“ଆଦିବାସୀ ଜନଜାତି ମହିଳାମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସଶକ୍ତ କରିବ ସୁଭଦ୍ରା”

0 2
  •  ଇଣ୍ଟରନେଟ ଅସୁବିଧା ନିମନ୍ତେ ପାହାଡ ଉପରେ କରାଯାଉଛି “ସୁଭଦ୍ରା” ଫର୍ମ ପଞ୍ଜିକରଣ

  •  ବିନା ଋଣ ବୋଝରେ ବି ଆରମ୍ଭ କରିପାରିବେ ନୂଆ ଜୀବିକା

ଭୁବନେଶ୍ୱର, ତା ୧୮/୦୯/୨୦୨୪ରିଖ: “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସରେ ଶୁଭାରମ୍ଭ ହୋଇଯାଇଛି ଓଡ଼ିଶା ସରକାରଙ୍କ ପ୍ରଭାବଶାଳୀ ଯୋଜନା “ସୁଭଦ୍ରା” । ଏହି କାର୍ଯ୍ୟକ୍ରମରେ ୨୫ଲକ୍ଷ୧୧ଜଣ ହିତାଧିକାରୀଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଥମ କିସ୍ତି ପ୍ରଦାନ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ପ୍ରଥମ କିସ୍ତି ପ୍ରଦାନ କରାଯିବ। ଏହା ଏକ ନିରନ୍ତର ପ୍ରକ୍ରିୟା । ରାଜ୍ୟର ଶେଷ ହିତାଧିକାରୀ ପଞ୍ଜୀକୃତ ନ ହେବା ପର୍ଯ୍ୟନ୍ତ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ” ବୋଲି ମହିଳା ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି |
“ବିଭିନ୍ନ ବାଧାବିଘ୍ନ ସତ୍ତ୍ୱେ ଏହି ଯୋଜନାକୁ ଗାଁ ଗାଁ ରେ ପହଞ୍ଚାଇବା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରୀୟ କର୍ତ୍ତୃପକ୍ଷ, ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର, ଅଙ୍ଗନବାଡି କେନ୍ଦ୍ରର କର୍ମୀ ଓ ସହାୟିକା ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଗଣ ନିଜ ନିଜ ପ୍ରଚେଷ୍ଟା ଜାରି ରଖିଛନ୍ତି | ଓଡ଼ିଶାର କନ୍ଧମାଳ, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଆଦିବାସୀ ଓ ଦୁର୍ଗମ ଅଞ୍ଚଳରେ ମଧ୍ୟ ଏହି ଯୋଜନା ସମ୍ବନ୍ଧୀୟ ଜନ ସଚେତନତା ସୃଷ୍ଟି କରିବା ସହ ହିତାଧିକାରୀମାନଙ୍କ “ସୁଭଦ୍ରା” ଫର୍ମଗୁଡିକୁ ପଞ୍ଜୀକୃତ କରାଯାଉଛି |
ଇଣ୍ଟରନେଟ ଯୋଗାଯୋଗର ଅସୁବିଧା ହେତୁ କନ୍ଧମାଳ ଅଞ୍ଚଳର ଦାରିଙ୍ଗିବାଡ଼ି ବ୍ଲକର ତିଜୁଙ୍ଗିଆ ଗ୍ରାମ ପଞ୍ଚାୟତ ଜନ ସେବା କେନ୍ଦ୍ରର କର୍ମଚାରୀ ମିଲନ ରଣ ସିଂହ ୧୫ କିମି ପାହାଡ ଉପରକୁ ଯାଇ ଡିଜିଟାଲାଇଜେସନ ମାଧ୍ୟମରେ ଫର୍ମ ପଞ୍ଜିକରଣ କରିଛନ୍ତି। ଅନୁରୂପ ଭାବେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷ ଓ ବନ୍ୟା ପରିସ୍ଥିତି ପାଇଁ ବିଦ୍ୟୁତ ସରବରାହ ଓ ଇଣ୍ଟରନେଟ ସେବା ବ୍ୟାହତ ହେବା ପରିସ୍ଥିତିରେ ମଧ୍ୟ ଜନ ସେବା କେନ୍ଦ୍ରର କର୍ମଚାରୀମାନେ “ସୁଭଦ୍ରା” ଫର୍ମ ପଞ୍ଜିକରଣକୁ ସୁନିଶ୍ଚିତ କରିଥିଲେ | ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ରଲେଗାଡ ଗ୍ରାମପଞ୍ଚାୟତର ଜନ ସେବା କେନ୍ଦ୍ରର କର୍ମଚାରୀ ପାହାଡ ଉପରକୁ ଯାଇ ସୁଭଦ୍ରା ଫର୍ମ ପଞ୍ଜିକରଣ କରିଛନ୍ତି | ଏହି ଜିଲ୍ଲା ଅନ୍ତର୍ଗତ ବଣ୍ଡା ଆଦିବାସୀ ଜନଜାତି ସମ୍ପ୍ରଦାୟର ମହିଳାମାନେ ଏହି ଯୋଜନା ପାଇଁ ଉତ୍ସାହିତ ଥିବା ସହ ବହୁଳ ଭାବରେ ନିକଟସ୍ଥ ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ରରେ ନିଜ ନାମ ପଞ୍ଜିକରଣ କରାଉଛନ୍ତି | ସେମାନଙ୍କ ମଧ୍ୟରୁ କିଛି ଏହି ପଇସାକୁ ପିଲାଙ୍କ ପାଠପଢାରେ ଲଗେଇବା କଥା କହୁଛି ତ କେହି ଏହି ପଇସା ଦ୍ଵାରା କିଛି କୃଷି ବ୍ୟବସାୟ ଆରମ୍ଭ କରିବାର ଲକ୍ଷ୍ୟ ରଖିଛନ୍ତି | ବିନା ଋଣର ବୋଝ ଓ ବର୍ଷକୁ ୧୦,୦୦୦ଟଙ୍କା ଦ୍ଵାରା ସେମାନେ ଛତୁ ଚାଷ, ଦେଶୀ କୁକୁଡ଼ା ପାଳନ, ମହୁ ଚାଷ, ଖଲି ପତ୍ର ପ୍ଲେଟ ତିଆରି, ଶୁଖୁଆ ବ୍ୟବସାୟ, ଜଳଖିଆ ଦୋକାନ ସହ ଲୁଗାବୁଣା ବ୍ୟବସାୟ, ଟେରାକୋଟା ଶିଳ୍ପକାର୍ଯ୍ୟ ଭଳି କୌଳିକ ବୃତ୍ତିକୁ ମଧ୍ୟ ଆପଣେଇ ପାରିବେ ବୋଲି ମତ ପ୍ରକାଶ କରିଛନ୍ତି | “ସୁଭଦ୍ରା” ଯୋଜନା ତାଙ୍କର ମନୋବଳକୁ ସୁଦୃଢ କରିବା ସହ ସେମାନଙ୍କ ଜୀବନଜୀବିକା ପାଇଁ ନୂଆ ପନ୍ଥା ଦେଖେଇ ପାରିଛି |” ବୋଲି ମହିଳା ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜାରି ଏହି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି |

Leave A Reply

Your email address will not be published.