ଡ଼ିଏମକେ ଓ ଏଆଇଏଡ଼ିଏମକେ ନେତାଙ୍କୁ ଭେଟି ଆଲୋଚନା କଲେ ଦେବୀ,ଦିଲ୍ଲୀରେ ଶିବୁ ସୋରେନ୍‍ଙ୍କୁ ଭେଟିଲେ ଅନୁଭବ 

0

ନବୀନ ପଟ୍ଟନାୟକଙ୍କ ମହିଳା ସଂରକ୍ଷଣ ପ୍ରସ୍ତାବ: ତାମିଲନାଡୁରେ ମିଳିଲା ସମର୍ଥନ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଦଳର ଉପ-ସଭାପତି ତଥା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଆଜି ଡ଼ିଏମକେ ଓ ଏଆଇଡିଏମ୍‍ ନେତାମାନଙ୍କୁ ଭେଟି ମହିଳାମାନଙ୍କ ପାଇଁ ସଂସଦ ଓ ବିଧାନସଭାଗୁଡିକରେ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ନୀତିଗତ ସମର୍ଥନ ଲୋଡ଼ି ବିଜୁ ଜନତା ଦଳ ସଭାପତି ଲେଖିଥିବା ଅନୁରୋଧ ପତ୍ରକୁ ହସ୍ତାନ୍ତର କରିଥିଲେ ।  ଡ଼ିଏମକେ ଦଳର ଉପ-ମୁଖ୍ୟ ତଥା ତାମିଲନାଡୁ ବିଧାନସଭା ପିଏସିର ଅଧ୍ୟକ୍ଷ ଦୁରାଇ ମୁରୁଗାନ୍‍ ଓ ଏଆଇଏଡିଏମ୍‍କେ ନେତା ତଥା ମୁଖ୍ୟମନ୍ତ୍ରୀ ଇଡାପାଡୀ କେ. ପଲାନିସ୍ୱାମୀଙ୍କୁ ଭେଟି ମହିଳା ସଂରକ୍ଷଣ ବିଲ୍‍ ସଂପର୍କରେ ଶ୍ରୀ ମିଶ୍ର ବିଶଦ ଆଲୋଚନା କରିଥିଲେ । 

ଡିଏମ୍‍କେ ଉପମୁଖ୍ୟ ମୁରୁଗାନ୍‍ କରୁଣାନିଧିଙ୍କ ସହ ବିଜୁବାବୁଙ୍କ ଥିବା ଘନିଷ୍ଠ  ସଂପର୍କକୁ ମନେ ପକାଇ କହିଥିଲେ ଯେ ବିଜୁବାବୁ ୧୯୯୧ରେ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ଏକ-ତୃତୀୟାଂଶ ସ୍ଥାନ ସଂରକ୍ଷଣ ଲାଗୁ କରିବା ପରେ ତାମିଲନାଡୁ ସରକାର ବିଜୁବାବୁଙ୍କ ପଦକ୍ଷେପକୁ ଅନୁସରଣ କରି ୧୯୯୬ ମସିହାରେ ଏହା କାର୍ଯ୍ୟକାରୀ କରାଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ପଲାନିସ୍ୱାମୀ କହିଥିଲେ ଯେ ଜୟଲଳିତାଙ୍କ ସହିତ ବିଜୁବାବୁ ଏବଂ ନବୀନବାବୁଙ୍କ ଥିବା ଘନିଷ୍ଠ  ସଂପର୍କର ସ୍ମୃତିଚାରଣ କରି କହିଥିଲେ ଯେ ନବୀନବାବୁ ୨୦୧୧ ମସିହାରେ ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ଲାଗୁ କରିଥିବା ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ ଅନୁସରଣ କରି ତାମିଲନାଡୁ ସରକାର ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହା ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବେ ପୁଣି ମହିଳାମାନଙ୍କ ପାଇଁ ସଂସଦ ଓ ବିଧାନସଭାଗୁଡିକରେ ୩୩% ସ୍ଥାନ ସଂରକ୍ଷଣ ପ୍ରସଂଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଶ୍ରୀ ପଲାନିସ୍ୱାମୀ ସମର୍ଥନ ଓ ପ୍ରଶଂସା କରିଥିଲେ । ଏହି ଅବସରରେ ମହିଳାଙ୍କୁ ପୁରୁଷମାନଙ୍କ ସହିତ ସମାନ ଅଧିକାର ଦେବା ଲକ୍ଷ୍ୟ ରଖି ଆଜୀବନ କାର୍ଯ୍ୟ କରିଆସିଥିବା  ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ଲାଗି ପଦକ୍ଷେପ ବାପୁଜୀଙ୍କ ପ୍ରତି ଶ୍ରେଷ୍ଠ  ଶ୍ରଦ୍ଧାଞ୍ଜଳି ବୋଲି ଶ୍ରୀ ଦେବୀ ପ୍ରସାଦ ମିଶ୍ର ଦର୍ଶାଇଥିଲେ ।

ଅନ୍ୟପକ୍ଷରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତାଙ୍କୁ ଆଜି ବିଜେଡିର ପ୍ରତିନିଧି ଭେଟିଥିଲେ । ବିଜେଡି ପକ୍ଷରୁ ସାଂସଦ ଶ୍ରୀ ଅନୁଭବ ମହାନ୍ତି ଜେଏମ୍‍ଏମ୍‍ ସଭାପତି ଶ୍ରୀ ଶିବୁ ସୋରେନ୍‍ଙ୍କୁ ନୂଆଦିଲ୍ଲୀରେ ଭେଟି ସଂସଦ ଓ ସମସ୍ତ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ନୀତିଗତ ସମର୍ଥନ ଲୋଡ଼ି ବିଜୁ ଜନତା ଦଳ ସଭାପତି ଲେଖିଥିବା ପତ୍ର ହସ୍ତାନ୍ତର କରିଥିଲେ । ଶ୍ରୀ ସୋରେନ୍‍ ଏ ପ୍ରସଂଗରେ ସକାରାତ୍ମକ ମନ୍ତବ୍ୟ ପ୍ରଦାନ ସହ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଉଦ୍ୟମକୁ ସ୍ୱାଗତ ଓ ପ୍ରଶଂସା କରିଥିଲେ ।

ସୂଚନାଯୋଗ୍ୟ, ବିଜୁ ଜନତା ଦଳର ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡିର ପ୍ରତିନିଧି ଦଳ ଭାରତବର୍ଷର ୨୨ଟି ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କୁ ଭେଟି ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ସମର୍ଥନ ସଂଗ୍ରହ କରୁଛନ୍ତି ।

 

 

 

 

 

 

 

 

 

 

 

 

Leave A Reply

Your email address will not be published.