ୟୁ.ଏମ୍.ଆଇ.-୨୦୨୪ ରେ କ୍ରୁଟ୍ “ସର୍ବଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥାର ସହର” ପୁରସ୍କାରରେ ସମ୍ମାନିତ ହୋଇଅଛି

2
  • • ‘ମୋ-ବସ୍’ ଏବଂ ‘ମୋ-ଇ ରାଇଡ୍’ ସେବା ଜାତୀୟ ସ୍ତରରେ ସହରାଞ୍ଚଳ ପରିବହନରେ ଉତ୍କର୍ଷତା ପାଇଁ ଭାରତ ସରକାରଙ୍କ ‘ଗୃହ ନିର୍ମାଣ ଓ ନଗର ବ୍ୟାପାରମନ୍ତ୍ରାଳୟ’ ଦ୍ୱାରା ପୁରସ୍କୃତ ହୋଇଅଛି।

  • • ଡିଜିଟାଲ୍ ନେଟୱାର୍କ ପାଇଁ ‘ଓପନ୍ ନେଟୱାର୍କ ଫର୍ ଡିଜିଟାଲ୍ ନେଟୱାର୍କ’ (ONDC) ସହିତ ‘କ୍ରୁଟ’ ଚୁକ୍ତିନାମା ସ୍ୱାକ୍ଷର କରିଅଛି।

ଭୁବନେଶ୍ୱର: ଟେକ୍ନୋଲୋଜି ଚାଳିତ ତଥା ନାଗରିକମାନଙ୍କ ସୁବିଧା ପାଇଁ ଓଡ଼ିଶା ସରକାରଙ୍କ “କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ” (CRUT) ର ମୋ ବସ୍ ଏବଂ ମୋ-ଇ ରାଇଡ୍ ସେବା ୧୭ତମ ‘ଅର୍ବାନ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଏବଂ ଏକ୍ସପୋ’ (UMI)ରେ ଦେଶର “ସର୍ବଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥାର ସହର” ପୁରସ୍କାରରେ ସମ୍ମାନିତ କରାଯାଇଛି। ପ୍ରତିବର୍ଷ ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହୋଇଥାଏ।
ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ୨୭ ଅକ୍ଟୋବର, ୨୦୨୪ରେ ଗୁଜୁରାଟର ଗାନ୍ଧିନଗରରେ ଭାରତ ସରକାରଙ୍କର ମାନ୍ୟବର ଗୃହ ଓ ନଗର ଓ ନଗର ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟରଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି ସମ୍ମିଳନୀରେ ଯୋଗ ଦେଇ ଡକ୍ଟର ମହାପାତ୍ର କହିଛନ୍ତି, “ଏହି ପୁରସ୍କାର କେବଳ ଏକ ଟ୍ରଫି ନୁହେଁ; ବିକଶିତ ଓଡ଼ିଶା ଲକ୍ଷ୍ୟ ଅଧୀନରେ ଏକ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ଏହା ଆମର ସାମୂହିକ ପ୍ରତିବଦ୍ଧତାର ପ୍ରତୀକ ଅଟେ | ଜନପରିବହନକୁ ବୃଦ୍ଧି କରିବା ପାଇଁ ଆମର ପ୍ରତିବଦ୍ଧତା ଓଡିଶାର ନାଗରିକମାନଙ୍କର ଯାତାୟାତରେ ପରିବର୍ତ୍ତନ ଆଣିଛି | ଆମେ ଅଭିନବ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରିଛୁ, ଆମର ନେଟୱାର୍କକୁ ବିସ୍ତାର କରିଛୁ ଏବଂ ଯାତ୍ରୀମାନଙ୍କ ପାଇଁ ନିରାପତ୍ତା ଏବଂ ଉପଲବ୍ଧତାକୁ ପ୍ରାଥମିକତା ଦେଇଛୁ। ”
ଏହାପୂର୍ବରୁ  ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଡକ୍ଟର ଏନ ଥିରୁମାଲା ନାୟକ, ଆଇଏଏସ୍, ପରିଚାଳନା ନିର୍ଦ୍ଦେଶକ, କ୍ରୁଟ ଙ୍କର ଉପସ୍ଥିତିରେ ଡିଜିଟାଲ୍ ନେଟୱାର୍କ ପାଇଁ ‘ଓପନ୍ ନେଟୱାର୍କ ଫର୍ ଡିଜିଟାଲ୍ ନେଟୱାର୍କ’ (ONDC) ସହିତ ‘କ୍ରୁଟ’ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ଏଥିସହିତ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରୂପେ ସ୍ଥାୟୀ ଏବଂ ଅନ୍ତର୍ଭୂକ୍ତ ସହରୀ ଗତିଶୀଳତା ବୃଦ୍ଧି ପାଇଁ , ଓଡ଼ିଶା ସରକାର ଏକ ମୋବିଲିଟି ଆପ୍ ‘ଓଡିଶା ଯାତ୍ରୀ’ର ଶୁଭାରମ୍ଭ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ONDC ସହିତ ମିଳିତ ଭାବେ ଉଭୟ ଚାଳକଙ୍କୁ ସଶକ୍ତ କରିବା ଏବଂ ସାରା ରାଜ୍ୟରେ ଯାତ୍ରୀ ମାନଙ୍କର ଅନୁଭୂତି ଉନ୍ନତ କରିବା ପାଇଁ ଏହି ପଦକ୍ଷେପ ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ ଦିଗରେ ରାଜ୍ୟର ବ୍ୟାପକ ଦୃଷ୍ଟିକୋଣ ସହିତ ସଂଯୁକ୍ତ ଅଟେ |
ଛଅ ବର୍ଷ ପୂର୍ବେ କ୍ରୁଟ ଦ୍ୱାରା ପ୍ରତିଷ୍ଠିତ, ମୋ ବସ୍ ଏବଂ ମୋ ଇ-ରାଇଡ୍ ସେବା ଧାରଣୀୟ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଅଛି। କ୍ରୁଟ ଏହାର ଗ୍ରାହକ-କେନ୍ଦ୍ରିକ ଆଭିମୁଖ୍ୟ ହେତୁ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ବ୍ରହ୍ମପୁର ଏବଂ ସମ୍ବଲପୁରର ନାଗରିକଙ୍କ ଦୈନିକ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଛି।

