ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସହଯୋଗରେ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ ଶରୀର ସ୍ଥାନାନ୍ତରଣ; ପୈତୃକ ଗ୍ରାମରେ ଶେଷକୃତ୍ୟ

2

ଭୁବନେଶ୍ୱର, (୨୭/୧୦) : ଉତ୍ତରାଖଣ୍ଡ ସ୍ଥିତ କେଦାରନାଥକୁ ତୀର୍ଥଯାତ୍ରାରେ ଯାଇଥିବା ଜଣେ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ପାଇବା ପରେ ତାଙ୍କ ମୃତଦେହକୁ ତାଙ୍କର ପୈତୃକ ଗ୍ରାମକୁ ସ୍ଥାନନ୍ତରଣ କରି ଶେଷକୃତ୍ୟ ସମ୍ପାଦନ କରିବା ଦିଗରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ତରଫରୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମୃତକ ଜଣକ ହେଲେ ଶ୍ରୀ ରଞ୍ଜନ କୁମାର ସାହୁ। ସେ କଟକ ଜିଲ୍ଲା ମଣିସାହୁ ଛକର ବାସିନ୍ଦା। ଶ୍ରୀ ସାହୁ ନିଜର ବନ୍ଧୁମାନଙ୍କ ସହ ଉତ୍ତରାଖଣ୍ଡ ସ୍ଥିତ କେଦାରନାଥକୁ ଭ୍ରମଣ କରିବାକୁ ଯାଇଥିଲେ। ସେଠାରେ ଦର୍ଶନ ସାରି ଫେରୁଥିବା ବେଳେ ବାଟରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ଦେଖି ନିକଟରେ ଥିବା ମେଡିକାଲ କ୍ୟାମ୍ କୁ ତାଙ୍କୁ ନିଆଯାଇଥିଲା। ସେଠାରେ ଡାକ୍ତର ଶ୍ରୀ ସାହୁଙ୍କୁ ମୃତ ଘୋଷଣା କରିଥିଲେ। ଏହି ସମ୍ବନ୍ଧୀୟ ଖବର ପାଇବା ପାରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ମୃତକଙ୍କ ପରିବାରବର୍ଗଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ, କଟକ ଜିଲ୍ଲା ପ୍ରଶାସନ ଓ ଉତ୍ତରାଖଣ୍ଡ ସରକାରଙ୍କ ମିଳିତ ସହଯୋଗ ଓ ସମନ୍ଵୟ ମାଧ୍ୟମରେ ଶ୍ରୀ ରଞ୍ଜନ କୁମାର ସାହୁଙ୍କ ମୃତ ଶରୀରକୁ ବିମାନ ଯୋଗେ ଓଡ଼ିଶାକୁ ଅଣାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଶ୍ରୀ ସାହୁଙ୍କ ମୃତ ଶରୀର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଠାରେ ଆସି ପହଞ୍ଚିଥିଲା।

ଏହାପରେ ଶ୍ରୀ ସାହୁଙ୍କ ମୃତ ଶରୀରକୁ କଟକ ସ୍ଥିତ ତାଙ୍କ ପୈତୃକ ଗ୍ରାମକୁ ସ୍ଥାନାନ୍ତରଣ କରାଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏହିଭଳି ବିପଦ ସମୟରେ ମିଳିଥିବା ସାହାଯ୍ୟ ଓ ସହଯୋଗ ପାଇଁ ମୃତକଙ୍କ ପରିବାର ଓଡିଶା ପରିବାର ନିର୍ଦ୍ଦେଶାଳୟ ଓ କଟକ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଓଡ଼ିଶା ଲୋକଙ୍କ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଆମେ ସର୍ବଦା ପ୍ରସ୍ତୁତ ଏବଂ ପ୍ରତିଶ୍ରୁତିବଦ୍ଧ ବୋଲି ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପଧ୍ୟାୟ ମତପ୍ରକାଶ କରିଛନ୍ତି।

Leave A Reply

Your email address will not be published.