ଭୁବନେଶ୍ୱର, ତା.୦୭/୧୦: ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଜେଡି ଦଳ ପରାଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି । ଓଡ଼ିଆ ଲୋକଙ୍କ ନିଷ୍ପତିକୁ ନିଜ ଅହଙ୍କାର କାରଣରୁ ସ୍ୱୀକାର କରିପାରୁନାହାନ୍ତି ବୋଲି ରାଜ୍ୟ ବିଜେପିର ପୂର୍ବତନ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜେପିର ଲୋକକଲ୍ୟାଣକାରୀ ଯୋଜନାରେ ଇର୍ଷାନ୍ୱିତ ହୋଇ ବିଜେଡି ନେତା ଏଭଳି ମନ୍ତବ୍ୟ ଦେଉଛନ୍ତି । ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡି ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କୁ ଦଳରୁ କୋଣଠେସା କରି ଟିକେଟ୍ ଦେଉନଥିଲା? ଏ କଥାକୁ ବୋଧେ ସେ ଭୁଲି ଯାଉଛନ୍ତି । ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ଶ୍ରୀଯୁକ୍ତ ଆଚାର୍ଯ୍ୟ ଯେଉଁ ଟିପ୍ପଣୀ ଦେଇଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ନା ପାର୍ଟିରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏପରି ମନ୍ତବ୍ୟ ଦେଉଛନ୍ତି ? ଯଦି ନବୀନ ବାବୁଙ୍କ ପ୍ରତି ଲୋକପ୍ରିୟତା ଥିଲା ବୋଲି ସେ କହୁଛନ୍ତି ତେବେ ନିକଟ ସାଧାରଣ ନିର୍ବାଚନରେ ନବୀନ ବାବୁ ଲଢୁଥିବା କଂଟାବାଞ୍ଜି ନିର୍ବାଚନମଣ୍ଡଳୀରେ ୧୬,୩୪୪ଟି ଭୋଟ୍ ବ୍ୟବଧାନରେ ହାରିଲେ କେମିତି?
ଦୀର୍ଘ ୨୪ ବର୍ଷ ଧରି ଲୋକଙ୍କୁ ପ୍ରତାରିତ କରିବା ତଥା ପ୍ରତିଶ୍ରୁତି ପୂରଣ ନ କରିବା ପରାଜୟର କାରଣ ନୁହେଁ କି? ନବୀନ ବାବୁ କ୍ରମାଗତ ଭାବେ ନିଜର ଆସ୍ଥା ଓ ବିଶ୍ୱାସ ଓଡ଼ିଶାବାସୀଙ୍କ ଠାରୁ ହରାଇ ବସିଛନ୍ତି । ଏହି କଥାକୁ ଶ୍ରୀ ଆଚାର୍ଯ୍ୟ ଗ୍ରହଣ କାହିଁକି କରୁନାହାନ୍ତି? ଚଳିତଥର ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ବିଜେଡି ସଭାପତି କେତେ ଭୋଟ ବ୍ୟବଧାନରେ ଜିତିଛନ୍ତି, ତାହା ନବୀନ ବାବୁଙ୍କୁ ପଚାରିଲେ ଭଲ ହୁଅନ୍ତା ।
ବିଗତ କିଛି ବର୍ଷ ଧରି ବିଜେଡି ଦଳରେ ମନ୍ତ୍ରୀ ଓ ବିଧାୟକମାନଙ୍କ ସ୍ଥିତି କ’ଣ ଥିଲା, ଏହା ମଧ୍ୟ ଶ୍ରୀ ଆଚାର୍ଯ୍ୟ ଅନୁଭବ କରିଥିବେ । ବର୍ତମାନ ଯେତେବେଳେ ବିଜେପି ରାଜ୍ୟରେ ରାଜନୈତିକ ସଂସ୍କୃତି ଓ ପରମ୍ପରାକୁ ପାଳନ କରିବା ସହ ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠା କରି ଶାସନଭାର ସମ୍ଭାଳିଛି, ତାହା ତାଙ୍କୁ କାହିଁକି କଷ୍ଟ ଦେଉଛି? ଏବେ ବି ବିଜୁ ଜନତା ଦଳ ମଧ୍ୟରେ ଚାଲିଥିବା ଅନ୍ତଃକନ୍ଦଳ ଦିବାଲୋକରେ ସ୍ପଷ୍ଟ । ବିଜେଡି ନେତା ଏହି ସବୁ ପ୍ରସଙ୍ଗରେ କହିବା ପୂର୍ବରୁ ଥରେ ଚିନ୍ତା କରିବା ଦରକାର । ରାଜ୍ୟରେ ବିଜେପି ସରକାର ଗଠନର ଶହେ ଦିନ ମଧ୍ୟରେ ଦେଇଥିବା ପ୍ରତିଶ୍ରୁତିକୁ ଅବିଳମ୍ବେ ପାଳନ କରୁଛି । ବିଜେପିର ଲୋକପ୍ରିୟତା ନେଇ ବିଜେଡି ନେତାଙ୍କୁ ଚିନ୍ତା ଘାରିବା ସ୍ୱାଭାବିକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.