ନବୀକରଣ ହୋଇଥିବା ମୋ ବସ୍ ଆପ୍ ଏବଂ ପ୍ରମୋସନାଲ୍ ଅଫର୍ ଡିଜିଟାଲ୍ ଟିକେଟ୍ କୁ ଯଥେଷ୍ଟ ବୃଦ୍ଧି କରିଛି | ସମ୍ପ୍ରତି, ଡିଜିଟାଲ କାରବାର ମୋଟ ଟିକେଟ୍ ର ୨୫% ରୁ ଅଧିକ ଅଟେ, ଯାହା ଏହାକୁ ଦେଶରେ ସର୍ବୋଚ୍ଚ ମାନ୍ୟତା ଦେଇଅଛି | ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍ (ATVM) ର ପ୍ରଚଳନ ବ୍ୟବହାରକାରୀଙ୍କ ଅଭିଜ୍ଞତାକୁ ଅଭିବୃଦ୍ଧି କରିଛି।
ସ୍ୱୟଂଚାଳିତ କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରିବାରେ କ୍ରୁଟ ଭାରତର ପ୍ରଥମ ଟ୍ରାଞ୍ଜିଟ୍ ଏଜେନ୍ସି ଭାବରେ ମାନ୍ୟତା ଲାଭ କରିଅଛି। ଏହି ଅଭିନବ ଉପାୟ ବସ୍ କାର୍ଯ୍ୟସୂଚୀକୁ ନିୟମିତ କରିବା, କାର୍ଯ୍ୟକ୍ଷମତା ବୃଦ୍ଧି କରିବା ସହିତ ମୂଲ୍ୟ ହ୍ରାସ କରିଥାଏ |
ଗାଢ଼କଣା ଠାରେ ନୂତନ ଭାବେ ନିର୍ମିତ ଇଲେକ୍ଟ୍ରିକ୍ ବସ୍ ଡିପୋ ଗ୍ରୀନ୍ ବିଲ୍ଡିଂ ମାନଦଣ୍ଡ ଅନୁଯାୟୀ ଡିଜାଇନ୍ ହୋଇଅଛି। ସମସ୍ତଙ୍କ ପାଇଁ ଧାରଣୀୟ , ସ୍ମାର୍ଟ୍, ସୁବିଧାଜନକ ଏବଂ ନିର୍ଭରଯୋଗ୍ୟ ପରିବହନ ପାଇଁ କ୍ରୁଟ ଏକ ଉଜ୍ଜ୍ୱଳ ଭବିଷ୍ୟତକୁ କଳ୍ପନା କରୁଅଛି। ଭବିଷ୍ୟତରେ ଫ୍ଲିଟ୍ ର ବିସ୍ତାର ପାଇଁ ସବୁଜ ପ୍ରଯୁକ୍ତିବିଦ୍ୟା ପ୍ରାଥମିକତା ହେବ |

Leave A Reply

Your email address will not be published.