ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଷାଠିଏ ସତୁରୀ ଦଶକରୁ ଆୟୋଜନ ହେଉଛି ବାଉରୀ ସାହିର ଦୁର୍ଗା ପୂଜା। ନିଜସ୍ୱ କାରିଗରଙ୍କ ଦ୍ଵାରା କଳାକୃତିକୁ ନେଇ ସର୍ଵଦା ଚର୍ଚ୍ଚାରେ ରହି ଆସୁଥିବା ବାଉରୀ ସାହିର ଦଶହରା ପୂଜା ଏଥର ମଧ୍ୟ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତିଟି କଳାକୃତି ସଚେତନ ବାର୍ତ୍ତା ଦେବା ଘଟଣା ଉଚ୍ଚ ପ୍ରଶଂସା ଲାଭ କରିଛି। ବିଶେଷ କରି ଗୁଣପୁର ଅଞ୍ଚଳରେ ବାଉରୀ ସାହିର ଦୁର୍ଗା ପୂଜା ଆୟୋଜନ ପାଇଁ ଅନେଇ ବସିଥାଆନ୍ତି। କରନା କାରଣରୁ କିଛି ବର୍ଷ ପାଇଁ ପୂଜା ଆୟୋଜନରେ ଅନ୍ତରାୟ ସୃଷ୍ଟି ହୋଇଥିଲା। ରାୟଗଡ଼ା ଜିଲ୍ଲା ଗୁଣୁପୁରଠାରେ ଚଳିତ ବର୍ଷ ଦଶହରା ଖୁବ୍ ଜମିଛି। ଦୀର୍ଘ ୬୦ ବର୍ଷରୁ ବାଉରୀ ସାହିରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇ ଆସୁଥିଲା। ସ୍ଥାନୀୟ କାରିଗର, ଚିତ୍ରକାର, ମୂର୍ତ୍ତି ଶିଳ୍ପୀରେ ଭରପୁର ଏହି ଅଞ୍ଚଳ। ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ରହିଛି କିଛି ନା କିଛି ପ୍ରତିଭା। ନିଜେ ନିଜେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିଠାରୁ ଆରମ୍ଭ କରି ପାର୍ଶ୍ୱ ଦେବାଦେବୀ, ବିଭିନ୍ନ କଳା କୁଞ୍ଜରେ ଏହି କାରିଗରମାନଙ୍କ ବିଶେଷ ସ୍ୱତନ୍ତ୍ରତା ରହିଛି। ତେଣୁ ଏମାନେ ପର୍ବ ପର୍ବାଣୀରେ ବାହାର କାରିଗରଙ୍କ ଉପରେ ନିର୍ଭର କରନ୍ତି ନାହିଁ। ପୁରୁଣା ଚିତ୍ରଶିଳ୍ପୀ ଶ୍ୟାମ ବାଉରୀ(ମାଝି),କେ ମାର୍କଣ୍ଡ,ରାମ ବାଉରୀଙ୍କ ସମେତ ଅନ୍ୟ କନିଷ୍ଠ ଶିଳ୍ପୀ ହାତ ସ୍ପର୍ଶରେ ମୁର୍ତ୍ତୀ ଗୁଡିକ ଜୀବନ୍ତ ଦିଶୁଛନ୍ତି।
ଚଳିତ ବର୍ଷ ସୁସଜ୍ଜିତ ତୋରଣ, ଆକର୍ଷଣୀୟ ମଣ୍ଡପ, ଶ୍ରୀମନ୍ଦିର, ଜଗନ୍ନାଥ ସଂସ୍କୃତି ସହ ଅନ୍ୟାନ୍ୟ ପୌରାଣିକ କିମ୍ବଦନ୍ତୀକୁ ନେଇ କଳାକୁଞ୍ଜଗୁଡ଼ିକ କରାଯାଇଛି, ଯାହାକି ସାମାଜିକ ବାର୍ତ୍ତା ପ୍ରଦାନ କରୁଛି। ପୁରୀ ଶ୍ରୀମନ୍ଦିର, ହାତଗୋଡ଼ ଥାଇ ଆଜିର ମଣିଷ ପରିଶ୍ରମ କରିବାକୁ ନାରାଜ ବରଂ ଭିକ୍ଷାବୃତ୍ତିକୁ ଶ୍ରେୟ ମଣିବା, ଆଜିର ନାରୀ ସମାଜ ମୋବାଇଲରେ ବ୍ୟସ୍ତ ରହି ନିଜ ପିଲାଙ୍କୁ ଭୁଲିଯିବା, ଘରୋଇ ଡାକ୍ତରଖାନାରେ ସାଧାରଣ ରୋଗୀଙ୍କୁ ଚିକିତ୍ସା ନ ମିଳିବା, ଯୁବପିଢ଼ି ନିଶା କବଳିତ ହୋଇ ନିଜର ସ୍ୱାସ୍ଥ୍ୟ ହରାଇବା ଭଳି କିଛି ସମାଜ ସଂସ୍କାରଧର୍ମୀ ବାର୍ତ୍ତା କଳାକୁଞ୍ଜ ମାଧ୍ୟମରେ ପ୍ରଦର୍ଶନ ବାଉରୀ ସାହିର ପୂଜା ମୁଖ୍ୟ ଆକର୍ଷଣ ପାଲଟିଛି। ଏହି କଳାକୃତି ଏବଂ ଦୁର୍ଗା ପୂଜା ଦେଖିବାକୁ ବାଉରୀ ସାହି ପୂଜା ମଣ୍ଡପରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।ଦୀର୍ଘ ୭ ବର୍ଷ ପରେ ବାଉରୀ ସାହିରେ ପୁଣି ଥରେ ଦୁର୍ଗା ପୂଜା ଆୟୋଜନ ହେଉଥିବାରୁ ସହର ଉତ୍ସବ ମୁଖର ହୋଇଛି।