ଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ
ଭୁବନେଶ୍ଵର:କୁରୁକ୍ଷେତ୍ର ଲୋକସଭା ନିର୍ବାଚନ ମଣ୍ଡଳୀରୁ ତୃତୀୟ ଥର ସାଂସଦ ତଥା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର୍ (ଜେଏସପି)ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଆଜି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ବୈଠକରେ ଓଡ଼ିଶାରେ ଜେଏସପିର ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା । ଅନୁଗୁଳ ଇସ୍ପାତ କାରଖାନାକୁ ପର୍ଯ୍ୟାୟକ୍ରମେ ବାର୍ଷିକ ୨୫.୨ ନିୟୁତ ଟନ୍ କୁ ସମ୍ପ୍ରସାରଣ କରାଯିବା ସମ୍ପର୍କରେ ଶ୍ରୀ ଜିନ୍ଦଲ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହି ସମ୍ପ୍ରସାରଣ ସମ୍ପୂର୍ଣ୍ଣ ହେବା ପରେ ଏହା କୌଣସି ଗୋଟିଏ ସ୍ଥାନରେ ବିଶ୍ୱର ସର୍ବବୃହତ ଇସ୍ପାତ କାରଖାନା ହେବ । ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ଜେଏସପିର ପ୍ରୟାସକୁ ପ୍ରଶଂସା କରିଥିଲେ ।
ଶ୍ରୀ ଜିନ୍ଦଲ କହିଥିଲେ ଯେ ରାଜ୍ୟର ଶିଳ୍ପ ଭିତ୍ତିକ ସାମଗ୍ରିକ ବିକାଶ ପାଇଁ ଜେଏସପି ଓଡ଼ିଶା ସରକାର ଏବଂ ଓଡ଼ିଶାବାସୀଙ୍କ ସହ ସହଭାଗୀତା ଜାରି ରଖିବ । ଏହି ସାକ୍ଷାତ ଆଲୋଚନା ସମୟରେ ଓଡିଶାରେ କମ୍ପାନୀ ପକ୍ଷରୁ ଚାଲୁ ରହିଥିବା ପ୍ରକଳ୍ପ ଓ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା। ଓଡିଶାରେ ଶିଳ୍ପର ବିକାଶ ପାଇଁ ଜିନ୍ଦଲଙ୍କ ପ୍ରଚେଷ୍ଟାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଆଗାମୀ ସଂପ୍ରସାରଣ ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଏବେ କ୍ରୀଡା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ। ଆମ ଗ୍ରାମାଞ୍ଚଳରେ ବହୁ ପ୍ରତିଭାବାନ କ୍ରୀଡା ପ୍ରତିଭା ଅଛନ୍ତି। ସେମାନଙ୍କ ପ୍ରତିଭାର ଉନ୍ମେଷ ନିମନ୍ତେ କମ୍ପାନୀ ପକ୍ଷରୁ ଅନୁଗୋଳ ଜିଲ୍ଲାରେ ଗୋଟିଏ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଜିନ୍ଦଲଙ୍କୁ ପ୍ରସ୍ତାବ ଦେଇଥିଲେ।
