ବିଏମସି ବାତ୍ୟା ଆଶ୍ରୟସ୍ଥଳୀରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ

2

ପ୍ରସ୍ତୁତି ଓ ସେବା ଯୋଗାଣ ବ୍ୟବସ୍ଥାର କଲେ ସମୀକ୍ଷା

ଭୁବନେଶ୍ଵର,୨୪/୧୦ : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଆଜି ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳରେ ଥିବା ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ପ୍ରସ୍ତୁତି ଓ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବିଶେଷ କରି ବାତ୍ୟାକୁ ଦୃଷ୍ଟିରେ ରଖି ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରସ୍ତୁତ ରଖିବା ପାଇଁ ରାଜ୍ୟ ସରକାରଙ୍କ ସକ୍ରିୟ ଆଭିମୁଖ୍ୟର ଏକ ଅଂଶ ବିଶେଷ ଭାବେ ଏହି ଗସ୍ତ କରିଛନ୍ତି ।

ଗସ୍ତ ସମୟରେ ଶ୍ରୀମତୀ ପାଢ଼ୀ ଆଶ୍ରୟସ୍ଥଳୀଗୁଡ଼ିକର ଖାଦ୍ୟ, ପାଣି ଓ ପ୍ରାଥମିକ ଚିକିତ୍ସା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ସହିତ ବିଦ୍ୟୁତ ବ୍ୟାକଅପ୍ ଏବଂ ପରିମଳ ସୁବିଧାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ। ବିପର୍ଯ୍ୟୟ ସମୟରେ ନାଗରିକମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଏହି ଆଶ୍ରୟସ୍ଥଳୀଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ କାର୍ଯ୍ୟକ୍ଷମ ହେବା ନିଶ୍ଚିତ କରିବା ଗୁରୁତ୍ୱ ଦେଇଥିଲେ ।

ଶ୍ରୀମତୀ ପାଢ଼ୀଙ୍କ ସହ ବିଏମସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ, ଯେଉଁମାନେ ଯେକୌଣସି ସମ୍ଭାବ୍ୟ ସ୍ଥାନାନ୍ତର କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ସୁରୁଖୁରୁରେ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ବିପର୍ଯ୍ୟୟ ପରିଚାଳନା ଟିମ୍ ମଧ୍ୟରେ ସମନ୍ୱୟ ବିଷୟରେ ତାଙ୍କୁ ଅବଗତ କରାଇଥିଲେ। ପ୍ରମୁଖ ଶାସନ ସଚିବଙ୍କ ଗସ୍ତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପର୍ଯ୍ୟୟ ମୁକାବିଲା ଏବଂ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସୂଚାଇଥାଏ ।

Leave A Reply

Your email address will not be published.