ଅମଳ ବେଳାରେ ଅର୍ଣ୍ଣବ ଦାଉ

135

ଚିନ୍ତାରେ ବରଗଡ଼ ଜିଲ୍ଲାର ଚାଷୀ

ବରଗଡ଼: ଅମଳ ସମୟରେ ଦାଉ ସାଧିଛି ପ୍ରକୃତି। ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଲଗାଣ ବର୍ଷା ଓ ପବନ ଯୋଗୁଁ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ଆଉ କିଛି ଦିନ ପରେ ଧାନ ଅମଳ ହୋଇଥାନ୍ତା।ହେଲେ ଅଦିନିଆ ବର୍ଷା ଚାଷୀଙ୍କ ସବୁ ଆଶା ଉପରେ ପାଣି ଢାଳିଦେଇଛି। କେଉଁଠି ପାଚିଲା ଧାନ ଜମିରେ ଶୋଇପଡ଼ିଛି ତ ଆଉ କେଉଁଠି ଚାଷଜମିରେ ପାଣି ଜମି ରହିଛି। ଏହାଦ୍ୱାରା ଧାନର ମାନ ଓ ଉତ୍ପାଦନ ହ୍ରାସ ପାଇବା ସହ ଅମଳ ଖର୍ଚ୍ଚ ବଢ଼ିବାର ଆଶଙ୍କା ଦେଖାଦେଇଛି।ଚଳିତ ବର୍ଷ ଧାନ ଫସଲ ଭଲ ହୋଇଥିବାରୁ ଚାଷୀଙ୍କ ମନରେ ଭଲ ଅମଳର ଆଶା ଥିଲା। ଗତ କିଛି ଦିନ ଧରି ବର୍ଷା ଅଭାବରୁ ଜିଲ୍ଲାର କେତେକ ଅଞ୍ଚଳରେ ମରୁଡ଼ି ଆଶଙ୍କା ଦେଖାଦେଇଥିଲା।ଏବେ ବର୍ଷା ହେବାରୁ ଗୋଟିଏ ପଟେ ଚାଷୀଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ଅନ୍ୟପଟେ ପ୍ରବଳ ପବନ ସହ ଲଗାଣ ବର୍ଷା ଫସଲ ପାଇଁ ବିପଦ ସୃଷ୍ଟି କରିଛି।ଧାନ ଗଛ ଜମିରେ ପଡ଼ିଯିବା ଫଳରେ ଅମଳ କରିବା କଷ୍ଟକର ହେବା ସହ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି।ଚାଷୀ ନେତା ସୁରେଶ ନିକାନ୍ତି କହିଛନ୍ତି ଯେ, ଆଉ କିଛି ଦିନ ପରେ ଧାନ ଅମଳ ଆରମ୍ଭ ହୋଇଥାନ୍ତା। କିନ୍ତୁ ବାତ୍ୟା ପ୍ରଭାବରେ ବରଗଡ଼ ବ୍ଲକ୍‌ ସମେତ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ଜମିରେ ପଡ଼ିଯାଇଥିବା ଧାନର ମାନ କମିବା ସହ ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ରହିଛି। ଏଥିସହ ଧାନ କାଟିବା ପାଇଁ ଚାଷୀଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।ଏଭଳି ପରିସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ରମେଶ ମହାପାତ୍ର ଦାବି କରିଛନ୍ତି। କ୍ଷୟକ୍ଷତିରେ କୌଣସି ବାଛବିଚାର ନକରି ତୁରନ୍ତ ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ପରବର୍ତ୍ତୀ ଚାଷ ପାଇଁ ଉତ୍ସାହିତ କରିବାକୁ ସେ ଦାବି କରିଛନ୍ତି।ସେହିପରି କ୍ଷତିଗ୍ରସ୍ତ ଚାଷଜମିର ତୁରନ୍ତ ତଦନ୍ତ କରି ବାସ୍ତବ କ୍ଷୟକ୍ଷତି ଆକଳନ କରିବା, ଯୋଗ୍ୟ ଚାଷୀଙ୍କୁ ଫସଲ ବୀମା ଓ ସରକାରୀ ସହାୟତାଯୋଗାଇଦେବାକୁ ଚାଷୀ ମହଲରେ ଦାବି ହେଉଛି। ବର୍ଷକର ପରିଶ୍ରମର ଫଳ ଅମଳ କରିବା ପୂର୍ବରୁ ପ୍ରକୃତିର ଏହି ପ୍ରତିକୂଳ ପ୍ରଭାବ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।

Leave A Reply

Your email address will not be published.