ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:- ରାୟଗଡ଼ା ଜିଲା ପଦ୍ମପୁର ସୁନାରି ଘାଇ ଛକ ନିକଟରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନରେ କାର୍ଯ୍ୟ କରୁଥିବା ଜଣେ କମଚାରୀ ଦୋକାନରେ କେହି ନଥିବା ବେଳେ ଫ୍ୟାନରେ ଗାମୁଛା ବାନ୍ଧି ଝୁଲି ପଡିଛନ୍ତି। ଯୁବକ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ଜଣାପଡ଼ିନାହିଁ। ସୂଚନା ଅନୁଯାୟୀ ସୁନାରି ଘାଇ ଛକ ନିକଟରେ ଥିବା ବୃନ୍ଦାବନ ପାଢୀଙ୍କ ଫାଷ୍ଟଫୁଡ୍ ଦୋକାନରେ ରବିବାର ଦୋକାନ ବନ୍ଦ ଥିବାବେଳେ ସେଠାରେ କାମ କରୁଥିବା ଭିକାରୀ ପ୍ରଧାନ ନାମକ କର୍ମଚାରୀ ଏପରି ପଦକ୍ଷେପ ନେଇଛନ୍ତି। ଦୋକାନ ମାଲିକଙ୍କ ଅନୁପସ୍ଥିତିରେ ଦିନ ୧୨ଟା ସମୟରେ ମାଲିକଙ୍କ ପୁଅ ଭିକାରୀଙ୍କୁ ଖାଇବା ଲାଗି ଡାକିବାକୁ ଦୋକାନକୁ ଆସିଲା ବେଳକୁ ଭିତର ପଟରୁ କବାଟ ବନ୍ଦ ଥିଲା। ବାରମ୍ବାର ଡାକିବା ପରେ କବାଟ ନ ଖୋଲିବାରୁ ପଛପଟ ଝରକା ଦେଇ ଦୋକାନ ଭିତରେ ପଶିବା ପରେ ଭିକାରି ଫ୍ୟାନ୍ରେ ନିଜ ଗାମୁଛା ବାନ୍ଧି ଝୁଲି ପଡିଥିବା ଦେଖି ବାପା ବୃନ୍ଦାବନ ପାଢୀଙ୍କୁ ଖବର ଦେଇଥିଲେ ମାଲିକଙ୍କ ପୁଅ। ଦୋକାନର ମାଲିକ ଖବର ପାଇ ସଙ୍ଗେ ସଙ୍ଗେ ଆସି ଗାମୁଛାକୁ କାଟି ମୃତ ଦେହକୁ ତଳକୁ ଓହ୍ଲାଇଥିବା କହିଛନ୍ତି। ଖବର ପାଇ ପଦ୍ମପୁର ଆଇଆଇସି ରଞ୍ଜନ କୁମାର ମାଝୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ମୃତ ବ୍ୟକ୍ତିଙ୍କ ପରିବାରକୁ ଜଣାଇ ଘଟଣାର ତଦନ୍ତ କରିଥିଲେ। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନଥିଲା ବେଳେ ମୃତ ଯୁବକଙ୍କ ଘର ସମ୍ବଲପୁରର ହୀରାକୁଦ ଅଞ୍ଚଳର ବୋଲି ଦୋକାନ ମାଲିକ ଜଣକ କହିଛନ୍ତି। ତେବେ ପରିବାର ଲୋକ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ଥାନା ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛି।