୍ରୋକ୍ ଟିମ୍ ତଥା ଷ୍ଟ୍ରୋକ୍ କୋର୍ଡିନେଟରଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ରୋଗୀ ହସ୍ପିଟାଲ୍କୁ ଆସିଲେ ଯେଭଳି ତାର ଚିକିତ୍ସାରେ ବିଳମ୍ବ ନ ହୁଏ ସେ ଦିଗରେ ଏହି ଷ୍ଟ୍ରୋକ୍ ଟିମ୍ ବେଶ ସହାୟକ ହେବ ବୋଲି ପ୍ରଫେସର ସାହୁ କହିଥିଲେ ।
କାର୍ଯ୍ୟକ୍ରମକୁ ନ୍ୟୁରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଶ୍ରୀମନ୍ତ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ଅନିଲ ସାହୁ ‘କୋଡ୍ ଷ୍ଟ୍ରୋକ୍’ ସମ୍ପର୍କିତ ଏକ ବିବରଣୀ ଉପସ୍ଥାପନା କରିଥିଲେ ।
ମଙ୍ଗଳବାର ସକାଳେ ବିଶ୍ୱ ଷ୍ଟ୍ରୋକ୍ ଦିବସ ଅବସରରେ ଏକ ୱାକାଥନ୍ର ମଧ୍ୟ ଆୟୋଜନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post